ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଚଳିତବର୍ଷ ଓଡ଼ିଶାକୁ ମିଳିଛି ଏକ ଆଖିଦୃଶିଆ ସଫଳତା। ଏଥିପାଇଁ ନିରନ୍ତର ପ୍ରସ୍ତୁତ କରିଆସୁଥିବା ଛାତ୍ରଛାତ୍ରୀ ନିଜର ନିଷ୍ଠା, ଅଧ୍ୟବସାୟ ବଳରେ ଏହି ସର୍ବଭାରତୀୟ ପରୀକ୍ଷାରେ କୃତିତ୍ବ ହାସଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏମିତି ବି କେତେଜଣ ଅଛନ୍ତି, ଯେଉଁମାନେ ସକଳ ପ୍ରତିବନ୍ଧକ ସତ୍ତ୍ବେ ନିଜର ଲକ୍ଷ୍ୟ ନିକଟରେ ପହଞ୍ଚିଛନ୍ତି। ଏହି ସଫଳତା ପାଇଁ ସେମାନେ ନିଜ ଘରପରିବାର, ସାଙ୍ଗସାଥୀ, ଜନ୍ମମାଟି କି ରାଜ୍ୟ ପାଇଁ କେବଳ ଗୌରବ ଆଣିନାହାନ୍ତି, ସିଭିଲ୍ ସର୍ଭିସ୍ ପାଇଁ ଲକ୍ଷ୍ୟ ରଖିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।
ସଞ୍ଜିତା ମହାପାତ୍ର (୧୦)
ରାଉରକେଲା: କଥାରେ ଅଛି, ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁ ଝଡ଼ଝଞ୍ଜାକୁ ପାର କରାଯାଇପାରେ। ଆଉ ଏହି ଉକ୍ତିକୁ ସତ୍ୟତାରେ ପରିଣତ କରିଛନ୍ତି ରାଉରକେଲାର ଝିଅ ସଞ୍ଜିତା ମହାପାତ୍ର। ଏ ମାଟିର ପାଣି ପବନରେ ବଢ଼ିଥିବା ସଞ୍ଜିତା ସିଭିଲ ସର୍ଭିସ ପରୀକ୍ଷାରେ ସର୍ବଭାରତୀୟସ୍ତରରେ ୧୦ମ ରୢାଙ୍କ୍ ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଠାରେ ହିଁ ସଞ୍ଜିତାଙ୍କ ଆଦ୍ୟଶିକ୍ଷା ଆରମ୍ଭ ହୋଇଥିଲା। ଏମିତିକି ଚାକିରି ଜୀବନର ପ୍ରାୟ ୫ ବର୍ଷ ଏଠାରେ ହିଁ କାଟିଥିଲେ। ପିଲାଟି ଦିନରୁ ଆଇଏଏସ୍ ହେବାର ଇଚ୍ଛା ରଖିଥିବା ଦୃଢ଼ମନା ସଞ୍ଜିତା ତିନି ତିନିଟି ଚାକିରିକୁ ଛାଡ଼ି ଆଇଏଏସ୍ ହେବାର ସ୍ବପ୍ନରେ ଲାଗି ପଡ଼ିଥିଲେ। ଶେଷରେ ନିଷ୍ଠାପର ପରିଶ୍ରମ ବଳରେ ସେ ଏହି ଲକ୍ଷ୍ୟକୁ ପୂରଣ କରିବାରେ ସମର୍ଥ ହୋଇଛନ୍ତି।
ଛେଣ୍ଡ୍ ଏମ୍ସିଆର୍-୨୫ରେ ବାସ କରୁଥିବା ଶକ୍ତିପଦ ମହାପାତ୍ର ଓ ଅଞ୍ଜଳି ମହାପାତ୍ରଙ୍କ ଦୁଇ ଝିଅଙ୍କ ମଧ୍ୟରୁ ସାନ ହେଉଛନ୍ତି ସଞ୍ଜିତା। ବଡ଼ ଭଉଣୀ ସରିତା ଏବେ ଭେଲ୍ (ବାଙ୍ଗାଲୋର)ରେ କାର୍ଯ୍ୟରତ। ପିଲାଟି ଦିନରୁ ବେଶ୍ ଭଲ ପଢ଼ୁଥିଲେ ସଞ୍ଜିତା। ୨୦୦୬ ମସିହାରେ ଛେଣ୍ଡ୍ ସ୍ଥିତି ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ୯୬.୩ ପ୍ରତିଶତ ରଖି ଆଇସିଏସ୍ଇ ଦଶମ ବୋର୍ଡରେ ରାଜ୍ୟରେ ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ବିଜେବି କଲେଜ (ଭୁବନେଶ୍ବର)ରୁ ଯୁକ୍ତଦୁଇରେ ୮୭.୮ ପ୍ରତିଶତ ରଖି ରାଜ୍ୟରେ ୧୬ତମ ସ୍ଥାନ ରଖିଥିଲେ। ସେହିଭଳି ସିଇଟି (ଭୁବନେଶ୍ବର)ରେ ମେକାନିକାଲ ଇଂଜିନିଅରିଂରେ ମଧ୍ୟ ଦ୍ବିତୀୟ ଟପ୍ପର ଥିଲେ। କେବଳ ପାଠପଢ଼ା ନୁହେଁ, ପ୍ରବନ୍ଧ ଓ କ୍ବିଜ ପ୍ରତିଯୋଗିତାରେ ମଧ୍ୟ ବେଶ୍ ପାରଙ୍ଗମ ଥିଲେ ସେ। ଏମିତିକି ଏନ୍ସିସିରେ ଦିଲ୍ଲୀ ପରେଡ୍ରେ ସାମିଲ ହୋଇଥିଲେ। ୨୦୧୨ ମସିହାରେ ବି.ଟେକ୍ ଶିକ୍ଷା ସମାପ୍ତି ପରେ କ୍ୟାମ୍ପସ୍ ସିଲେକ୍ସନରେ ସେ ମାରୁତି ଉଦ୍ୟୋଗ (ଗୁଡ଼ଗାଓଁ)ରେ ଯୋଗଦେଇଥିଲେ। ସେଠାରେ ପ୍ରାୟ ୧ ବର୍ଷ ଧରି କାମ କରିବାପରେ ଗେଟ୍ ପରୀକ୍ଷା ମାଧ୍ୟମରେ ୨୦୧୩ ମସିହାରେ ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି)ରେ ଯୋଗଦେଇଥିଲେ। ଆର୍ଏସ୍ପିରେ କାର୍ଯ୍ୟରତ ଥିବାବେଳେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଉଦ୍ଘୋଷିକା ଦାୟିତ୍ବ ତୁଲାଇଥିଲେ। ସଞ୍ଜିତା ୨୦୧୭ ମସିହାରେ ଆର୍ବିଆଇରେ ମ୍ୟାନେଜର ଭାବେ କାର୍ଯ୍ୟରତ ତଥା ରାଉରକେଲା ଏନ୍ଆଇଟିରରେ ପଢ଼ିଥିବା ବିଶ୍ବରଞ୍ଜନ ମୁଣ୍ଡାରୀଙ୍କୁ ବିବାହ କରିଥିଲେ। ପାରିବାରିକ ଜୀବନ ସହ ଆର୍ଏସ୍ପି କାର୍ଯ୍ୟ ଅତ୍ୟଧିକ ଭାର ଦେଇଥିଲା ସତ; ମାତ୍ର ଏସବୁ ଖାତିର ନ ରଖି ପୁଣି ଲାଗିପଡ଼ିଥିଲେ ଆଇଏଏସ୍ ହେବା ସ୍ବପ୍ନରେ। ୨୦୧୭ ମସିହାରେ ଓଏଏସ୍ ପରୀକ୍ଷାରେ ସାରା ରାଜ୍ୟରେ ସେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ। କିନ୍ତୁ ଆଇଏଏସ୍ ଲକ୍ଷ୍ୟ ଯୋଗୁଁ ଓଏଏସ୍ରେ ଯୋଗ ଦେଇନଥିଲେ। ୨୦୧୮ ମସିହାରେ ପ୍ରଥମଥର ପାଇଁ ସିଭିଲ୍ ସର୍ଭିସ ପରୀକ୍ଷା ଦେଇ ପ୍ରିଲିମ୍ରେ କୃତକାର୍ଯ୍ୟ ହୋଇଥିଲେ, ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଆଶାନୁରୂପ ସଫଳତା ମିଳିପାରିନଥିଲା। ଏଥିରେ ଭାଙ୍ଗି ନପଡ଼ି, ପୂର୍ବାପେକ୍ଷା ଅଧିକ ପରିଶ୍ରମ କରିବାକୁ ମନସ୍ଥ କରିଥିଲେ। ସ୍ବପ୍ନ ପୂରଣରେ ସଂପୂର୍ଣ୍ଣ ମନୋନିବେଶ କରିବା ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଆର୍ଏସ୍ପି ଚାକିରି ଛାଡ଼ିଦେଇଥିଲେ। ଦ୍ବିତୀୟ ପ୍ରଚେଷ୍ଟା, ଅର୍ଥାତ ୨୦୧୯ରେ ସେ ସିଭିଲ ସର୍ଭିସ ପରୀକ୍ଷାରେ ୧୦ ରୢାଙ୍କ୍ ରଖି ପିଲାବେଳର ସ୍ବପ୍ନକୁ ପୂରଣ କରିଛନ୍ତି। ସଞ୍ଜିତାଙ୍କ ସଫଳତା ନେଇ ତାଙ୍କ ମା' ଅଞ୍ଜଳି ମହାପାତ୍ର କହିଛନ୍ତି, ''ପିଲାଟି ଦିନରୁ ଆଇଏଏସ୍ ହେବି କହୁଥିଲା। ପୂର୍ବରୁ ପରିବାରର ଆର୍ଥିକ ସ୍ଥିତି ଏତେଟା ଭଲ ନ ଥିଲା। ମାତ୍ର ଅର୍ଥ କେବେ ବି ବାଧକ ସାଜିନି। ଦୁଇ ଝିଅ ଭଲ ପଢ଼ୁଥିବାରୁ ସେମାନଙ୍କୁ ଯେତେ କଷ୍ଟ ହେଲେ ମଧ୍ୟ ଉନ୍ନତମାନର ଶିକ୍ଷା ଯୋଗାଇବାକୁ ମନସ୍ଥ କରିଥିଲୁ। ସପ୍ତମ ଶ୍ରେଣୀରୁ ସଞ୍ଜିତା ସ୍କଲାରସିପ୍ ପାଇ ଆସୁଛି। ସ୍କଲାର୍ସିପ୍ରେ ହିଁ ସଞ୍ଜିତା ସବୁ ଶିକ୍ଷା ଗ୍ରହଣ କରିଛି। ପିଲାଟି ଦିନରୁ ତା'ର ଲୋକଙ୍କ ସେବା କରିବାକୁ ଇଚ୍ଛା ରହିଛି। ଖାସ୍ ଏଥିପାଇଁ ହିଁ ସେ ଆଇଏଏସ୍ ହେବାର ସ୍ବପ୍ନ ଦେଖୁଥିଲା।''
ଅନୁପ ଦାସ (୧୨୦)
ଜଗତ୍ସିଂହପୁର ଜିଲ୍ଲା ନାଉଗାଁର ଅନୁପ ଦାଶ। ପାରାଦୀପ ପୋର୍ଟ କେନ୍ଦ୍ରୀୟ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରିବା ପରେ ବିଜେବି ଜୁନିଅର କଲେଜରେ ଯୁକ୍ତ୨ ପଢ଼ିଥିଲେ। ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକତ୍ତୋର ଶିକ୍ଷା ଶେଷ କରିଛନ୍ତି। ସ୍ନାତକତ୍ତୋର ଶିକ୍ଷା ଗ୍ରହଣ କରିବା ସମୟରେ ସେ ଦୁଇଥର ସିଭିଲ୍ ସର୍ଭିସ୍ ପରୀକ୍ଷା ଲାଗି ଉଦ୍ୟମ କରିଥିଲେ। ତେବେ ତୃତୀୟ ଥରରେ ସଫଳତା ହାସଲ କରିଛନ୍ତି। ଗୋଟିଏ ବର୍ଷ କୋଚିଂ ବି ନେଇଥିଲେ। ୧୨୦ତମ ରୢାଙ୍କରେ ଥିବା ଅନୁପ୍ କୁହନ୍ତି, ସଫଳତାର ଶ୍ରେୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦେବାକୁ ଚାହିଁବି। ଏହି ରୢାଙ୍କ ମିଳିଥିବାରୁ ବହୁତ ଖୁସି ଅଛି। ବାପା, ମା’ଙ୍କ ଆଶୀର୍ବାଦ, ଗୁରୁଜନ, ସାଙ୍ଗ, ଭାଇମାନଙ୍କ ପ୍ରେରଣା ଆଗକୁ ବଢ଼ିବାରେ ସହାୟକ ହେଲା। ସବୁ ସମୟରେ ସମସ୍ତଙ୍କ ସହଯୋଗ ରହିଥିଲା। ଯେଉଁଥିପାଇଁ ଏଭଳି ରୢାଙ୍କ ମିଳିପାରିଛି। ଆଇଏଏସ୍ ମିଳିବ କି ନାହିଁ ଜାଣିନି। ଯଦି ବି ମିଳିବ ତେବେ ଜୀବନରେ ଯାହା ଶିକ୍ଷା ଗ୍ରହଣ କରିଛୁ ଯଥା ସ୍ବାସ୍ଥ୍ୟ, ଶିକ୍ଷାକୁ ଦିଗରେ କାମ କରିବି। ଯାହା ବି କ୍ୟାଡର୍ ମିଳିବ ତାହାର ସଦୁପଯୋଗ କରି ସମାଜ ପାଇଁ କାମ କରିବି। କୋଚିଂ ବର୍ଷେ ନେଇଥିଲି। ପ୍ରସ୍ତୁତି କରିଥିଲି। ପ୍ଲାନିଂ କରି କଠିନ ପରିଶ୍ରମ କରୁଥିଲି।
ନବଲ୍ କୁମାର ଜୈନ (୧୨୫)
ସମ୍ବଲପୁର ଜିଲ୍ଲା କଣ୍ଟାବାଞ୍ଜିର ନବଲ୍ କୁମାର ଜୈନ। ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଶାରେ ରହି ବାଣିଜ୍ୟରେ ଶିକ୍ଷା ଗ୍ରହଣ କରିବା ପରେ ସିଏ(ଚାଟାର୍ଡ ଆକାଉଣ୍ଟାଣ୍ଟ) କରିବା ଲାଗି ରାୟପୁର ଯାଇଥିଲେ। ସେଠାରୁ ନୂଆଦିଲ୍ଲୀକୁ ଯାଇ ସିଭିଲ୍ ସର୍ଭିସ୍ ଲାଗି ପ୍ରସ୍ତୁତ ହୋଲେ। ପିଲାଟି ଦିନରୁ ସିଭିଲ୍ ସର୍ଭିସ୍ରେ ଉତ୍ତୀର୍ଣ୍ଣ ହୋଇ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ନବଲ୍ ଦିଲ୍ଲୀରେ ୩ ବର୍ଷ ଧରି କୋଚିଂ ନେଇଥିଲେ। ବ୍ୟବସାୟୀ ପରିବାରରୁ ଆସିଥିବା ନବଲ୍ଙ୍କ ବାପା, ମା’ ଓ ଦୁଇ ଭଉଣୀଙ୍କ ପ୍ରେରଣା ଆଗକୁ ବଢ଼ିବାରେ ସାହାଯ୍ୟ କରିଥିଲା। ୧୨୫ତମ ରୢାଙ୍କରେ ଥିବା ନବଲ୍ ସଫଳତା ନେଇ କୁହନ୍ତି, ଆଗକୁ ଯାହା ବି ଚାକିର ମିଳିବ ତାହାକୁ ଆଧାର କରି ଲୋକଙ୍କ ସେବା କରିବି। ଲଗାତାର ୩ ବର୍ଷ ଧରି ଯେଉଁ ଉଦ୍ୟମ କରୁଥିଲି ତାହା ଫଳପ୍ରଦ ହୋଇଛି। ଯେଉଁମାନେ ସିଭିଲ୍ ସର୍ଭିସ୍ ଲାଗି ପ୍ରସ୍ତୁତ ହେଉଛନ୍ତି ସେମାନେ ହାର ମାନନ୍ତୁ ନାହିଁ। ପରିଶ୍ରମ କଲେ କେବେ ନା କେବେ ଫଳ ନିଶ୍ଚିତ ମିଳିବ।
ରାହୁଲ୍ ଗୋଏଲ୍ (୧୬୮)
ପଛୁଆ ଅଞ୍ଚଳ ଭାବେ ପରିଗଣିତ ହେଉଥିବା କଳାହାଣ୍ଡି ଜିଲ୍ଲା କେସିଙ୍ଗାର ପୁଅ ରାହୁଲ ଗୋଏଲ୍ ଆଜି ସିଭିଲ୍ ସର୍ଭିସ୍ ପରୀକ୍ଷାରେ ସଫଳତାର ସହ କୃତିତ୍ବ ଅର୍ଜନ କରିଛନ୍ତି। କେସିଙ୍ଗାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ କୋଟାରେ କୋଚିଂ ନେଇଥିଲେ। ପରେ ଆଇଆଇଟି ଖଗଡ଼ପୁରରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ଶିକ୍ଷା ଗ୍ରହଣ କରିବା ସହ ୨୦୧୮ରେ ପ୍ରଥମ ଥର ଲାଗି ବିନା ପ୍ରସ୍ତୁତିରେ ସିଭିଲ୍ ସର୍ଭିସ୍ ପରୀକ୍ଷା ଦେଇଥିଲେ। ଏହାପରଠାରୁ ପ୍ରସ୍ତୁତି ଆରମ୍ଭ କଲେ। ଆଉ ୨୦୧୯ରେ ପରୀକ୍ଷା ଦେଇ ସଫଳତା ହାସଲ କରିଛନ୍ତି।
ରାହୁଲ୍ କୁହନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲାଗି ଏହି ସଫଳତା ମିଳିଛି। ସମାଜର ସେବା କରିବା ପାଇଁ ମୋତେ ଗୋଟିଏ ସୁଯୋଗ ମିଳିଛି। ଯେକୌଣସି ଜାଗାରେ ଯେକୌଣସି ବି କାମ ଦିଆଯିବ ମୁଁ କରିବି। ପରୀକ୍ଷା ପାଇଁ କେତେ ଘଣ୍ଟା ପଢ଼ିବି ସେଥିପ୍ରତି କେବେ ଗୁରୁତ୍ବ ଦେଇ ନାହିଁ। ବରଂ ଯେତିକି ସମୟ ପଢ଼ୁଥିଲି ମନଧ୍ୟାନ ଦେଇ ପଢ଼ୁଥିଲି। ପରୀକ୍ଷା ଲାଗି କୌଣସି କୋଚିଂ ନେଇ ନାହିଁ। ଏବେ ଯେଉଁ ରୢାଙ୍କ ମିଳିଛି ଆଇପିଏସ୍ ହୋଇପାରେ। ତେବେ ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରିବାକୁ ମୋର ଇଚ୍ଛା। ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ କଠିନ ପରିଶ୍ରମ କରନ୍ତୁ। ପ୍ରଥମରୁ ଭାଙ୍ଗିପଡ଼ିବା ଉଚିତ୍ ନୁହେଁ। ଲମ୍ବା ସମୟର ମାନସିକତା ନେଇ ପଢ଼ିବାକୁ ପଡ଼ିବ।
ବେଦଭୂଷଣ (୧୯୫)
ବରଗଡ଼ର ବେଦଭୂଷଣ ଚଳିତବର୍ଷର ୟୁପିଏସ୍ସି ପରୀକ୍ଷାରେ ୧୯୫ ରୢାଙ୍କ ହାସଲ କରିଛନ୍ତି। ପିତା ସୋମଦତ୍ତ ଶାସ୍ତ୍ରୀ ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟରେ ଶିକ୍ଷକ ଏବଂ ମା’ ସୁରଭି ସାହୁ ଜଣେ ଶିକ୍ଷୟିତ୍ରୀ। ନିଜ ସଫଳତା ଉପରେ ଦେବଭୂଷଣ କହନ୍ତି, ଦିନକୁ ୬/୭ ଘଣ୍ଟା ପରିଶ୍ରମ କରୁଥିଲି। ପାଠପଢ଼ାରେ ନିୟମିତତାକୁ ସର୍ବଦା ଗୁରୁତ୍ବ ଦେଉଥିଲି। ପ୍ରଶାସନିକ ଅଧିକାରୀ ହୋଇ ଜନସେବା କରିବା ହିଁ ଲକ୍ଷ୍ୟ ଥିଲା। ବର୍ତମାନ କରୋନା ପାଇଁ ସବୁ ପାଠ୍ୟକ୍ରମ ଅନ୍ଲାଇନ୍ରେ ଉପଲବ୍ଧ। ଏଥିରୁ ଆଶାୟୀମାନେ ଫାଇଦା ନେବା କଥା। ପ୍ରଥମ କଥା ହେଲା, ପାଠପଢ଼ାକୁ ଭଲ ପାଇବା। ଏହାସହିତ କିଛି ପରିଶ୍ରମ କଲେ ସଫଳତା ନିଶ୍ଚିତ। ଲକ୍ଷ୍ୟସ୍ଥଳକୁ ପହଂଚିବାକୁ ହେଲେ ଦୃଢ଼ ଇଚ୍ଛାଶକ୍ତି ମଧ୍ୟ ଜରୁରୀ ବୋଲି ବେଦଭୂଷଣ କୁହନ୍ତି। ସୂଚନାଯୋଗ୍ୟ, ୨୦୧୮ରେ ବେଦଭୂଷଣ ୨୯୩ ରୢାଙ୍କ ରଖି ଭାରତୀୟ ରାଜସ୍ବ ସେବା ପାଇଁ ମନୋନୀତ ହୋଇଥିଲେ।
ଅଙ୍କିତ ଶଙ୍କର ମିଶ୍ର (୨୯୪)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ଅଙ୍କିତ୍ ଶଙ୍କର ମିଶ୍ର ୨୯୪ତମ ସ୍ଥାନରେ ରହିଛନ୍ତି। ସିଭିଲ୍ ସର୍ଭିସ୍ରେ କୃତିତ୍ବ ହାସଲ କରି ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଥିବା ଅଙ୍କିତ୍ ଦିନକୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ। ସଫଳତା ନେଇ ଅଙ୍କିତ କୁହନ୍ତି ଗତଥର ଅପେକ୍ଷା ଏଥର ଆହୁରି ଅଧିକ ପରିଶ୍ରମ କରିଛି। ମହାପ୍ରଭୁ ଜଗନ୍ନାଥ ଓ ବାପା, ମା’ଙ୍କ ଆଶୀର୍ବାଦ ଲାଗି ଆଜି ଭଲ ରୢାଙ୍କ ପାଇଛି। ଜୀବନରେ ଯେତେବେଳେ ବି କୌଣସି ଦ୍ବନ୍ଦ୍ବରେ ପଡ଼େ ସାଙ୍ଗମାନଙ୍କ ସହଯୋଗ, ବାପା, ମା’ଙ୍କ ପରାମର୍ଶ ନେଇ ଆଗକୁ ବଢ଼େ। ଆଇଏଏସ୍ ହୋଇ ଲୋକଙ୍କ ସେବା କରିବାକୁ ବହୁତ ଇଚ୍ଛା ଥିଲା। ତଥାପି ସିଭିଲ୍ ସର୍ଭିସ୍ରେ କୃତକାର୍ଯ୍ୟ ହୋଇଥିବାରୁ ଯେଉଁ ଚାକିରି ପାଇଲେ ବି ଲୋକଙ୍କ ସେବା କରିବି। ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ କାମ କରିବାକୁ ମୋର ଭାରି ଇଚ୍ଛା ରହିଛି। କୋଚିଂ ସମ୍ପର୍କରେ ଅଙ୍କିତ୍ କୁହନ୍ତି, ସିଭିଲ୍ ସର୍ଭିସ୍ର ମକ୍ ଇଣ୍ଟରଭ୍ୟୁ ଲାଗି ଭୁବନେଶ୍ବରର ଆପ୍ଟି ପ୍ଲସରୁ ତାଲିମ ନେଇଥିଲି। ତେବେ୍ ଅନ୍ଲାଇନ୍ କୋଚିଂ ମୋତେ ସହାୟକ ହେଲା। ଅନ୍ଲାଇନ୍ରେ ବହୁତ ତଥ୍ୟ ରହିଛି। ଯଦି ଜଣେ ବ୍ୟକ୍ତି ସବୁ କିଛି ଠିକ୍ ଭାବେ ପଢ଼ିବ ତେବେ ସଫଳତା ପାଇପାରିବ ଏଥିରେ ସନ୍ଦେହ ନାହିଁ।
ସମୀର କୁମାର ଜେନା (୪୪୧)
ମୟୂରଭଞ୍ଜ ଜିଲ୍ଲା ଉଦଳାର ସମୀର କୁମାର ଜେନା। ଉଦଳାରୁ ଦଶମ ଶ୍ରେଣୀ ଶେଷ କରିବା ପରେ ଭୁବନେଶ୍ବର ବିଜେବି ଜୁନିଅର କଲେଜରେ ଯୁକ୍ତ୨ ପଢ଼ିଥିଲେ। ପ୍ରଥମରୁ ଆଇଏଏସ୍ ପରୀକ୍ଷା ଦେବାକୁ ଲକ୍ଷ୍ୟ ରଖିଥିବା ସମୀର ଖଡ଼ଗପୁର ଆଇଆଇଟିରେ ବିଟେକ୍ ଶିକ୍ଷା ଶେଷ କରିବା ପରେ ନୂଆଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ୨୦୧୭ରେ ଇଣ୍ଡିଆନ୍ ରେଭିନ୍ୟୁ ସର୍ଭିସ୍ରେ କୃତିତ୍ବ ଅର୍ଜନ କରି ଏବେ ଟ୍ରେନିଂରେ ଅଛନ୍ତି। ସମୀର କୁହନ୍ତି ଭଗବାନଙ୍କ ଆଶୀର୍ବାଦ ଓ ବାପା, ମା’ଙ୍କ ପ୍ରେରଣା ଲାଗି ଆଜି ଏଭଳି ସଫଳତା ମିଳିଛି। ପରୀକ୍ଷା ଲାଗି ଦିନକୁ ୮ରୁ ୯ ଘଣ୍ଟା ପରିଶ୍ରମ କରୁଥିଲି। ମୋତେ ଯେଉଁ ରୢାଙ୍କ ମିଳିଛି ସେଥିରେ ଆଇପିଏସ୍ ମିଳିବ ବୋଲି ଆଶା। ଏହା ହେଲେ ମୋର କିଛି ଜିନିଷ ଉପରେ ଫୋକସ୍ କରିବି। ପ୍ରଥମର ଦୁର୍ନୀତି ହ୍ରାସ, ପୁଲିସକୁ ପିପୁଲ୍ ଫ୍ରେଣ୍ଡଲି କରିବାକୁ ଉଦ୍ୟମ କରିବି। ପୁଲିସ ପ୍ରତି ଲୋକଙ୍କ ମନରେ ଯେଉଁ ଧାରଣା ବା ଭୟ ରହିଛି ତାହାକୁ ଦୂର କରି ବିଶ୍ବାସ ଜିତିବାକୁ ସର୍ବଦା ପ୍ରୟାସ କରିବି। ଯୁବପିଢ଼ିଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି ସଫଳତା ପାଇଁ ଦୁଇରୁ ତିନି ବର୍ଷ ଦରକାର। କେବେ ଡରିଯିବେ ନାହିଁ। କଠିନ ପରିଶ୍ରମ ଜାରି ରଖନ୍ତୁ। ସଫଳତା ମିଳିବ।
ମାନସ ରଞ୍ଜନ ସାହୁ (୫୬୭)
ରାଉରକେଲା ତହସିଲଦାର ମାନସ ରଞ୍ଜନ ସାହୁ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶ୍ରୀ ସାହୁ ୫୬୭ ରୢାଙ୍କ୍ ରଖି ଏହି ସ୍ବପ୍ନ ସାକାର କରିଛନ୍ତି। ବିଶ୍ରା ବ୍ଲକ ଜରୈକେଲାର ମହେନ୍ଦ୍ର ସାହୁ ଓ ଇନ୍ଦୁ ସାହୁଙ୍କ ଦ୍ବିତୀୟ ସନ୍ତାନ ମାନସ ପିଲାବେଳୁ ମେଧାବୀ ଥିଲେ। ୨୦୦୭ ମସିହାରେ ଦୀପିକା ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ୯୦.୪ ପ୍ରତିଶତ ରଖି ମାଟ୍ରିକ୍ ଓ ୯୧ ପ୍ରତିଶତ ସହ ଯୁକ୍ତ ଦୁଇ ପାସ୍ କରିଥିଲେ। ଏହାପରେ ଆଇଆଇଟି, ଦିଲ୍ଲୀରୁ ଇଲେକ୍ଟ୍ରିକାଲ ଇଂଜିନିଅରିଂରେ ବି.ଟେକ୍ ଶିକ୍ଷା ସମାପ୍ତି ପରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ପ୍ରସ୍ତୁତ ହେଉଥିଲେ। ଏହା ପୂର୍ବରୁ ସେ ୫ ଥର ସିଭିଲ ସର୍ଭିସ୍ ପରୀକ୍ଷା ଦେଇଥିବାବେଳେ ସବୁଥର ପ୍ରିଲିମ୍ ପର୍ଯ୍ୟାୟ ଉତ୍ତୀର୍ଣ୍ଣ ହୋଇଥିଲେ। ଗୋଟିଏ ଥର ମେନ୍ରେ କୃତକାର୍ଯ୍ୟ ହୋଇ ଇଣ୍ଟରଭ୍ୟୁ ମଧ୍ୟ ଦେଇଥିଲେ। ୨୦୧୭ ମସିହାରେ ସେ ଓଏଏସ୍ ପରୀକ୍ଷାରେ ରାଜ୍ୟରେ ଚତୁର୍ଥ ସ୍ଥାନ ଦଖଲ କରିଥିଲେ। ପ୍ରଥମେ ଝାରସୁଗୁଡ଼ାରେ ନିଯୁକ୍ତ ହେବାପରେ ସଂପ୍ରତି ରାଉରକେଲା ତହସିଲଦାର ଭାବେ ଅବସ୍ଥାପିତ। ନିଜର ସଫଳତା ନେଇ ଶ୍ରୀ ସାହୁ କହିଛନ୍ତି, ‘‘ପରିବାର, ଗୁରୁଜନଙ୍କ ଆକୁଣ୍ଠ ସମର୍ଥନ ସବୁବେଳେ ପ୍ରେରଣା ଦେଉଥିଲା। ଲକ୍ଷ୍ୟ ପୂରଣ ପାଇଁ ନିଷ୍ଠାପର ପରିଶ୍ରମ ଅତ୍ୟାବଶ୍ୟକ। ଏଣୁ କେବେ ବି ଏଥିରେ ହେଳା କରିନି। ସିଭିଲ୍ ସର୍ଭିସ୍ ମେନ୍ ପରୀକ୍ଷାବେଳେ ମୁଁ ଓଏଏସ୍ ଟ୍ରେନିଂରେ ଥିଲି। ଦିନସାରା ଟ୍ରେନିଂ ପରେ ସମୟ ବାହାର କରି ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତ ହେଉଥିଲି।’’
ଓମ୍ ପ୍ରସାଦ ମହାନ୍ତି (୭୧୫)
