ଝାରସୁଗୁଡ଼ା: ପୁରୁଷ ବିଶ୍ବକପ୍ ହକି ଟ୍ରଫିକୁ ବୁଧବାର ଝାରସୁଗୁଡ଼ାରେ ବିପୁଳ ସ୍ବାଗତ କରାଯାଇଛି। ଝାରସୁଗୁଡ଼ା ପ୍ରବେଶପଥ ଖେରୁଆଳ ବ୍ରିଜ ନିକଟରୁ ଟ୍ରଫିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବାଗତ କରାଯିବା ପରେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହା ପରେ ଟ୍ରଫିକୁ ବଡ଼ମାଲଠାରେ ବିପୁଳ ସ୍ବାଗତ କରାଯାଇଥିଲା। ଏଠାରେ ବିଭିନ୍ନ ପଞ୍ଚାୟତର ପ୍ରତିନିଧି ଓ ଗ୍ରାମବାସୀ ରାସ୍ତାର ଉଭୟ କଡ଼ରେ ଛିଡ଼ା ହୋଇ ବିଭିନ୍ନ ବାଦ୍ୟ ଓ ନୃତ୍ୟ ସହିତ ସ୍ବାଗତ କରିଥିଲେ। ଏହାପରେ ବିଜୁ ପଟ୍ଟନାୟକ ଛକ ହୋଇ ଟ୍ରଫିକୁ ସୁନାରିମୁଣ୍ଡା ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା।
ସୁନାରିମୁଣ୍ଡା ଛକରେ ବେଦାନ୍ତ କାରଖାନା ପକ୍ଷରୁ ସିଇଓ ସୁନିଲ ଶର୍ମାଙ୍କ ନେତୃତ୍ବରେ କର୍ମଚାରୀମାନେ ଭବ୍ୟ ସ୍ବାଗତ କରିଥିଲେ। ଏହି ଛକରୁ ବିଭିନ୍ନ ସାଂସ୍କୃତିକ ଦଳର ନୃତ୍ୟ, ଘଣ୍ଟବାଦ୍ୟ, ବ୍ୟାଣ୍ଡବାଜା ଓ ବାଇକ ରାଲି କରି ବିଭିନ୍ନ ସଂସ୍ଥା, ସ୍ବେଚ୍ଛାସେବୀ, କ୍ରୀଡ଼ାସଂଘର ସଦସ୍ୟମାନେ ମନମୋହନ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ଟ୍ରଫିକୁ ସୁନାରିମୁଣ୍ଡା ନିକଟରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ସ୍ବାଗତ କରିଥିଲେ। ମନମୋହନ ସ୍କୁଲରେ ପହଞ୍ଚିବା ପରେ ସାଂସଦ ସୁରେଶ ପୂଜାରୀ, ଜିଲ୍ଲାପାଳ ସରୋଜ ସାମଲ, ଏସ୍ପି ରାହୁଲ ଜୈନ, ଏଡିଏମ୍ ପ୍ରବୀର ନାୟକ, ପୌରାଧ୍ୟକ୍ଷା ରାନୀ ହାତୀ ପ୍ରମୁଖଙ୍କ ସମେତ ବହୁ କ୍ରୀଡ଼ାବିତ, ହକି ସଂଘ, ଜିଲ୍ଲା କ୍ରୀଡ଼ା ସଂଘ ବିଭିନ୍ନ କ୍ଲବର ସଦସ୍ୟ, ଡିଏଭି ତଥା ଅନ୍ୟାନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଟ୍ରଫିକୁ ନେଇ ସଭାରେ ସ୍ଥାପନ କରିଥିଲେ। ଏହି ଅବସରରେ ମହିଳା ହକି ଟିମ୍ର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନଙ୍କୁ ମୁଖ୍ୟ ଅତିଥି ସାଂସଦ ସୁରେଶ ପୂଜାରୀ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଜୟ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ଟ୍ରଫି ଟୁର୍ କାର୍ଯ୍ୟକ୍ରମ ମନମୋହନ ସ୍କୁଲ ପଡ଼ିଆରୁ ବାହାରି ଝଣ୍ଡାଚୌକ, ଷ୍ଟେସନ ଛକ, ବସଷ୍ଟାଣ୍ଡ ଛକ, କାଳିମନ୍ଦିର, ବଢ଼େଇମୁଣ୍ଡା ଦେଇ କୋଲାବିରା ଯାଇଥିଲା।