‘୧୨୦+ ଲକ୍ଷ୍ୟ ହାସଲ ପାଇଁ ସଂଘର୍ଷ ଜାରି ରହିବ’

ଦଳ ମହାନ, ତାହା ପ୍ରତି ଆନୁଗତ୍ୟ ରହୁ : ପ୍ରତାପ, ରାଜ୍ୟ ବିଜେପି ପକ୍ଷରୁ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଭୁବନେଶ୍ବର : ରାଜନୈତିକ କାର୍ଯ୍ୟକର୍ତ୍ତା ଯେତେବେଳେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ନିଜ ବିଚାରଧାରା ଅନୁଯାୟୀ ଅକ୍ତିଆର ନ କରିପାରେ, ସେ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିବା ଦରକାର। ୧୨୦+ ଲକ୍ଷ୍ୟ ଯେ ପର୍ଯ୍ୟନ୍ତ ପୂରଣ ହୋଇପାରି ନାହିଁ, ସେ ପର୍ଯ୍ୟନ୍ତ ବିଜେପିର ସଂଘର୍ଷ ଜାରି ରହିବ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ପରେ ଓଡ଼ିଶା‌ର ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ଆଜି ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସିଥିଲେ। ଅପରାହ୍ନରେ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ବିଜେପି ପକ୍ଷରୁ ଉଭୟଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଦୁଇ ଜଣଙ୍କ ସହ ନବନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଗ୍ରହଣ କରି ଶ୍ରୀ ପ୍ରଧାନ କହିଥିଲେ, ୨୦୧୪ରେ ଦେଶରେ ମୋଦୀଙ୍କ ନାଁରେ ବଡ଼ ଆସ୍ଥା ତିଆରି ହୋଇପାରିଥିଲେ ମଧ୍ୟ ଓଡ଼ିଶାରେ ବିଜେପି ଭଲ ଫଳ ହାସଲ କରିପାରି ନ ଥିଲା। ମାତ୍ର ମହାପ୍ରଭୁଙ୍କ ଆଶୀର୍ବାଦ କାରଣରୁ ଆଜି ବିଜେପି ବିଧାନସଭାରେ ବିରୋଧୀ ଦଳ ଭାବେ ଉଭା ହୋଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ପାଖାପାଖି ୧ କୋଟି ଲୋକ ନରେନ୍ଦ୍ର ମୋଦୀଙ୍କ ଉପରେ ଭରସା କରି ବିଜେପିର ୮ ଜଣଙ୍କୁ ସାଂସଦ ଭାବେ ଦିଲ୍ଲୀ ପଠାଇଛନ୍ତି।

ଓଡ଼ିଶାର ବିକାଶରେ କେନ୍ଦ୍ରର ସହଯୋଗ କଥା ଉଲ୍ଲେଖ କରି ଶ୍ରୀ ପ୍ରଧାନ କହିଲେ, ଓଡ଼ିଶାରେ ବାତ୍ୟା ପୂର୍ବରୁ ୩୪୧ କୋଟି ଟଙ୍କା ଓ ବାତ୍ୟା ଦାବି ପୂର୍ବରୁ ଏକ ହଜାର କୋଟି ଟଙ୍କା କେନ୍ଦ୍ର ପ୍ରଦାନ କରିଛି। ଓଡ଼ିଶାର ପୁନଃନିର୍ମାଣ ପାଇଁ ଯାହା ଆବଶ୍ୟକତା ପଡ଼ିବ, ତାହା କେନ୍ଦ୍ର ଯୋଗାଇଦେବ ବୋଲି ଖୋଦ୍ ପ୍ରଧାନମନ୍ତ୍ରୀ କହିସାରିଛନ୍ତି।
ବିଜେଡି ନାଁ ନ ନେଇ ପରୋ‌କ୍ଷରେ ସମାଲୋଚନା କରି ଶ୍ରୀ ପ୍ରଧାନ କହିଲେ, ବିଜେପିର ୧୨୦+ ମିସନ୍ ସଫଳ ହୋଇ ନାହିଁ ବୋଲି କହି କିଛି ଲୋକ ସମାଲୋଚନା କରୁଛନ୍ତି। କିନ୍ତୁ ଦିଲ୍ଲୀକୁ ୨୧ ସାଂସଦ ପଠାଇ କେନ୍ଦ୍ର ଶାସନର ଚାବିକାଠି ରଖିବାକୁ ଯେଉଁମାନେ କହୁଥିଲେ, ସେମାନଙ୍କୁ ଓଡ଼ିଶା ଲୋକ ଠିକ୍ ଜବାବ ଦେଇଛନ୍ତି। କେନ୍ଦ୍ର ହେଉ କିମ୍ବା ରାଜ୍ୟ, ଓଡ଼ିଆ ଲୋକଙ୍କ କଲ୍ୟାଣ ସମସ୍ତଙ୍କ ଅଗ୍ରଭାଗରେ ରହିବା ଦରକାର।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ କହିଥିଲେ, ବ୍ୟକ୍ତିଗତ ଉଦ୍ୟମରେ କେହି ଜିତିଲେ ବୋଲି ଭାବିବା ଉଚିତ ନୁହେଁ। ବ୍ୟକ୍ତିଗତ ଉଦ୍ୟମରେ କେହି ସଫଳ ନେତା ହୋଇପାରିବେ ନାହିଁ। ବିଜେପି ଦଳ ହିଁ ମହାନ ଅଟେ। ଦଳ ପ୍ରତି ଆନୁଗତ୍ୟରେ ଜମାରୁ ହେଳା କରିବା କଥା ନୁହେଁ। ଏହି ଦଳ ଚା ବିକୁଥିବା ଲୋକକୁ ପ୍ରଧାନମନ୍ତ୍ରୀ କରିପାରେ ପୁଣି ଝୁମ୍ପୁଡ଼ିରେ ରହି ଆଦିବାସୀ ପିଲାଙ୍କୁ ପାଠ ପଢ଼ାଉଥିବା ପ୍ରତାପ ଷଡ଼ଙ୍ଗୀକୁ ମନ୍ତ୍ରୀ କରିପାରେ। ତେଣୁ ଦଳର ସ୍ଥାନ ଓ ଆଦର୍ଶ ସବୁବେଳେ ଉପରେ। ଏହି ଦଳର ବହୁ ଅଦୃଶ୍ୟ ସେବକ ଅଛନ୍ତି। ବିଜେପିର ସଫଳତାରେ ସମସ୍ତେ ଅଂଶୀଦାର।

ବିଜେପି ରାଜ୍ୟ ସଭାପତି ତଥା ସାଂସଦ ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ଓ ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ଉଦ୍‌ବୋଧନ ଦେଇଥିଲେ। ପୃଥ୍ବୀରାଜ ହରିଚନ୍ଦନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର