ସ୍କୁଲ ଲାଇବ୍ରେରି ବହି କିଣା ପ୍ରକ୍ରିୟାକୁ ସ୍ବାଗତ, ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଓଡ଼ିଆ ପ୍ରକାଶକ ସମୂହ

ଭୁବନେଶ୍ବର : ସ୍କୁଲ ଲାଇବ୍ରେରି ବହି କିଣିବା ଲାଗି ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ଓଡ଼ିଆ ପ୍ରକାଶକ ସମୂହ ପକ୍ଷରୁ ସ୍ବାଗତ କରାଯାଇଛି। ଓଡ଼ିଶାର ପ୍ରମୁଖ ପ୍ରକାଶକମାନଙ୍କୁ ନେଇ ଗଠିତ ଏହି ସମୂହ ପୁସ୍ତକ ଚୟନ ପ୍ରକ୍ରିୟାକୁ ସ୍ବାଗତ କରିବା ସହ ପୁସ୍ତକ କ୍ରୟ କାର୍ଯ୍ୟକ୍ରମ ଯଥାବିଧି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି। ସେମାନେ ପତ୍ର ମାଧ୍ୟମରେ ଦର୍ଶାଇଛନ୍ତି ଯେ ଓସେପା ପକ୍ଷରୁ ପ୍ରକାଶକଙ୍କଠାରୁ ‘ଆଗ୍ରହ-ଅଭିବ୍ୟକ୍ତି’(ଏକ୍ସପ୍ରେସନ୍ ଅଫ୍‌ ଇଣ୍ଟ୍ରେଷ୍ଟ) ଆହ୍ବାନ କରାଯାଇଛି। ଗତ ମାସରେ ପ୍ରକାଶକଙ୍କ ସହ ପରାମର୍ଶ କରି ଓସେପା କର୍ତ୍ତୃପକ୍ଷ ଇଓଆଇରେ ଆବଶ୍ୟକ ପରିବର୍ତନ କରିଛନ୍ତି। ଗତ ୧୮ ଓଇଆଇ ଦାଖଲର ଶେଷ ତାରିଖ ଥିଲା ଏବଂ ବହୁ ସଂଖ୍ୟକ ପ୍ରକାଶକ ଏଥିରେ ଭାଗ ନେଇଥିଲେ। ମାତ୍ର ଦୁଇଜଣ ବ୍ୟକ୍ତି ଏହି ପ୍ରକ୍ରିୟା ବନ୍ଦ କରିବା ପାଇଁ ଆପଣଙ୍କୁ ଚିଠି ଲେଖିଥିବା ଗଣମାଧ୍ୟମରୁ ସୂଚନା ପାଇଛୁ। ଏହି ଦାବି ସହ ଆମେ ସହମତ ନୋହୁଁ। କୋଭିଡ୍‌ ଯୋଗୁ ଦୁଇ ବର୍ଷ ଧରି ରାଜ୍ୟରେ ପ୍ରକାଶନ ଶିଳ୍ପ ରୁଗ୍‌ଣ ହୋଇପଡ଼ିଥିବା ବେଳେ ସରକାରଙ୍କ ପୁସ୍ତକ କ୍ରୟ ନିଷ୍ପତ୍ତିକୁ ଆମେ ସ୍ଵାଗତ କରୁଛୁ। ଏହାଦ୍ବାରା ରାଜ୍ୟର ପ୍ରକାଶକମାନେ ଉପକୃତ ହେବେ ବୋଲି ଆଶା କରୁଛୁ।

ଓସେପା କର୍ତ୍ତୃପକ୍ଷ ଜଣେ ପ୍ରକାଶକଙ୍କଠାରୁ ସର୍ବନିମ୍ନ ୧୮ଟି ବହି ମାଗିଛନ୍ତି। ଯଦି ଜଣେ ପ୍ରକାଶକ ଗତ ୫ ବର୍ଷରେ ମାତ୍ର ୧୮ଟି ବହି ଛପାଇ ପାରିନାହାନ୍ତି ଏବଂ ସେହି କାରଣରୁ ଇଓଆଇ ପକ୍ରିୟାକୁ ବିରୋଧ କରୁଛନ୍ତି, ତେବେ ସେ କେଉଁ ଦୃଷ୍ଟିରୁ ଜଣେ ପ୍ରକାଶକ, ତାହା ସରକାର ବିଚାର କରିବେ। ଗତବର୍ଷ ଜଣେ ପ୍ରକାଶକ ଅତି କମ୍‌ରେ ୨୦ ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ଉଚିତ ବୋଲି ଓସେପା କର୍ତ୍ତୃପକ୍ଷ ପ୍ରଥମେ ଇଓଆଇରେ ଉଲ୍ଲେଖ କରିଥିଲେ। ଏହାକୁ ୫ ଲକ୍ଷ ଟଙ୍କାକୁ କମାଇବା ପାଇଁ ଦାବି କରିଯିବା ପରେ ସରକାର ସାନି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଯେଉଁ ବ୍ୟକ୍ତି ଏହାକୁ ବିରୋଧ କରୁଛନ୍ତି, ସେମାନଙ୍କର ଭିନ୍ନ ସ୍ବାର୍ଥ ଅଛି ବୋଲି ବୁଝିବାକୁ ହେବ। ଅଭିଯୋଗ ଉଠାଇଥିବା ଦୁଇ ବ୍ୟକ୍ତି ପ୍ରି-ଇଓଆଇ ବୈଠକରେ ଭାଗ ନେଇ ନିଜର ଅଭିଯୋଗ ଓ ପରାମର୍ଶ ଉପସ୍ଥାପନ କରିବାକୁ ସରକାର ପର୍ଯ୍ୟାପ୍ତ ସୁଯୋଗ ଦେଇଥିଲେ ମଧ୍ୟ ଅନୁପସ୍ଥିତ ଥିଲେ। ସେମାନେ ବିଭିନ୍ନ ସମୟରେ ସରକାରଙ୍କୁ ଚିଠି ଲେଖି ପ୍ରକାଶକଙ୍କ ସ୍ୱାର୍ଥ ହାନି କରିବା ସହ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ପୁସ୍ତକ ପଠନରୁ ବିରତ କରିବା ପାଇଁ ହୀନ ଉଦ୍ୟମ କରୁଛନ୍ତି। ସେମାନଙ୍କ ମନ୍ଦ ଉଦ୍ଦେଶ୍ୟ ବାବଦରେ ସରକାର ତଦନ୍ତ କରନ୍ତୁ ବୋଲି ପ୍ରକାଶକମାନେ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର