ସମ୍ବଲପୁର: ଜଣେ କି ଦି’ଜଣ ନୁହନ୍ତି, ଭାରତ ବନ୍ଦ ଯୋଗୁ ୮ ହଜାର ଟ୍ରକ୍ ଚାଳକ ଭୋକରେ ଥିଲେ। ସେମାନଙ୍କ ମୁହଁକୁ ଚାହିଁଲେନି ସମ୍ବଲପୁର ମହାନଗର ନିଗମ(ଏସଏମସି)। ୧୫ ଶହ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଭାତ, ଡାଲ୍ମା ଫିଙ୍ଗିଦେଲେ। ଏହି ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଅର୍ଥନୈତିକ ଅବରୋଧ ସହିତ ଶ୍ରମିକ ଧର୍ମଘଟ ଯୋଗୁଁ ୩ ଦିନ ହେଲା ସମ୍ବଲପୁର ଜାତୀୟ ରାଜପଥରେ ଫସି ରହିଥିଲେ ପ୍ରାୟ ୮ ହଜାରରୁ ଊର୍ଧ୍ବ ଟ୍ରକ୍ ଚାଳକ। ହୋଟେଲ ବନ୍ଦ ସହିତ ଟଙ୍କା ଅଭାବ ଯୋଗୁଁ ଖାଦ୍ୟ ପାଇଁ ବିକଳ ଅବସ୍ଥା ଥିଲା। ଗୋଟେ ପଟେ ଏଭଳି ସ୍ଥିତି ଥିବାବେଳେ ଗରିବଙ୍କ ପାଇଁ ଥିବା ଆହାର କେନ୍ଦ୍ରର ରନ୍ଧା ଖାଦ୍ୟ ଫିଙ୍ଗିବା ପାଇଁ ଏସଏମସି ପ୍ରସ୍ତୁତି କରିଥିଲା। ପରବର୍ତ୍ତୀ ଦିନ ଅର୍ଥାତ୍ ଆଜି (ଗୁରୁବାର) ବିପୁଳ ପରିମାଣର ଖାଦ୍ୟ ଫିଙ୍ଗି ଦିଆଗଲା। ସମ୍ବଲପୁର ସହରର ଲକ୍ଷ୍ମୀ ଟକିଜ, ଜେଲଛକ, ସଦର ଡାକ୍ତରଖାନା, ଚେରୁଆପଡ଼ା ଏବଂ ବୁର୍ଲା ଓ ହୀରାକୁଦରେ ରହିଛି ୬ ଆଧାର କେନ୍ଦ୍ର। ଲକ୍ଷ୍ମୀ ଟକିଜ, ଜେଲ ଛକରେ ୭୫୦ ଜଣଙ୍କ, ମେଡିକାଲ, ଚେରୁଆପଡ଼ାରେ ୫୦୦ ଜଣ, ବୁର୍ଲାରେ ୨ ହଜାର ଲୋକଙ୍କ ପାଇଁ ଭାତ, ଡାଲମା ରନ୍ଧାଯାଏ। କୌଣସି ବ୍ୟକ୍ତି ଭୋକିଲା ନରୁହନ୍ତୁ ଏଥିପାଇଁ ୫ ଟଙ୍କାର ଭାତ, ଡାଲମା ଏବଂ ଆଚାର ଦେବା ପାଇଁ ସରକାରଙ୍କ ପକ୍ଷରୁ ୨୦ ଟଙ୍କା ଖର୍ଚ କରାଯାଏ। ୨ ଦିନର ଧର୍ମଘଟ ଯୋଗୁଁ ଯେଉଁ ଯେତେ ସଂଖ୍ୟକ ଲୋକ ଆସିବା କଥା ସେତେ ଆସି ପାରିନଥିଲେ। ସାଧାରଣ ଦିନରେ ୭୦୦ ଲୋକ ଆହାର କେନ୍ଦ୍ରକୁ ଆସୁଥିବାବେଳେ ୮ ତାରିଖ ୨ ଶହ ଏବଂ ୯ ତାରିଖ ୪୦୦ ଜଣ ଆସିଥିଲେ। ସେହିପରି ଅନ୍ୟ ଆହାର କେନ୍ଦ୍ର ଗୁଡ଼ିକର ସ୍ଥିତି ମଧ୍ୟ ସମାନ। ଧର୍ମଘଟ ସମୟରେ ଅନ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁଭଳି ଖାଦ୍ୟ ବ୍ୟବସ୍ଥା କରାଯାଏ ଓଡ଼ିଶାରେ ସେଭଳି ବ୍ୟବସ୍ଥା ନଥିବା ଯୋଗୁଁ ଦୁର୍ଦଶାର ସମ୍ମୁଖୀନ ହେଉଥିବା କହିଥିଲେ ଫସି ରହିଥିବା ଅନେକ ଟ୍ରକ ଚାଳକ। ସ୍ଥାନୀୟ ଅଧିବାସୀଙ୍କ କହିବାନୁସାରେ, ବନ୍ଦ ଯୋଗୁଁ ଅସୁବିଧାରେ ଥିବା ଲୋକଙ୍କୁ ଆହାର କେନ୍ଦ୍ରର ବଳକା ଖାଦ୍ୟ ମାଗଣା ଦିଆଯାଇନଥିଲେ ଅନ୍ତତଃ ବିକ୍ରି କରାଯାଇ ପାରି ଥାଆନ୍ତା। ଏଥିପାଇଁ ସାମାଜିକ ସଂସ୍ଥାଗୁଡ଼ିକର ସହାୟତା ନିଆଯାଇଥିଲେ ଏହା କାର୍ଯ୍ୟକାରୀ କରିବାରେ ସମସ୍ୟା ହୋଇନଥାଆନ୍ତା। ନଭେମ୍ବର ମହାବନ୍ଦ ସମୟରେ ସାମାଜିକ ଅନୁଷ୍ଠାନ ସ୍ବଇଚ୍ଛା ଏହି କାର୍ଯ୍ୟକରି ପ୍ରଶଂସାଭାଜନ ହୋଇଥିଲା। ତେବେ, ଏ ସମ୍ପର୍କରେ ଏସଏମସି ଡେପୁଟି କମିସନରସୁଧାଂଶୁ ଭୋଇ ଭିନ୍ନକଥା କହିଛନ୍ତି। ସେ କହିଛନ୍ତି, ବଳକା ଖାଦ୍ୟ ଫିଙ୍ଗିବା ଛଡ଼ା ଏସ୍ଏମ୍ସିର ଅନ୍ୟ ପନ୍ଥା ନଥିଲା। ଖାଦ୍ୟକୁ ଅନ୍ୟ କେଉଁଠି ବିକ୍ରି କିମ୍ବା ବଣ୍ଟନ କରିବା ନିୟମ ନାହିଁ ବୋଲି ସେ କହିଥିଲେ।
ଫିଙ୍ଗିଦେଲେ ୧୫ଶହ ଲୋକଙ୍କ ଖାଦ୍ୟ, ଭୋକରେ ଥିଲେ ୮ ହଜାର ଟ୍ରକ୍ ଚାଳକ
/sambad/media/post_attachments/wp-content/uploads/2019/01/Untitled-9-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)