ସମ୍ବଲପୁର/ବିଜେପୁର: ଚାକିରି ପାଇଁ ମଧ୍ୟପ୍ରଦେଶ ଯାଇଥିଲେ। ସେଠାରେ ଜଣଙ୍କ ଘରୋଇ କର୍ମଚାରୀ ଥିଲେ। କାର୍ଯ୍ୟ ଆରମ୍ଭର ମାତ୍ର କିଛି ଦିନ ପରେ କାର୍ଯ୍ୟରତ ଘରର ଜଣେ ମହିଳାଙ୍କ ସହିତ ବାହାରକୁ ଯାଇଥିବା ବେଳେ ଅଚାନକ କଣ ହେଲା କେଜାଣି ସଂଜ୍ଞାହୀନ ହୋଇ ପଡ଼ିଗଲେ। କିଛି ଘଣ୍ଟା ପରେ ଚେତା ଫେରିଲା ବେଳକୁ ନିଜକୁ ଗୋଟିଏ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପାଇଥିଲେ। ଉଦ୍ବେଗଜନକ କଥାଟି ହେଲା, ସେତେବେଳକୁ ସେ ଗୋଟିଏ ହାତ ହରାଇଥିଲେ। ଏତେ ବଡ଼ ଘଟଣା ତାଙ୍କ ସହିତ କେମିତି ହେଲା ଜାଣି ପାରିନଥିବା କହିଛନ୍ତି ବରଗଡ଼ ଜିଲ୍ଲା ବିଜେପୁର ଥାନା ପଡ଼ା ଗାଁର ରୀନା ମହାନନ୍ଦ (୪୦)। ତାଙ୍କ ସହିତ ହୋଇଥିବା ଭୟଙ୍କର ଘଟଣା ସମ୍ପର୍କରେ କାହାକୁ ଜଣାନାହିଁ। ଏ ସଂକ୍ରାନ୍ତରେ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ତଦନ୍ତ ହେଲେ ଅନେକ ରହସ୍ୟ ଉନ୍ମୋଚିତ ହେବ।
ଅସହ୍ୟ ଯନ୍ତ୍ରଣାରେ ରୀନା
ଦୃଷ୍ଟି ଦେବ କି ପ୍ରଶାସନ?
ସୂଚନା ଅନୁଯାୟୀ, ବିଜେପୁରର ବୁଣାକାର ସୁରକାର ମହାନନ୍ଦଙ୍କ ୨ ଝିଅ। ବଡ଼ ଝିଅ ରୀନାଙ୍କ ସ୍ବାମୀଙ୍କର ୨୦୧୭ ମସିହାରେ ଦେହାନ୍ତ ହେବା ପରେ ସେ ମା, ବାପାଙ୍କ ସହିତ ବିଜେପୁରରେ ରହୁଛନ୍ତି। ସାନଝିଅ ଏବଂ ଜ୍ବାଇଁ ଚେନ୍ନାଇସ୍ଥିତ ସୂତାକଳରେ କାର୍ଯ୍ୟ କରନ୍ତି। କିଛି ମାସ ପୂର୍ବରୁ ବରଗଡ଼ର ମମତା ନାମ୍ନୀ ଜଣେ ମହିଳା ରୀନାଙ୍କୁ ଚାକିରି କରାଇ ଦେବେ କହି ଗତ ଫେବ୍ରୁଆରି ମାସରେ ମଧ୍ୟପ୍ରଦେଶ ନେଇ ଯାଇଥିଲେ। ସେଠାରେ ରୀନା ଗୋଟିଏ ପରିବାରରେ ରହି କାର୍ଯ୍ୟ କରୁଥିଲେ। କିନ୍ତୁ ଯେଉଁ ବ୍ୟକ୍ତିଙ୍କ ଘରେ ସେ କାର୍ଯ୍ୟ କରୁଥିଲେ ତାଙ୍କ ପରିଚୟ ଏବଂ ଠିକଣା ସମ୍ପର୍କରେ ସୁରକାର କିମ୍ବା ରୀନା କେହି କହି ପାରୁନାହାନ୍ତି। ରୀନାଙ୍କ କହିବା ଅନୁସାରେ, ସେଠାରେ ୫-୬ ଦିନ କାର୍ଯ୍ୟ କରିବା ପରେ ମହିଳାଙ୍କ ସହିତ କାର୍ଯ୍ୟ କରୁଥିବା ବେଳେ ଉପରୋକ୍ତ ଦୁର୍ଘଟଣା ଘଟିଥିଲା।
ଗୁରୁତର ଅବସ୍ଥାରେ ଜବଲପୁରସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସହିତ କେହି ନଥିଲେ। ସ୍ଥାନୀୟ ଜଣେ ପୁଲିସ କନେଷ୍ଟବଳ ହିଁ ତାଙ୍କୁ ସେହି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ରୋଜଗାର ପାଇଁ ଯାଇ ଭିନ୍ନକ୍ଷମ ହୋଇ ଫେରିଥିବା ରୀନାଙ୍କ ଦୁଃଖ ଏବେ କାହିଁରେ କେତେ ବଢ଼ିଯାଇଛି। ରୀନାଙ୍କ ସହିତ ହୋଇଥିବା ଏହି ଘଟଣା କିଛି ବର୍ଷ ପୂର୍ବରୁ ବଲାଙ୍ଗୀର ଜିଲ୍ଲାର ଦାଦନ ଶ୍ରମିକଙ୍କ କଟାହାତ କଥା ମନେ ପଡ଼ିଯାଉଛି। ଏ ସମ୍ପର୍କରେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରଗୁଳାଙ୍କୁ ପଚାରିବାରୁ କହିଛନ୍ତି, ଘଟଣା ସମ୍ପର୍କରେ ଜାଣିବା ପରେ ସେ ଆବଶ୍ୟକ ପଦକ୍ଷେପ ନେବେ। ବିଜେପୁର ଥାନା ଅଧିକାରୀ ସୁଶାନ୍ତ ମହାନ୍ତି କହିଛନ୍ତି, ୭ ଦିନ ପୂର୍ବରୁ ସୁରକାର ଥାନାକୁ ଆସିଥିଲେ। ତାଙ୍କ ଝିଅ ମଧ୍ୟପ୍ରଦେଶ ଯାଇଥିଲେ ଏବଂ ସେଠାରେ ତାଙ୍କ ସହିତ ଅଘଟଣ ହୋଇଥିବା ସୂଚନା ଦେଇଥିଲେ। କିନ୍ତୁ ଏହାକୁ ନେଇ କୌଣସି ଏତଲା ଦେଇ ନଥିବାରୁ ଘଟଣା ସଂକ୍ରାନ୍ତରେ ତଦନ୍ତ ହୋଇ ପାରିନାହିଁ।