ୱେସ୍‌କୋ, ସାଉଥ୍‌କୋକୁ ବି ନେଲା ଟାଟା ପାୱାର

ଭୁବନେଶ୍ୱର : ପଚିଶ ବର୍ଷ ପର୍ଯ୍ୟନ୍ତ ସେସୁର ପରିଚାଳନା ଲାଗି ଓଡ଼ିଶା ସରକାରଙ୍କ ସହ ମିଶି ଯୌଥ ଉଦ୍ୟୋଗ ସ୍ଥାପନ କରିଥିବା‌ ଟାଟା ପାୱାର ରାଜ୍ୟର ଆ‌ଉ ଦୁଇଟି ବିଦ୍ୟୁତ ୟୁଟିଲିଟି ସଂସ୍ଥା ୱେସ୍‌କୋ ଓ ସାଉଥ୍‌କୋକୁ ମଧ୍ୟ ହାସଲ କରିଛି। ଏହି ଦୁଇ ସଂସ୍ଥାର ଘରୋଇକରଣ ପାଇଁ ଓଡ଼ିଶା ବିଦ୍ୟୁତ ନିୟାମକ କର୍ତ୍ତୃପକ୍ଷ (ଓଇଆର୍‌ସି) ପକ୍ଷରୁ ଆବେଦନ ଆହ୍ବାନ କରାଯାଇଥିଲା। ଟାଟା ପାୱାର ଓ ଇଣ୍ଡିଆ ପାୱାର ବିଡ୍ ଦାଖଲ କରିଥିଲେ। ମାତ୍ର ଇଣ୍ଡିଆ ପାୱାରର ବୈଷୟକି ବିଡ୍ ଯୋଗ୍ୟତା ମାନଦଣ୍ଡ ପୂରଣ କରିପାରିନଥିଲା। ଆଜି ଆର୍ଥିକ ବିଡ୍‌କୁ ଖୋଲାଯାଇଥିଲା। ସେଥିରେ ଏକମାତ୍ର କଂପାନି ଭାବେ ଟାଟା ପାୱାରର ବିଡ୍‌ ହିଁ ରହିଥିଲା। ସାଉଥ୍‌କୋ ଓ ୱେସ୍‌କୋ ଅଧିଗ୍ରହଣ ବିଷୟରେ ଟାଟା ପାୱାର ପକ୍ଷରୁ ‌ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇନାହିଁ। ଓଇଆର୍‌ସି ମଧ୍ୟ କୌଣସି ସୂଚନା ଜାରି କରିନାହିଁ।

ୱେଷ୍ଟର୍ଣ୍ଣ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ୱେସ୍‌କୋ) ଓ ସଦର୍ଣ୍ଣ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି ଅଫ୍ ଓଡ଼ିଶା (ସାଉଥ୍‌‌କୋ)ର ଲେଟର ଅଫ୍ ଆୱାର୍ଡ (ଏଲ୍‌ଓଏ) ଜାରି ହୋଇନଥିବା ଜଣାପଡ଼ିଛି। ୱେସ୍‌କୋ ବିକ୍ରିର ପରିଚାଳନା ପାଇଁ ପିଡବ୍ଲୁସି ଓ ସାଉ୍‌‌ଥକୋ ପାଇଁ ଡିଲୋଇଟିକୁ ନିଯୁକ୍ତ କରାଯାଇଥିଲା। ୱେସ୍‌କୋ ପକ୍ଷରୁ ରାଉରକେଲା, ବୁର୍ଲା, ବରଗଡ଼, ବଲାଙ୍ଗୀର ଓ ଭବାନୀପାଟଣା ଆଦି ଅଞ୍ଚଳରେ ବିଦ୍ୟୁତ ଯୋଗାଣ କରାଯାଉଥିବା ବେଳେ ବ୍ରହ୍ମପୁର, ଆକ୍ସା, ଭଞ୍ଜନଗର, ଜୟପୁର ଓ ରାୟଗଡ଼ାରେ ସାଉଥ୍‌କୋ ବିଦ୍ୟୁତ ଯୋଗାଣ କରୁଛି।

ଦେଶର ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ଆଣିବା ଲାଗି ଡିସ୍‌କମ୍‌ଗୁଡ଼ିକର ଘରୋଇକରଣ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଚଣ୍ଡିଗଡ଼ ପରେ ଓଡ଼ିଶାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଡିସ୍‌କମ୍‌ଗୁଡ଼ିକୁ ହାସଲ କରିବା ଲାଗି ଅନେକ କଂପାନି ଆଗ୍ରହ ପ୍ରକାଶ କରିଛନ୍ତି। ଏନ୍‌ଟିପିସି, ଟୋରେଣ୍ଟ୍‌ ପାୱାର, ଗ୍ରିନ୍‌କୋ ଗ୍ରୁପ୍, ଟାଟା ପାୱାର, ଏନ୍‌ଆଇଆଇଏଫ୍ ଏବଂ ଆଦାନି ଗ୍ରୁପ୍ ଭଳି ଦେଶ ଭିତର ସଂସ୍ଥା ଏବଂ ଇଟାଲିର ଏନେଲ୍ ଗ୍ରୁପ୍, ମାଲେସିଆ ଟେନାଗା ନ୍ୟାସନାଲ୍ ବିଏଚ୍‌ଡି, ଫ୍ରାନ୍ସର ଇଲେକ୍ଟ୍ରିସାଇଟ୍‌ ଡି ଫ୍ରାନ୍ସ ଏସ୍‌ଏ ଏବଂ ହଂକଂର ଚାଇନା ଲାଇଟସ୍‌ ଆଣ୍ଡ୍‌ ପାୱାର କଂପାନି ଭଳି ସଂସ୍ଥା ଆଗ୍ରହ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର