ଦେବଗଡ଼ : ଓଡ଼ିଶାରେ ପରିଭ୍ରମଣ କରୁଥିବା ହକି ବିଶ୍ୱକପ୍ ଟ୍ରଫି ବୁଧବାର ରାତିରେ ଦେବଗଡ଼ ଜିଲ୍ଲାରେ ପହଞ୍ଚିଥିଲା। ତେବେ ଗୁରୁବାର ସକାଳେ ହକି ବିଶ୍ବକପ୍ ଟ୍ରଫିକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ଆଇ ଲଭ ଦେବଗଡ଼’ ଠାରେ ହକି ବିଶ୍ୱକପ୍କୁ ସ୍ବାଗତ କରାଯାଇଥିଲା। ପରେ ବିଭିନ୍ନ ପ୍ରକାର ବାଦ୍ୟ ଯନ୍ତ୍ରର ତାଳେ ତାଳେ ଟ୍ରଫିକୁ ସହର ପରିକ୍ରମା କରାଯାଇଥିଲା। ଏହି ରାଲିରେ ସ୍ଵୟଂ ସହାୟକ ଗୋଷ୍ଠୀ, ବେସରକାରୀ ବସ୍ ମାଲିକ ସଂଘ, ବଣିକ ସଂଘ, ଲାୟନ୍ସ କ୍ଲବ୍, ଗଣେଶ ପୂଜା କମିଟି, ଆଦିବାସୀ ମହାସଂଘ, ବରିଷ୍ଠ ନାଗରିକ, ୧୯୮୯ ମ୍ୟାଟ୍ରିକ ଵ୍ୟାଚ୍, ସଙ୍ଗମ ଆଣ୍ଡ ସଙ୍ଗମ ତଥା ବିଭିନ୍ନ ସାମାଜିକ ଅନୁଷ୍ଟାନ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ, ରାଜନୈତିକ ବ୍ୟକ୍ତିମାନେ ସାମିଲ ହୋଇଥିଲେ।
ରାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ବାହାରି ପୋଷ୍ଟ ଅଫିସ ଛକ, ବସଷ୍ଟାଣ୍ଡ, ଗୋପବନ୍ଧୁ ଛକ, ହାତୀଶାଳ ଛକ, ଓଲଟ ବଟ ଛକ ଦେଇ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ପହଞ୍ଚିଥିଲା। ଷ୍ଟାଡିୟମରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏହି ସଭାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ ପ୍ରଧାନ, ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଇ ଓ ଡିଏଫ୍ଓ ମଗର ଧାନଜୀ ରାଧସୋ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲାରେ ହକି ଖେଳରେ ଗୌରବ ଆଣିଥିବା ଆନ୍ତର୍ଜାତିକ ହକି ଖେଳାଳି ରୋଶନ ମିଞ୍ଜ, ଆଶିଷ ଟପ୍ନୋ, ରଶ୍ମିତା ମିଞ୍ଜ, ଆନନ୍ଦ ତିର୍କି ଓ ଜୁନିଅର ହକି ଗୋଲ୍ଡ ମେଡାଲଲିଷ୍ଟ ତିଶା ବାରିକ, ନିଶା ବାରିକ୍, ଜିତ ବାରିକ୍, ସୁସ୍ମିତା ସିଂହ ଓ ସୁରେନ୍ ଏକ୍କାଙ୍କୁ ସମ୍ମାନିତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଟ୍ରଫିକୁ ସ୍ବାଗତ ଅବସରରେ ରାଲିରେ ତଥା ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ସଂଯାଜନା କରିଥିଲେ। ତେବେ ବିଶ୍ବକପ ହକି ଟ୍ରଫିଟି କ୍ରୀଡ଼ା ବିଭାଗର ବରିଷ୍ଠ ଅଧିକାରୀ ସଂବିତ ଗଡନାୟକ ଓ ଶାଶ୍ବତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଦେବଗଡରେ ପହଞ୍ଚିଥିଲା। ପରେ ଟ୍ରଫିକୁ ଏକ ଶୋଭାଯାତ୍ରାରେ ପ୍ରଧାନପାଟ ଜଳପ୍ରପାତ ନିକଟକୁ ନିଆଯାଇଥିଲା।