‌ୱେଲ୍‌ଫେୟାର୍‌ ଚିଟ୍‌ଫଣ୍ଡ ଠକେଇ ମାମଲା: ଗିରଫ ପୂର୍ବତନ ବିଧାୟକଙ୍କ ଗ୍ଲାମର୍‌ ୱାର୍ଲ୍ଡ ଲିଙ୍କ୍‌ର ଖୋଳତାଡ୍‌

ରିମାଣ୍ଡରେ ଆଣିବ କ୍ରାଇମ୍‌ବ୍ରାଞ୍ଚ, ଅଭିଯୋଗ ପାଇଁ ଟୋଲ୍‌ ଫ୍ରି ନମ୍ବର ଜାରି

ଭୁବନେଶ୍ବର : ୱେଲ୍‌ଫେୟାର୍‌ ଚିଟ୍‌ଫଣ୍ଡ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥ‌ନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଦ୍ବାରା ଗିରଫ ହୋଇଥିବା ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌ ବିଜୟଙ୍କ ଗୁମର ପେଡ଼ି ଖୋଲିବାରେ ଲାଗିଛି। କିଛି ଅଧିକ ସୁଧ ପ୍ରଲୋଭନରେ ଚିଟ୍‌ଫଣ୍ଡରେ ବିନିଯୋଗ କରିଥିବା ଗରିବ ଲୋକଙ୍କ କଷ୍ଟାର୍ଜିତ ଧନକୁ ସେ ଗ୍ଲାମର୍‌ ଜଗତରେ ଖର୍ଚ୍ଚ କରିଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶ ତଥା ଦକ୍ଷିଣ ଭାରତୀୟ ଫିଲ୍ମ ଜଗତ (ଟଲିଉଡ୍‌)ରେ ସେ ଏହି ଟଙ୍କା ପାଣି ଭଳି ଖର୍ଚ୍ଚ କରିଥିବା ସ୍ପଷ୍ଟ ହେବାରେ ଲାଗିଛି। ‌ଜଣେ ଜଣାଶୁଣା ତେଲ୍‌ଗୁ ଚଳଚ୍ଚିତ୍ର ନିର୍ମାତା ହୋଇଥିବାରୁ ଚିଟ୍‌ଫଣ୍ଡ ଟଙ୍କା ସବୁକୁ ସେ ଏଭଳି ଭାବେ ବିନିଯୋଗ କରିଥିବା ପ୍ରମାଣ ମିଳିଛି। ଏଣୁ ଏବେ ଇଓଡବ୍ଲ୍ୟୁ ଏହି ଦିଗରେ ଖୋଳତାଡ୍‌ ଆରମ୍ଭ କରିଛି। ସେହିଭଳି ଓଡ଼ିଶାରେ ତାଙ୍କ ସଂସ୍ଥା ବହୁ ଶାଖା ଖୋଲିଥିବାରୁ ଏଠାରେ ତାଙ୍କର କୌଣସି ରାଜନୈତିକ ଲିଙ୍କ୍‌ ଥିବା ସନ୍ଦେହ କରାଯାଉଛି। ତେଣୁ କ୍ରା‌ଇମ୍‌ବ୍ରାଞ୍ଚ ସେ ଦିଗକୁ ମଧ୍ୟ ନଜର ଦେଇଛି। ଅନ୍ୟ ପକ୍ଷରେ ବହୁ ଜମାକାରୀମାନେ କେଉଁଠି ଅଭିଯୋଗ କରିବେ ଜାଣିପାରୁନଥିବାରୁ ଆଜି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।

