ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୱେଲ୍ସ୍ପନ୍ ଗ୍ରୁପ୍ର ୬,୬୦୦ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି। କଂପାନି କଟକ ଜିଲ୍ଲାର ଚୌଦ୍ବାରଠାରେ ୩୦୦୦ କୋଟି ଟଙ୍କା ନିବେଶ କରି ଏକ ବୟନ ଶିଳ୍ପ କାରଖାନା ପ୍ରତିଷ୍ଠା କରିବ, ଯେଉଁଥିରେ ୧୦ ହଜାର ଲୋକଙ୍କୁ କର୍ମନିଯୁକ୍ତି ମିଳିବ। ଏହା ଏକ ସମନ୍ବିତ ପ୍ରକଳ୍ପ ହୋଇଥିବାରୁ ସେଥିରେ ସୁତା ତିଆରିଠାରୁ ଆରମ୍ଭ କରି କପଡ଼ା ପ୍ରସ୍ତୁତି ପର୍ଯ୍ୟନ୍ତ ସବୁ କାମ ହେବ। କଂପାନି ଏକ ଗୋଦାମ ଘର ମଧ୍ୟ ପ୍ରତିଷ୍ଠା କରିବ। ରାଜ୍ୟର କଳାହାଣ୍ଡି, ବଲାଙ୍ଗୀର ଓ କୋରାପୁଟ ଜିଲ୍ଲାର କପା ଚାଷୀମାନେ ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ।
ସେହିପରି, ସମ୍ବଲପୁର ଜିଲ୍ଲାର ନିଲ୍ ଡୁଙ୍ଗୁରିଠାରେ କଂପାନି ଏକ ପ୍ଲାଷ୍ଟିକ ଓ ଡିଆଇ ପାଇପ୍ କାରଖାନା ବସାଇବ। ସେଥିରେ ୩୬୦୦ କୋଟି ଟଙ୍କା ନିବେଶ ହେବ। ବିଜୁ ଅର୍ଥନୈତିକ କରିଡର ଅଧୀନରେ ସ୍ଥାପନ କରାଯାଉଥିବା ଏହି ପ୍ରକଳ୍ପ ଦ୍ବାରା ବହୁ ଆନୁଷଙ୍ଗିକ ଛୋଟ ଛୋଟ ଶିଳ୍ପ ଗଢ଼ି ଉଠିବ ଯାହା ସ୍ଥାନୀୟ ନିଯୁକ୍ତି ବଢ଼ାଇବାରେ ସହାୟକ ହେବ। ଆଜିର ବୈଠକରେ ଗୋପାଳପୁର ୟୁଟିଲିଟି କରିଡର୍କୁ ମଧ୍ୟ ମଞ୍ଜୁର କରାଯାଇଛି। ଗୋପାଳପୁର ବନ୍ଦରରୁ ଟାଟା ଷ୍ଟିଲ୍ ଶିଳ୍ପ ପାର୍କ ପର୍ଯ୍ୟନ୍ତ ଥିବା ଶିଳ୍ପ ସଂସ୍ଥା ଓ ଆଗାମୀ ଦିନରେ ଆସିବାକୁ ଥିବା ଶିଳ୍ପଗୁଡ଼ିକର ସଂଯୋଗୀକରଣ ପଥ ନିର୍ମାଣ କରାଯିବ। ଏଥିପାଇଁ ଇପିସି ଟେଣ୍ଡରକୁ ଅନୁମୋଦନ କରାଯାଇଛି। ଏହି ପ୍ରକଳ୍ପର ଟେଣ୍ଡର ମୂଲ୍ୟ ହେଉଛି ୧୨୮.୮୮ କୋଟି ଟଙ୍କା। ପ୍ରକଳ୍ପକୁ ୧୮ ମାସରେ କାର୍ଯ୍ୟକାରୀ କରାଯିବ। ପ୍ରକଳ୍ପରେ ନିୟୋଜିତ କଂପାନି ୧୨୦ ମାସର ରକ୍ଷଣାବେକ୍ଷଣ ଦାୟିତ୍ବ ନେବ। ଏହି ପ୍ରକଳ୍ପରେ ଅଞ୍ଚଳର ସର୍ଭେ, ଆଭ୍ୟନ୍ତରୀଣ ଓ ବାହ୍ୟ ଉନ୍ନତୀକରଣ, ରାସ୍ତା ନିର୍ମାଣ, ପମ୍ପ୍ ହାଉସ୍, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଫ୍ଲାଏ ଓଭର ରାସ୍ତା, ଉଜ୍ଜ୍ବଳ ଆଲୋକୀକରଣ, ମୂର୍ତ୍ତିକା ସଂରକ୍ଷଣ ଓ ପାଚେରୀ ନିର୍ମାଣ, କେବୁଲ ଟ୍ରେଞ୍ଚ ଆଦି ଅନ୍ତର୍ଭୁକ୍ତ।
ସେହିପରି, କ୍ୟାବିନେଟ୍ ବୈଠକରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ନୀତି-୨୦୨୨ରେ କରାଯାଇଥିବା ସଂଶୋଧନକୁ ମଧ୍ୟ ମଞ୍ଜୁର କରାଯାଇଛି ଯାହା ଲାଭ ଶିଳ୍ପ ସଂସ୍ଥାଗୁଡ଼ିକୁ ମିଳିବ। ପୂର୍ବରୁ ଭାରତ ସରକାରଙ୍କଠାରୁ ପ୍ରୋତ୍ସାହନ ପାଇଥିବା ସଂସ୍ଥାଗୁଡ଼ିକ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପାଇବାକୁ ଅଯୋଗ୍ୟ ଥିଲେ। ନୀତିରେ ସଂଶୋଧନ ପରେ ଯଦି ରାଜ୍ୟ ନୀତିରେ ଅଧିକ ପ୍ରୋତ୍ସାହନ ଦିଆଯାଏ ତେବେ ଭାରତ ସରକାର ପ୍ରୋତ୍ସାହନ ପାଉଥିବା ଉଦ୍ୟୋଗ ବଳକା ପରିମାଣର ରାଶି ରାଜ୍ୟଠାରୁ ପାଇପାରିବେ। ଏବେ କେବଳ ଷ୍ଟାମ୍ପ୍ ଡ୍ୟୁଟି ଓ ଜମିର କିସମ ପରିବର୍ତ୍ତନ ପ୍ରିମିମୟ ଛାଡ଼ ସୁବିଧା ମିଳୁଛି। ସେଥିରେ ପରିଶୋଧକୁ ଯୋଡ଼ାଯାଇଛି। ଉଦ୍ୟୋଗଗୁଡ଼ିକ ଦୁଇଟି ବିକଳ୍ପ ଚୟନ କରିବା ସୁଯୋଗ ମିଳିବ। ଯେଉଁ ଉଦ୍ୟୋଗଗୁଡ଼ିକ ନିଜ ପ୍ରକଳ୍ପକୁ ତ୍ବରାନ୍ବିତ କରିବାକୁ ଚାହୁଛନ୍ତି ସେମାନେ ଷ୍ଟାମ୍ପ ଡ୍ୟୁଟି ଓ ଜମି କିସମ ପରିବର୍ତ୍ତନ ପ୍ରିମିୟମ ଆଗୁଆ ଦେଇ ପରେ ପରିଶୋଧ ପାଇଁ ଆବେଦନ କରିପାରିବେ। ପ୍ରୋତ୍ସାହନ ପାଇଁ ବିଳମ୍ବରେ ଆବେଦନ ଦାଖଲ କରିବାର ସମୟକୁ ୬୦ ଦିନରୁ ବଢ଼ାଇ ୯୦ ଦିନ କରାଯାଇଛି। ପଲିଥିନ ଓ ପ୍ଲାଷ୍ଟିକର ରିସାଇକ୍ଲିଂକୁ ନାକାରାତ୍ମକ ତାଲିକାରୁ ହଟାଇ ଦିଆଯାଇଛି। ପ୍ୟାକେଜଡ୍ ପାନୀୟ ଜଳ କ୍ଷେତ୍ରରେ ୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ପ୍ରୋତ୍ସାହିତ କରାଯାଉଛି।