ବ୍ୟାସନଗର: ଯାଜପୁରରୋଡ୍ ରେଳ ଷ୍ଟେସନରେ ଆଜି ବନ୍ଦେ ଭାରତ ଏକ୍ସପ୍ରେସକୁ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଥିଲା। ଏଠାରେ ଏହି ଟ୍ରେନ୍ ୧୦ ମିନିଟ ପୂର୍ବରୁ ପହଞ୍ଚିବା ଲୋକଙ୍କ ଖୁସିକୁ ଦ୍ବିଗୁଣିତ କରିଥିଲା। ଶବ୍ଦଶୂନ୍ୟ ଇଞ୍ଜିନ, ଦ୍ରୁତ ଗତି, ସ୍ବୟଂଚାଳିତ କବାଟ (ଅଟୋମେଟିକ ଡୋର), ସଂପୂର୍ଣ୍ଣ ବାତାନୁକୂଳ ବ୍ୟବସ୍ଥା (ସେଣ୍ଟ୍ରାଲ ଏସି), ଆରାମଦାୟକ ଚେୟାର (ପୁସ୍ ବ୍ୟାକ୍), ଉଭୟ ପାର୍ଶ୍ବରେ ଇଞ୍ଜିନ ଓ ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧାସୁଯୋଗ ଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ବାଗତ କରିବା ଲାଗି ଷ୍ଟେସନରେ ଭିଡ଼ ଜମିଥିଲା। ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ଏହି ପରୀକ୍ଷାମୂଳକ ଚଳାଚଳ ଆଜି ସକାଳୁ ୬ ଟା ୧୦ ମିନିଟରୁ ହାୱଡ଼ାରୁ ଆରମ୍ଭ ହୋଇଥିଲା।
ଖଡ଼ଗପୁର, ବାଲେଶ୍ବର ଓ ଭଦ୍ରକ ଅତିକ୍ରମ କରି ଯାଜପୁର ରୋଡ୍ ରେଳଷ୍ଟେସନରେ ଏହା ୧୦ ଟା ୨୩ ମିନିଟିରେ ପହଞ୍ଚିବାକୁ ଥିବାବେଳେ ୧୦ ମିନିଟ ପୂର୍ବରୁ ଅର୍ଥାତ ୧୦ ଟା ୧୫ ମିନିଟରେ ପହଞ୍ଚିଥିଲା। ୧୦ଟା ୨୫ ମିନିଟରେ ଛାଡ଼ିଥିଲା। ଯାଜପୁରରୋଡ୍ରୁ ପୁରୀ ପହଞ୍ଚିବାକୁ ମାତ୍ର ୨ ଘଣ୍ଟା ୫ ମିନିଟ ଲାଗିଥିଲା। ରେଳବାଇ କର୍ମଚାରୀ, ଆରପିଏଫ, ସହରବାସୀ, ସ୍ଵେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଵାଗତ କରାଯାଇଥିଲା। ଗାଡ଼ିର ଗତି ଘଣ୍ଟାପ୍ରତି ବେଗ ସର୍ବାଧିକ ୧୪୦ କିଲୋମିଟର ଥିବାବେଳେ ଯାତ୍ରୀଙ୍କ ପାଇଁ ୧୪ ଗୋଟି ବଗି ରହିଛି।
ଭଦ୍ରକରୁ ଯାଜପୁର ରୋଡ୍ ୩୦ ମିନିଟ ସମୟ ଲାଗୁଛି। ବନ୍ଦେ ଭାରତ ଟ୍ରେନ ଯାଜପୁର ରୋଡ୍ରୁ ପୁରୀ ୨ ଘଣ୍ଟା ସମୟ ଲାଗୁଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ହାଓ୍ବଡ଼ାରୁ ପୁରୀ ୬ ଘଣ୍ଟା ୨୫ ମିନିଟ୍ ଲାଗୁଥିବାବେଳେ ମାତ୍ର ୪ ଘଣ୍ଟା ମଧ୍ୟରେ ହାୱଡ଼ାରୁ ଆସି ଯାଜପୁର ରୋଡ୍ ଷ୍ଟେସନରେ ପହଞ୍ଚି ପାରୁଛି। ସାଧାରଣ ଟ୍ରେନ୍ ତୁଳନାରେ ଏହି ଟ୍ରେନରେ ଦୁଇ ଘଣ୍ଟା କମ୍ ସମୟ ଲାଗୁଛି। ଷ୍ଟେସନ ମାଷ୍ଟର ସମୀର ସ୍ଵାଇଁ, ଆରପିଏଫ ଅଧିକାରୀ ପ୍ରବୀଣ କୁମାର, ସବ୍ଇନ୍ସପେକ୍ଟର ଚନ୍ଦନ ତିୱାରୀ, ଅମ୍ରିତା ସରକାର, କନେଷ୍ଟବଳ ସୋମନାଥ ମହାରଣା, ଯାମିନୀ ସିଂ, ପଦ୍ମନାଭ ସେଠୀ, ସଦାଶିବ ଦାସ, ନିରଞ୍ଜନ ଘଡ଼ାଇ, ପ୍ରଶାନ୍ତ ବୋଇତାଇ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/8-23.jpg)