ୱେସ୍କୋ, ସାଉଥ୍‌କୋ ହାତେଇଲା ଟାଟା : ନୂଆବର୍ଷରୁ ନୂଆ ମାଲିକ

୨୫ ବର୍ଷ ପାଇଁ ଲାଇସେନ୍ସ ମିଳିଲା

୫ବର୍ଷରେ ୧୬୬୩ କୋଟି ପୁଞ୍ଜି ବ୍ୟୟ
୪୦୦ କୋଟିର ବକେୟା ଆଦାୟ‌
ବୈଷୟିକ ଓ ବାଣିଜ୍ୟିକ କ୍ଷତି କମିବ

ଭୁବନେଶ୍ବର : ନୂଆବର୍ଷରୁ ବିଦ୍ୟୁତ୍ ବଣ୍ଟନ କମ୍ପାନି ୱେସ୍କୋ ଓ ‌ସାଉଥ୍‌କୋର ମାଲିକାନା ବଦଳିଯିବ। ସେସୁକୁ ହାତେଇବାର ୬ ମାସରେ ଟାଟା ପାୱାର କମ୍ପାନି ଲିମିଟେଡ୍‌ ନିକଟକୁ ଚାଲିଯିବ ରାଜ୍ୟର ଏହି ଦୁଇଟି ବିଦ୍ୟୁତ ବଣ୍ଟନକାରୀ ସଂସ୍ଥାର ମାଲିକାନା। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ପକ୍ଷରୁ ଏ ନେଇ ରାୟ ଦିଆଯାଇଛି। ଉକ୍ତ ଦୁଇ ସଂସ୍ଥାର ପରିଚାଳନା ପାଇଁ ସ୍ପେସାଲ ପର୍ପୋଜ ଭେଇକିଲ୍‌ (ଏସପିଭି) ଗଠନ ହେବ। ଏଥିରେ ଟାଟା ପାୱାର କମ୍ପାନି ଲିମିଟେଡର ୫୧ ପ୍ରତିଶତ ଏବଂ ଗ୍ରିଡ୍‌‌କୋ ମାଧ୍ୟମରେ ଓଡ଼ିଶା ସରକାରଙ୍କର ୪୯ ପ୍ରତିଶତ ଅଂଶଧନ ରହିବ। ଚଳିତ ମାସ ୪ ତାରିଖରେ ଗ୍ରିଡ୍‌କୋକୁ ଏସପିଭି ଗଠନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇ ସାରିଛି। ଏସ୍‌ପିଭି ଗଠନ ପରେ ସାଉଥ୍‌କୋ ଏବଂ ୱେସ୍କୋର ଲାଇସେନ୍ସ ଟାଟା ପାୱାରକୁ ହସ୍ତାନ୍ତର କରାଯିବ। ସାଉଥ୍‌କୋ ପାଇଁ ଗଠିତ ହେବାକୁ ଥିବା ଏସ୍‌ପିଭିର ନାମ ଟାଟା ପାୱାର ସାଉଥ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ବା ଟିପିସିଓଡିଏଲ୍‌ ରଖାଯାଇଛି। ସାଉଥ୍‌କୋର ମୂଲ୍ୟ ୨୫୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି। ତେଣୁ ୫୧ ପ୍ରତିଶତ ଅଂଶଧନ ପାଇଁ ଟାଟା ପାୱାରକୁ ୧୨୭ କୋଟି ଟଙ୍କା ଦେବାକୁ ପଡ଼ିବ। ତେବେ ଟାଟା ପାୱାର ପକ୍ଷରୁ ଏହି ଅର୍ଥ ଓଇଆର୍‌ସି ନିକଟରେ ଜମା କରାଯାଇଛି ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ୱେସ୍କୋ ଏବଂ ସାଉଥ୍‌କୋ ଅଞ୍ଚଳରେ ବିଦ୍ୟୁତ୍ ଭିତ୍ତିଭୂମିରେ ଉନ୍ନତି ଆଣିବା ଲାଗି ଟାଟା ପାୱାର ଆସନ୍ତା ୫ଟି ଆର୍ଥିକ ବର୍ଷରେ ୨୮୨୯ କୋଟି ଟଙ୍କା ପୁଞ୍ଜି ବ୍ୟୟ ବାବଦରେ ନିବେଶ କରିବ। ଏଥିରୁ ‌ୱେସ୍କୋ ଅଞ୍ଚଳରେ ୧୬୬୩ କୋଟି ଏବଂ ସାଉଥ୍‌କୋ ଅଞ୍ଚଳରେ ୧୧୮୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ। ସେହିଭଳି ୱେସ୍କୋ ଓ ସାଉଥ୍‌କୋ ଅଞ୍ଚଳରୁ ଟାଟା ପାୱାର ଆସନ୍ତା ୫ ବର୍ଷରେ ୪୦୦ କୋଟି ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍‌ ବାବଦ ରାଶି ଆଦାୟ କରିବ। ବିଦ୍ୟୁତ୍ ବଣ୍ଟନରେ ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ସାଉଥ୍‌କୋ ଅଞ୍ଚଳରେ ୩୫.୨୯ ପ୍ରତିଶତ‌ ଏବଂ ୱେସ୍କୋ ଅଞ୍ଚଳରେ ୨୭.୫୬ ପ୍ରତିଶତ ରହିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନି ଏହି କ୍ଷତିକୁ ଯଥାକ୍ରମେ ୧୪.୬୦ ପ୍ରତିଶତ ଏବଂ ୯.୦୮ ପ୍ରତିଶତକୁ କମାଇବାର ଦୃଢ଼ ପ୍ରତିଶ୍ରୁତି ଦେଇଛି।

ୱେସ୍କୋ ଓ ସାଉଥ୍‌କୋର ପରିଚାଳନା ପାଇଁ ଟାଟା ପାୱାରକୁ ଅନେକ ସର୍ତ୍ତ ପାଳନ କରିବାକୁ ହେବ। ଏହି ସର୍ତ୍ତାବଳିରେ କମ୍ପାନିର ପରିଚାଳନାଠାରୁ ଆରମ୍ଭ କରି କର୍ମଚାରୀଙ୍କ ନିଯୁକ୍ତି, ପ୍ରଦର୍ଶନ ଏବଂ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଆଦି ହ୍ରାସ ସଂପର୍କରେ ଉଲ୍ଲେଖ କରାଯାଇଛି।

ଓଇଆର୍‌ସିଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ସାଉଥକୋରେ ଏବେ କାର୍ଯ୍ୟରତ କର୍ମଚାରୀମାନେ ଟାଟା ପାୱାର ଅଧୀନକୁ ଯିବେ। ଟାଟା ପାୱାର ଅଧୀନକୁ ଯିବାପରେ କର୍ମଚାରୀଙ୍କ ନିଯୁକ୍ତି ସଂକ୍ରାନ୍ତ ସର୍ତ୍ତାବଳିକୁ କୌଣସି ପ୍ରକାରେ ବର୍ତ୍ତମାନର ଚାକିରି ସର୍ତ୍ତାବଳୀଠାରୁ ଖରାପ କରାଯାଇ ପାରିବ ନାହିଁ। ଓଇଆରସିଙ୍କ ରାୟରୁ ସୂଚନା ମିଳିଛି ଯେ ସାଉଥକୋର ମୋଟ ବୈଷୟିକ ଓ ବାଣିଜ୍ୟିକ କ୍ଷତି ଏବେ ୩୫.୨୯ ପ୍ରତିଶତ ରହିଛି। ଏହି କ୍ଷତିକୁ ଆସନ୍ତା ୧୦ ବର୍ଷ ଭିତରେ ୧୪.୮୦ ପ୍ରତିଶତକୁ କମାଯିବ। ଅର୍ଥାତ୍ ୧୦ ବର୍ଷ ଭିତରେ ସାଉଥ୍‌କୋର ଏଟି ଆଣ୍ଡ ସି କ୍ଷତି ୨୦.୪୯ ପ୍ରତିଶତ ହ୍ରାସ ପାଇବ ବୋଲି କମ୍ପାନି ପ୍ରତିଶ୍ରୁତି ଦେଇଛି। ଏଥି ସହିତ ସାଉ‌ଥ୍‌କୋର ବିକାଶ ପାଇଁ ଟାଟା ପାୱାର ଆସନ୍ତା ୫ ବର୍ଷ ଭିତରେ ୧୧୬୬ କୋଟି ଟଙ୍କା ପୁଞ୍ଜି ବ୍ୟୟ ଆକାରରେ ଖଟାଇବ। ୨୦୨୧-୨୨ ଆର୍ଥିକ ବର୍ଷରେ ୨୨୭ କୋଟି, ୨୦୨୨-୨୩ରେ ୩୧୬ କୋଟି, ୨୦୦୩-୨୪ରେ ୨୪୧ କୋଟି, ୨୦୨୪-୨୫ରେ ୨୩୩ କୋଟି ଏବଂ ୨୦୨୫-୨୬ରେ ୧୫୦ କୋଟି ଟଙ୍କା ନିବେଶ କରିବ। ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାର ସୁରକ୍ଷାକୁ ସୁଦୃଢ଼ କରିବା ସହିତ ବୈଷୟିକ ଉନ୍ନତି ଏବଂ କ୍ଷତି ହ୍ରାସ ବାବଦରେ ଉକ୍ତ ପୁଞ୍ଜିରାଶି ସାଉଥ୍‌କୋରେ ଟାଟା ପାୱାର ବିନିଯୋଗ କରିବ। କେବଳ ସେତିକି ନୁହେଁ; ଆସନ୍ତା ୫ ବର୍ଷ ମଧ୍ୟରେ ଟାଟା ପାୱାର ସାଉଥକୋ ଅଧୀନ ବିଦ୍ୟୁତ୍ ଗ୍ରାହକଙ୍କ ଉପରେ ବାକି ପଡ଼ିଥିବା ରାଶି ମଧ୍ୟରୁ ୧୦୦ କୋଟି ଟଙ୍କା ଆଦାୟ କରିବ।

ସେହିଭଳି ୱେସ୍କୋର ବୈଷୟିକ ଏବଂ ବାଣିଜ୍ୟିକ କ୍ଷତି ଏବେ ୨୭.୫୬ ପ୍ରତିଶତ ରହିଥିବାବେଳେ ଆସନ୍ତା ୧୦ ବର୍ଷ ମଧ୍ୟରେ ଏହାକୁ କମ୍ପାନି ୯.୦୮ ପ୍ରତିଶତକୁ କମାଇବା ପାଇଁ ପ୍ରସ୍ତାବ ଦେଇଛି ବୋଲି ଓଇଆରସି ପକ୍ଷରୁ କୁହାଯାଇଛି। ଅର୍ଥାତ୍ ୧୦ ବର୍ଷ ମ‌ଧ୍ୟରେ ଟାଟା ପାୱାର ୱେସ୍କୋର ଏଟି ଆଣ୍ଡ ସି କ୍ଷତିରେ ୧୮.୪୮ ପ୍ରତିଶତ ହ୍ରାସ ଆଣିବା ହିସାବ ଦେଇଛି। ସେହିଭଳି ୱେସ୍କୋ ଅଞ୍ଚଳରେ ବିଦ୍ୟୁତ୍ ବଣ୍ଟନ ଭିତ୍ତିଭୂମିରେ ବିକାଶ ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି ଆସନ୍ତା ୫ ବର୍ଷ ଭିତରେ ଟାଟା ପାୱାର ୧୬୬୩ କୋଟି ଟଙ୍କା ନିବେଶ କରିବାର ପ୍ରସ୍ତାବ ଦେଇଛି। ଏଥିରୁ କମ୍ପାନି ୨୦୨୧-୨୨ ଆଥିକ ବର୍ଷରେ ୩୦୬ କୋଟି, ୨୦୨୨-୨୩ରେ ୫୦୦ କୋଟି, ୨୦୨୩-୨୪ରେ ୩୩୩ କୋଟି, ୨୦୨୪-୨୫ରେ ୩୨୨ କୋଟି ଏବଂ ୨୦୨୫-୨୬ରେ ୨୦୨ କୋଟି ନିବେଶ କରିବାର ପ୍ରସ୍ତାବ ରଖିଛି।

କେବଳ ସେତିକି ନୁହେଁ କମ୍ପାନି ବକେୟା ବିଦ୍ୟୁତ୍ ବିଲ୍ ଆଦାୟରେ ମଧ୍ୟ ପାରଦର୍ଶିତା ଆଣିବ। ଆସନ୍ତା ୫ ବର୍ଷ ମଧ୍ୟରେ ୱେସ୍କୋ ଅଞ୍ଚଳରୁ ଟାଟା ପାୱାର ୩୦୦ କୋଟି ଟଙ୍କାର ବକେୟା ଆଦାୟ କରିବ ବୋଲି କୁହାଯାଇଛି। ଗ୍ରିଡକୋ ଏବଂ ସାଉଥ୍‌କୋ ଅଞ୍ଚଳ ପାଇଁ ଗଠିତ ସାଉଥ୍‌ ‌ଓଡ଼ିଶା ପାୱାର କମ୍ପାନି ଲିମିଟେଡ ମଧ୍ୟରେ ହେବାକୁ ଥିବା ବିଜୁଳି କ୍ରୟ ରାଜିନାମା ଅନୁସାରେ ବିଦ୍ୟୁତ କିଣାଯିବ। କର୍ମଚାରୀ, ଖାଉଟି, ବିଦ୍ୟୁତ ଯୋଗାଣକାରୀ ଏବଂ ବୈଧାନିକ ସଂସ୍ଥା ଆଦିକୁ ଦୁଇ କମ୍ପାନି ୱେସ୍କୋ ଓ ସାଉଥ୍‌କୋ ଯାହା ଦେବାକୁ ଅଛି କିମ୍ବା ପାଇବାକୁ ଅଛି ତାହା ଲାଇସେନ୍ସ ହାସଲକାରୀ କମ୍ପାନି ନିକଟକୁ ଯିବ। ୱେସ୍କୋ କ୍ଷେତ୍ରରେ ମଧ୍ୟ ଏହି ନିୟମ ପ୍ରଯୁଜ୍ୟ ହେବ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଓଇଆରସିର ଏହି ରାୟ ପରେ ଟାଟା ପାୱାର ହାତକୁ ଉପକୂଳ ଏବଂ ମଧ୍ୟ ଓଡ଼ିଶା ପରେ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାର ବିଜୁଳି ବଣ୍ଟନ ଦାୟିତ୍ବ ଯାଇଛି। ‌ୱେସ୍କୋ ଅଧୀନରେ ଥିବା ୫ଟି ବିଦ୍ୟୁତ୍ ସର୍କଲ ଯଥା ରାଉରକେଲା, ବୁର୍ଲା, ଭବାନୀପାଟଣା, ବଲାଙ୍ଗୀର, ବରଗଡ଼ ଯାଇଥିବାବେଳେ ସାଉଥକୋ ଅଧୀନରେ ଥିବା ୬ଟି ବିଦ୍ୟୁତ୍ ସର୍କଲ ଯଥା ଗଞ୍ଜାମ ସିଟି, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ଜୟପୁର ଏବଂ ରାୟଗଡ଼ା ସର୍କଲ ଯାଇଛି।

ସମ୍ବନ୍ଧିତ ଖବର