ଇକୋ-ରିଟ୍ରିଟ୍‌କୁ ସ୍ବାଗତ, ଅନ୍ୟ ପର୍ଯ୍ୟଟନ କ୍ଷେତ୍ରକୁ ନା

ଦ୍ବନ୍ଦ୍ବରେ ରଖୁଛି ପ୍ରଶାସନ, ଆଶଙ୍କା‌ରେ ପର୍ଯ୍ୟଟକ

ଫୁଲବାଣୀ: ଶୀତଋତୁ ଆରମ୍ଭ ହୋଇଯାଇଛି। ଏହି ସମୟରେ କନ୍ଧମାଳକୁ ଆସି ବାହାର ପର୍ଯ୍ୟଟକ ଶୀତରୁ ମଜା ଉଠାଇଥାନ୍ତି। ଏଥି ସହ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗହଳିଚହଳି ଲାଗି ରହିଥାଏ। ହେଲେ ଚଳିତ ବର୍ଷ କରୋନା ମହାମାରୀ ପାଇଁ ପର୍ଯ୍ୟଟନ କ୍ଷେତ୍ର ସବୁ ଖାଖାଁ ହୋଇପଡିଛି। ଗତ ମାସ ବାହାର ପର୍ଯ୍ୟଟକ କନ୍ଧମାଳକୁ ନ ଆସିବାକୁ ଅନୁରୋଧ କରି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଥିଲା। ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା। ପ୍ରଶାସନର ଏଭଳି ନିର୍ଦ୍ଦେଶନାମା ବଳବତ୍ତର ରହିଛି। ନିର୍ଦ୍ଦେଶନାମା ଉଠିବା ନେଇ ପ୍ରଶାସନର ସୂଚନା ନାହିଁ। ଏହାକୁ ନେଇ ବାହାର ପର୍ଯ୍ୟଟକ କନ୍ଧମାଳକୁ ଆସିବା ନେଇ ଆଶା ଆଶଙ୍କାରେ ଅଛନ୍ତି। ଏଭଳି ସ୍ଥଳେ ଗତକାଲି ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଇକୋ-ରିଟ୍ରିଟ୍ ଲୋକାର୍ପିତ ହୋଇଯାଇଛି। ଏହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ। ଆଉ ପର୍ଯ୍ୟଟନ ଶିଳ୍ପର ବିକାଶ ହେବ ବୋଲି ପ୍ରଶାସନ କହିଛି। ଯଦିଓ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଇକୋ-ରିଟ୍ରିଟ୍‌ ଖୋଲୁଛି। ତାହା ହେଲେ କନ୍ଧମାଳର ପ୍ରକୃତି ମନଲୋଭା ପର୍ଯ୍ୟଟନ କ୍ଷେତ୍ର ଉପରେ କଟକଣା କଣ ପାଇଁ? ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଶୀତରୁତୁରେ କନ୍ଧମାଳକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ପ୍ରାୟତଃ ୩ ମାସ ଧରି ସବୁ ପର୍ଯ୍ୟଟନ କ୍ଷେତ୍ରରେ ଗହଳିଚହଳି ଲାଗିରହେ। ଏହା ଦ୍ବାରା ହୋଟେଲ ଓ ଲଜ୍‌ ମାଲିକ ବେଶ ଭଲ ବେପାର କରିଥାନ୍ତି। ଆଉ ପର୍ଯ୍ୟଟନ କ୍ଷେତ୍ର ପାଖରେ ଥିବା ଛୋଟ‌ବଡ ଦୋକାନୀ ବି ଦିପଇସା ପାଇଥାନ୍ତି। ହେଲେ ଏ ବର୍ଷ କରୋନା କଟକଣା ପାଇଁ ୮ ମାସ ହେଲା ହୋଟେଲ ଓ ଲଜ୍‌ ସବୁ ବନ୍ଦ ରହିଛି। ଛୋଟବଡ ଦୋକାନୀ ବି ହାତବାନ୍ଧି ବସିଛନ୍ତି। ସମସ୍ତେ କଟକଣା ଉଠିବ ବୋଲି ଆଶା କରିଥିଲେ। ହେଲେ ଶୀତରେ କରେନା ତାର ପ୍ରଭାବ ବେଶୀ ଦେଖାଇବ ବୋଲି ବିଶେଷଜ୍ଞମାନେ କହିବା ପରେ ଆଶା ମଉଳିଗଲା। ଏଭଳିସ୍ଥଳେ ସରକାରଙ୍କ ଗାଇଡ୍‌ଲାଇନ ଅନୁଯାୟୀ ଜିଲ୍ଲା ପ୍ରଶାସନ ଗତ ମାସ ୪ ତାରିଖରେ କନ୍ଧମାଳକୁ ବାହାର ପର୍ଯ୍ୟଟକ ନ ଅସିବାକୁ ଅନୁରୋଧ ସହ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ନଭେମ୍ବର ୩୦ ପର୍ଯ୍ୟନ୍ତ ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି କୁହାଯାଇଥିଲା। ନଭେମ୍ବର ୩୦ ଗଲା। ଡିସେମ୍ବର ୧୦ ହେଲା। ହେଲେ ନିର୍ଦ୍ଦେଶନାମା ବଳବତ୍ତର ରହିଛି ନାଁ ଉଠିଲା ବୋଲି ପ୍ରଶାସନ କହିନାହିଁ। ପୁନଃ ନିର୍ଦ୍ଦେଶନାମା ବି ଜାରି କରି ନାହିଁ। ଏ ନେଇ ପ୍ରଶାସନ ଦ୍ବନ୍ଦରେ ରଖିଥିବା ବେଳେ ଆଶଙ୍କାରେ ଅଛନ୍ତି ବାହାର ପର୍ଯ୍ୟଟକ।

ଇକୋ-ରିଟ୍ରିଟ୍ ଲୋକାର୍ପିତ ହେବା ପରେ କିଛି ପର୍ଯ୍ୟଟନ କ୍ଷେତ୍ର ଖୋଲିବା ଆରମ୍ଭ କରିଛି। ଯେମିତି ଦାରିଙ୍ଗବାଡିର କଫି ବଗିଚା ଓ ନେଚର ପାର୍କ ଖୋଲିବା‌ ଆରମ୍ଭ କରିଛି। ହେଲେ ପର୍ଯ୍ୟଟକଙ୍କ ଦେଖା ନାହିଁ। ବାକି ଅନ୍ୟ ସବୁ ପର୍ଯ୍ୟଟନ କ୍ଷେତ୍ର ଏବେ ବି ବନ୍ଦ ରହିଛି। ଇକୋ-ରିଟ୍ରିଟ୍‌ରେ ରହିବା ଓ ଖାଇବା ପାଇଁ ଯେଉଁ ମୂଲ୍ୟ ରଖାଯାଇଛି ତାହା ସାଧାରଣ ଲୋକଙ୍କ ପାଇଁ ନୁହେଁ। ବିତ୍ତଶାଳୀ ହିଁ ଏଥରୁ ସୁବିଧା ନେଇ ପାରିବେ। ଏହା ଦ୍ବାରା ପର୍ଯ୍ୟଟନ ବିଭାଗର ରାଜସ୍ବ ବଢ଼ିବ ସତ। ହେଲେ ବାହାର ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବେପାର ଲକ୍ଷ୍ୟରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ହୋଟେଲ ଓ ଲଜ ନିର୍ମାଣ କରିଥିବା ମାଲିକମାନେ କିଛି ଲାଭ ପାଇବେ ନାହିଁ। ଆଉ ଛୋଟବଡ ଦୋକାନୀଙ୍କୁ କିଛି ଫାଇଦା ମିଳିବ ନାହିଁ। ଏବେ ବି ବାହାର ପର୍ଯ୍ୟଟକଙ୍କ ଆଗମନକୁ ସେମାନେ ସବୁ ଅପେକ୍ଷା କରି ବସିଛନ୍ତି। ତେଣୁ ‌କୋଭିଡ୍‌ ନିୟମ ପାଳନ କରିବା ସ୍ବରୂପ ଜିଲ୍ଲା ପ୍ରଶାସନ ଏ ନେଇ ଏକ ବଡ଼ ନିଷ୍ପତ୍ତି ନେବା ଜରୁରୀ ହୋଇପଡ଼ଛି।

ସମ୍ବନ୍ଧିତ ଖବର