କଟକ ଜିଲ୍ଲା ଆଠଗଡ଼ର ଓମ୍ ପ୍ରସାଦ ମହାନ୍ତି। ଆଠଗଡ଼ରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଢେଙ୍କାନାଳ ସରାଙ୍ଗରେ ଥିବା ଇଞ୍ଜିନିୟରିଂ କଲେଜରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତି ଆରମ୍ଭ କରିବା ସହ ଓଆରଏସ୍(ଓଡ଼ିଶା ରେଭିନ୍ୟୁ ସର୍ଭିସ୍)ରେ ମଧ୍ୟ ସଫଳତା ହାସଲ କରିଥିଲେ। ୭୧୫ତମ ସ୍ଥାନରେ ଥିବା ଓମ୍ ପ୍ରକାଶ କରିଛନ୍ତି ଯେ ପରୀକ୍ଷା ଲାଗି ଦିନକୁ ୬ରୁ ୭ ଘଣ୍ଟା ପରିଶ୍ରମ କରିଥିଲି। ଦିଲ୍ଲୀରେ ଦୁଇ ମାସ କୋଚିଂ ନେଇଥିଲି। ତେବେ ଭଲ ଲାଗିଲା ନାହିଁ ବୋଲି ପଳାଇ ଆସିଲି। ଆଉ ଅନ୍ଲାଇନ୍ ପାଠପଢ଼ା ଉପରେ ଗୁରୁତ୍ବ ଦେଇଥିଲି। ଓଆରଏସ୍ର କୃତିତ୍ବ ହାସଲ ପରେ ଗଞ୍ଜାମରେ ଆଜି କାର୍ଯ୍ୟରେ ଯୋଗଦେବାର ଥିଲା। ତା’ପୂର୍ବରୁ ଏଭଳି ଖବର ମୋତେ ଖୁସି ଦେଇଛି। ଆଗକୁ କିଭଳି ଆହୁରି ଭଲ କରିପାରିବି ସେଥିପ୍ରତି ଗୁରୁତ୍ବ ଦେବି।
ବିଭୂତି ଭୂଷଣ ନାୟକ (୮୧୯)
ଫୁଲବାଣୀ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର କଲିଙ୍ଗ୍ ଗ୍ରାମର ବିଭୂତି ଭୂଷଣ ନାୟକ। ୨୦୧୮ରେ ଓଏଏସ୍ ଓ ଇଣ୍ଡିଆନ୍ ଡିଫେନ୍ସ୍ ଇଷ୍ଟେଟ୍ ସର୍ଭିସ୍(ଆଇଡିଇଏସ୍)ରେ ସଫଳତା ହାସଲ କରିଥିଲେ। ଓଏଏସ୍ ପାଇବା ପରେ ରାଜ୍ୟ ସରକାରଙ୍କ ଅଧୀନରେ କିଛି ଦିନ କାମ କରିବା ପରେ ଆଇଡିଇଏସ୍ରେ ଯୋଗଦେଲେ। ତା’ପରେ ବି ଭାରତୀୟ ପ୍ରଶାସନିକ ସେବାରେ କୃତିତ୍ବ ହାସଲ କରିବା ନିଶା ତାଙ୍କୁ ଆଗକୁ ବଢ଼ିବାରେ ସହାୟକ ହୋଇଥିଲା। ଗତଥର ପ୍ରୟାସ କରି ଅଳ୍ପରେ ବଞ୍ଚିତ ହୋଇଥିଲେ। ଆଉ ଏଥରକ ତାଙ୍କର ୩ ବର୍ଷର ଉଦ୍ୟମ ସଫଳ ହୋଇଛି। ରାଜଧାନୀ କଲେଜରେ ପଢ଼ିବା ସହ ମୁମ୍ବାଇର ଟାଟା ଇନ୍ଷ୍ଟିଚ୍ୟଟ୍ ଅଫ୍ ସୋସିଆଲ୍ ସାଇନ୍ସରେ ଏମ୍ଏସ୍ଡବ୍ଲୁ କରିଥିବା ଶ୍ରୀ ନାୟକ କହିଛନ୍ତି ଯେ ଓଡ଼ିଶାରେ କାମ କରିବାକୁ ଇଚ୍ଛା ରହିଛି। ଆଗରୁ ରାୟଗଡ଼ା ଓ ମାଲକାନଗିରିରେ ଲୋକଙ୍କ ପାଇଁ କାମ କରିଥିଲି। ଆଗକୁ ବି ସମସ୍ତଙ୍କ ପାଇଁ ସେବା କରିବାକୁ ଲକ୍ଷ୍ୟ ରଖିଛି। ବାପା, ମା’, ଗୁରୁଜନଙ୍କ ଆଶୀର୍ବାଦ, ଗଣମାଧ୍ୟମର ଉତ୍ସହ ଆଜି ମୋତେ ସଫଳତା ଆଣି ଦେଇଛି। ଏଥିସହ ଭୁବନେଶ୍ବରର ଆପ୍ଟି ପ୍ଲସ, ଭାଜିନ୍ଦ୍ରମ୍ ଓ ନୂଆଦିଲ୍ଲୀର ସଂକଳ୍ପ କୋଚିଂ ସେଣ୍ଟରରୁ ନେଇଥିବା ତାଲିମ ବହୁତ ସହାୟକ ହେଲା।