ସୂଚନାଯୋଗ୍ୟ ଓ୍ଵେଲ୍‌ଫେୟାର ବିଲ୍ଡିଂ ଆଣ୍ଡ୍‌ ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡର ଏମ୍‌ଡି ତଥା ଆନ୍ଧ୍ରପ୍ରଦେଶ ଭାଇଜାଗ୍ (ପଶ୍ଚିମ)ର ପୂର୍ବତନ ବିଧାୟକ ଏମ୍ ବିଜୟ ପ୍ରସାଦ ଟଲିଉଡ୍‌ ଶିଳ୍ପରେ ଜଣେ ପ୍ରତିଷ୍ଠିତ ପ୍ରଯୋଜକ ଥିଲେ। ଗ୍ଲାମର ଜଗତ ପ୍ରତି ତାଙ୍କର ବେଶ୍ ବଡ଼ ଦୁର୍ବଳତା ଥିଲା। ଚିଟ୍‌ଫଣ୍ଡ ଜରିଆରେ ଗ୍ରାହକଙ୍କଠାରୁ ‌ସଂଗ୍ରହ କରିଥିବା କୋଟି କୋଟି ଟଙ୍କାକୁ ସେ ଗ୍ଲାମର୍‌ ଶିଳ୍ପରେ ନିୟୋଜିତ କରିଥିବା ଜଣାପଡ଼ିଛି। ତେଣୁ ବହୁ କଳାକାର ଓ ପ୍ରଯୋଜନା ସଂସ୍ଥା ସହ ଏହି ଅର୍ଥ ବିନିଯୋଗର ସମ୍ପୃକ୍ତି ଥାଇପାରେ ବୋଲି କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରିଛି। ଜଣେ ରାଜନେତା ତଥା ବିଧାୟକ ହୋଇଥିବାରୁ ଓଡ଼ିଶାରେ ତାଙ୍କର ରାଜନୈତିକ ସମ୍ପୃକ୍ତି ଥିବା ନେଇ ମଧ୍ୟ ସନ୍ଦେହ କରାଯାଉଛି। ନୟାଗଡ଼ରୁ ଆରମ୍ଭ କରି କଟକ, ଭୁବନେଶ୍ବର ଓ ବାଲେଶ୍ବର ଭଳି ସହରରେ ତାଙ୍କ ସଂସ୍ଥାର ଶାଖା ଖୋଲିଥିଲା। ପ୍ରାୟ ୧୫୦୦ରୁ ଊର୍ଧ୍ବ ଲୋକଙ୍କଠାରୁ କୋଟି କୋଟି ଟଙ୍କା ସଂଗ୍ରହ କରିଥିଲେ। ତେଣୁ ଓଡ଼ିଶାର କିଛି ରାଜନେତାଙ୍କର ଏଥିରେ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି। ଓଡ଼ିଶାରେ ବିଜୟଙ୍କୁ କିଏ ସହଯୋଗ କରୁଥିଲେ, କେଉଁ ରାଜନେତାଙ୍କ ସହ ତାଙ୍କର ସମ୍ପର୍କ ରହିଛି, ଏଠାରେ ବ୍ୟବସାୟ ବଢ଼ାଇବା ପାଇଁ କେଉଁମାନେ ପ୍ରୋତ୍ସାହନ ଦେଉଥିଲେ, ଏସବୁ ପ୍ରସଙ୍ଗକୁ କ୍ରାଇମ୍‌ବ୍ରାଞ୍ଚ ଗୁରୁତ୍ବର ସହ ନେଇଛି। ଏବେ ବ୍ରହ୍ମପୁର, ଭଦ୍ରକ ଆଦି ସ୍ଥାନରେ ଏହି ସଂସ୍ଥାର ସମ୍ପତ୍ତି ଥିବା କଥା ପଦାକୁ ଆସିଛି। ତେଣୁ ଖୁବ୍‌ ଶୀଘ୍ର ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସୂଚନା ମିଳିଛି। ରିମାଣ୍ଡ କାଳରେ ଏ ସମସ୍ତ ଦିଗ ଉପରେ ତାଙ୍କୁ ମାରାଥନ ଜେରା କରାଯିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି। ଗତକାଲି ସୁଦ୍ଧା ପ୍ରାୟ ୧୫୦ଲୋକ ତାଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ କରିଥିଲେ। ତେବେ ଏହି ସଂଖ୍ୟା ୧୫ ଶହ ଟପିବ ବୋଲି ଅନୁମାନ କରାଯାଉଛି। ବହୁ ଅଭିଯୋଗକାରୀ କେଉଁଠି କିଭଳି ଅଭିଯୋଗ କରିବେ, ଜାଣିପାରୁନାହାନ୍ତି। ତେଣୁ ଏସ୍‌ପି ବି ଗାଗାରିନ୍ ମହାନ୍ତିଙ୍କ ସୂଚନାନୁସାରେ ଏଥିପାଇଁ ୨୩୯୪୧୨୯ ଓ ୨୩୯୪୬୬୬ ଦୁଇଟି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି। ତେଣୁ ଅଭିଯୋଗକାରୀମାନେ ଏହି ଟୋଲ୍ ଫ୍ରି ନମ୍ବରକୁ ପୂର୍ବାହ୍ଣ ସାଢ଼େ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଯୋଗାଯୋଗ କରିପାରିବେ।

ପ୍ରକାଶଯୋଗ୍ୟ, ଗତ ୨୦୦୯ରୁ ୨୦୧୪ ମଧ୍ୟରେ ଏହି ସଂସ୍ଥା ଓଡ଼ିଶାରୁ ୧୨ ଶହ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଜମା ରାଶି ୫ ବର୍ଷରେ ୩ ଗୁଣା, ୩ ବର୍ଷରେ ଦୁଇ ଗୁଣା କରିବା ଲୋଭ ଦେଖାଇ ଲୋକଙ୍କୁ ଚୁନ ଲଗାଇଛି। ଏପରିକି ଟଙ୍କା ବଦଳରେ ଜମାକାରୀଙ୍କୁ ବିଶାଖାପାଟଣାରେ ପ୍ଲଟ୍ ମିଳିବ ବୋଲି ମଧ୍ୟ ପ୍ରଲୋଭନ ଦେଖାଯାଇଥିଲା। କିନ୍ତୁ ୨୦୧୩ ମସିହାରେ ରାତାରାତି ସଂସ୍ଥାର ଅଫିସରେ ତାଲା ପଡ଼ି ଯାଇଥିଲା। ‌ତେଣୁ ୨୦୧୩ ମେ’ ୫ ତାରିଖରେ ବିଜୟ ପ୍ରସାଦଙ୍କ ନାଁ’ରେ ବରଗଡ଼ ଧନୁପାଲି ଥାନାରେ ପ୍ରଥମ ଅଭିଯୋଗ ହୋଇଥିଲା। ପୂର୍ବରୁ ସିବିଆଇ ଏହି ସଂସ୍ଥାର ଧାନବାଦ୍‌ ଶାଖା ସମେତ ବିଜୟଙ୍କ ଘର ଓ ଅଫିସରେ ଚଢ଼ଉ କରି ୪୪.୯ ଲକ୍ଷ ଟଙ୍କା ଜବତ କରିଥିଲା।

ସମ୍ବନ୍ଧିତ ଖବର