ବୈଜୟନ୍ତଙ୍କୁ ବିଜେପି କାର୍ଯ୍ୟାଳୟରେ ସ୍ବାଗତ

ଭୁବନେଶ୍ବର : ନୂଆଦିଲ୍ଲୀରେ ବିଜେପିରେ ଯୋଗ ଦେଲା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ଭୁବନେଶ୍ବର ଫେରିଛନ୍ତି। ବିମାନବନ୍ଦରରେ ତାଙ୍କର ବହୁ ସମର୍ଥକ ଓ ବିଜେପିର କର୍ମକର୍ତ୍ତା ତାଙ୍କୁ ସ୍ବାଗତ କରିଥିଲେ। ଏହା ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ଦଳର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ଏକ ସ୍ବାଗତ ଉତ୍ସବର ଅ‌ାୟୋଜନ କରାଯାଇଥିଲା।

ବୈଜୟନ୍ତଙ୍କୁ ସ୍ବାଗତ କରି ‌କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ବୈଜୟନ୍ତଙ୍କୁ ବିଜେଡିରେ ଅସମ୍ମାନ କରାଗଲା। ତାଙ୍କୁ ଅଣ୍ଡା ମରାଯିବା ସହ ଅପମାନିତ କରାଯିବାରୁ ସେ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ମାତ୍ର ବୈଜୟନ୍ତଙ୍କ ଯୋଗଦାନ କ’ଣ ପ୍ରଭାବ ପକାଇବ ବୋଲି ବିଜେପି ପକ୍ଷରୁ କିଛି କୁହାଯିବା ପୂର୍ବରୁ ବିଜେଡିର ଗୁମାସ୍ତାମାନେ ତାଙ୍କ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି କହୁଛନ୍ତି। ବିଜେଡି ନିଜ ଘର ସମ୍ଭାଳିବା ଅସମ୍ଭବ ହେଲାଣି। ଓଡ଼ିଶା ବିଜେପିରେ ଶ୍ରୀ ପଣ୍ଡାଙ୍କ ଉପସ୍ଥିତି ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାକୁ ଯାଉଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଥିଲେ, ବିଜେପି ସମସ୍ତଙ୍କୁ ଆଶା ଠାରୁ ଅଧିକ ସୁଯୋଗ ଓ ସମ୍ମାନ ଦେଇଛି। ଏହି ଦଳ କାହାରିକୁ ନିରାଶ କରିନି। ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଥିଲେ, ବିଜେଡି ସରକାର ମିଥ୍ୟାର ସୌଦାଗର। ରାଜ୍ୟରେ ଚାଲିଥିବା ଅପାରଗ ବିଜେଡି ସରକାର ବଦଳିବା ଦରକାର। ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ବ୍ୟକ୍ତି ଆଧାରିତ ଦଳକୁ ଆମେ ହରାଇ ବିଜେପିକୁ ବିଜୟୀ କରାଇବାକୁ ଶପଥ ନେବା।

ସମ୍ବର୍ଦ୍ଧନା ଗ୍ରହଣ କରି ବୈଜୟନ୍ତ କହିଥିଲେ, ଦେଶର ଅର୍ଥନୈତିକ କ୍ଷେତ୍ର, ଦେଶର ସୁରକ୍ଷା ଓ ଆତଙ୍କବାଦ ବିରୋଧରେ ମୋଦୀ ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ପ୍ରଭାବଶାଳୀ ହୋଇଛି। ମୋଦୀଙ୍କ ସୁଶାସନ ଯୋଗୁ ଦେଶରେ ଦୁର୍ନୀତି କମିଛି। କିନ୍ତୁ ଓଡ଼ିଶାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟକୁ ଗଲେ ଅନେକ ପ୍ରକାର ହିନସ୍ତା ହେବାକୁ ପଡ଼ୁଛି। ୨୨ ବର୍ଷ ଭିତରେ ବିଜେଡି ବହୁତ ବଦଳି ଯାଇଛି। ହିଂସାକାଣ୍ଡକୁ ବିରୋଧ କରିବା ପାଇଁ ବିଜେଡି ଗଠନ ହୋଇଥିଲା। କିନ୍ତୁ ତାହା ଆଜି ଓଲଟିଯାଇଛି। ବିଜେଡି ଏବେ ହିଂସାକୁ ପ୍ରଶ୍ରୟ ଦେଉଛି। ପିସି ନ ଦେଇ ପିଇବା ପାଣି ପ୍ରକଳ୍ପ କଲି ବୋଲି ମୋତେ ଢେଲା ମାଡ଼ ହେଲା। ଓଡ଼ିଶାର ଲୋକ ପରିବର୍ତ୍ତନ ଚାହୁଁଛନ୍ତି।

ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ, ମନମୋହନ ସାମଲ, ଜୟନାରାୟଣ ମିଶ୍ର, ସୁରମା ପାଢ଼ୀ, ପୂର୍ବତନ ରାଜ୍ୟ ସଭାପତି ସୁରେଶ ପୂଜାରୀ, ପୂର୍ବତନ ବିଧାୟକ ପ୍ରତାପ ଷଡ଼ଙ୍ଗୀ, ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର