୨୦ ବର୍ଷ ଧରି ନୂଆପଡ଼ାର ବିକାଶ ଦ୍ବାର ବନ୍ଦ ଥିଲା କି?: ନରସିଂହ

ଭୁବନେଶ୍ବର : ଲୋୟର ଇନ୍ଦ୍ର ପ୍ରକଳ୍ପ କାମ କଂଗ୍ରେସ ସରକାର ସମୟରେ ଆରମ୍ଭ ହୋଇଥିଲା। ଏତେ ଦିନ ଧରି ପଡ଼ିରହିଲା। ଏବେ ପ୍ରକଳ୍ପକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ବାହାବା ନେଉଛନ୍ତି। ସେହିପରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦୃଷ୍ଟିରେ ଓଡ଼ିଶା ମା’ର ସବୁଠାରୁ ସାନ ପିଲା ନୂଆପଡ଼ା ଜିଲ୍ଲା। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ବିକାଶର ଦ୍ବାର ଖୋଲିଲେ। ତା’ହେଲେ କଣ ଦୀର୍ଘ ୨୦ ବର୍ଷ ଧରି ବିଜେଡି ଶାସନରେ ନୂଆପଡ଼ା ଜିଲ୍ଲା ପ୍ରତି ମୁଖ୍ୟମନ୍ତ୍ରୀ ଆଦୌ ଧ୍ୟାନ ଦେଇ ନ ଥିଲେ ଓ ସେଠାରେ ବିକାଶର ଦ୍ବାର ବନ୍ଦ ରହିଥିଲା କି? ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆପଡ଼ା ଗସ୍ତ କରି ଲୋୟର ଇନ୍ଦ୍ର ପ୍ରକଳ୍ପର ଉଦ୍‌ଘାଟନ କରିବା ଅବସରରେ ଦେଇଥିବା ମନ୍ତବ୍ୟକୁ ନେଇ ଏପରି ଟିପ୍ପଣୀ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଜିଲ୍ଲାରେ ଫ୍ଲୋରାଇଡ୍‌ଯୁକ୍ତ ପାଣି ପାଇଁ ବହୁ ଲୋକ ରୋଗଗ୍ରସ୍ତ ହେଉଥିଲେ। ସେଠାରେ ପାନୀୟ ଜଳ ପ୍ରକଳ୍ପ କରିବା ପାଇଁ ପୂର୍ବରୁ ଗୃହ କମିଟି ସୁପାରିସ କରିଥିଲା। ଅଥଚ ସରକାର ୧୬ ବର୍ଷ ପରେ ପାନୀୟ ଜଳ ପ୍ରକଳ୍ପ କରି ସ୍ଥାନୀୟ ଲୋକଙ୍କୁ ନିଜର ପାରିବାପଣିଆ ଦେଖାଉଛନ୍ତି। ଏଥିରୁ ଜଣାପଡ଼ୁଛି ବିଜେଡି ସରକାରରେ ବିକାଶ କେତେ ଦ୍ରୁତ ଗତିରେ ଆଗେଇଛି ବୋଲି ଶ୍ରୀ ମିଶ୍ର କଟାକ୍ଷ କରିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଫ୍ଲୋରାଇଡ୍‌ଯୁକ୍ତ ପାଣି ବାହାରୁଥିବା ନେଇ ଅଭିଯୋଗ ହେବା ପରେ ବିଜେଡି-ବିଜେପି ଭାଗୁଆଳି ସରକାର ସମୟରେ ତତ୍କାଳୀନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଗୋଟିଏ ଗୃହ କମିଟି ଅନୁଧ୍ୟାନ ପାଇଁ ଜିଲ୍ଲା ଗସ୍ତ କରିଥିଲା। କମିଟିରେ ଶ୍ରୀ ମିଶ୍ର ନିଜେ ସଦସ୍ୟ ଥିଲେ। ଫ୍ଲୋରାଇଡ୍‌ ଯୁକ୍ତ ପାଣି ଯୋଗୁ ହଜାର ହଜାର ଲୋକ ଦାନ୍ତ ରୋଗଠାରୁ ଆରମ୍ଭ କରି ଅନ୍ୟ ରୋଗରେ ପୀଡ଼ିତ ହେଉଥିଲେ। ଦୀର୍ଘ ଦିନ ଧରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ମିଳୁ ନ ଥିଲା। ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ନଦୀରୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସେହି ଗୃହ କମିଟି ସରକାରଙ୍କୁ ସୁପାରିସ ବି କରିଥିଲେ। କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସରକାରଙ୍କ ଦୀର୍ଘ ବର୍ଷ ଲାଗିଗଲା। ଏବେ ପାନୀୟ ଜଳ ପ୍ରକଳ୍ପର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ବିକାଶର ଦ୍ବାର ଖୋଲିବା କଥା କହିବା କେତେ ଦୂର ଠିକ୍‌ ତାକୁ ଜନସାଧାରଣ ବିଚାର କରିବା ଉଚିତ।

ସମ୍ବନ୍ଧିତ ଖବର