ପଶ୍ଚିମବଙ୍ଗ ଜାଲ୍‌ ନୋଟ୍‌ ରାକେଟ୍‌ର ପର୍ଦ୍ଦାଫାସ: ଲକ୍ଷେ ଟଙ୍କାରେ ୭୦% କମିସନ

୪ ରାଜ୍ୟରେ ଲମ୍ବିଥିଲା ଚେର, ୫ ଜଣଙ୍କୁ ଗିରଫ କଲା ପୁଲିସ

ମାଲକାନଗିରି : ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ‌ ହେଉଥିଲା, ଓଡ଼ିଶା ସମେତ ଆନ୍ଧ୍ରପ୍ର‌ଦେଶ, ଛତିଶଗଡ଼ ଏବଂ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିଲା। ୩୦ ହଜାର ଟଙ୍କାର ଅସଲି ନୋଟ୍‌ ଦେଲେ ମିଳୁଥିଲା ଲକ୍ଷେ ଟଙ୍କାର ଜାଲ୍‌ ନୋଟ୍‌। ଏତେ ସୁନିୟୋଜିତ ଭାବେ ଏହି ନକଲି ନୋଟ୍‌ ରୢାକେଟ୍‌ କାମ କରୁଥିଲା ଯେ, କେହି ଟେର୍‌ ପାଉ ନଥିଲେ। ଏମାନଙ୍କ ଟାର୍ଗେଟ୍‌ରେ ଥିଲେ ଆଦିବାସୀ ଏବଂ ଅଶିକ୍ଷିତ ଲୋକ। ୭୦ହଜାର ଟଙ୍କାର ସିଧାସଳଖ ଲାଭ ପାଇଁ ବହୁ ଲୋକ ଏହି ରୢାକେଟ୍‌ର ମାୟାଜାଲରେ ପଡ଼ି ଯାଇଥିଲେ। ଶେଷରେ ରୢାକେଟ୍‌ର ପର୍ଦ୍ଦାଫାସ କରିଛି ମାଲକାନଗିରି ପୁଲିସ। ରୢାକେଟ୍‌ର ଦୁଇ ଜଣ ସଦସ୍ୟ ପଶ୍ଚିମବଙ୍ଗରୁ ମାଲକାନଗିରି ଆସିବା ସମୟରେ ରାସ୍ତାରେ ପୁଲିସ କାବୁ କରିଥିଲା। ଏହାପରେ ରୢାକେଟ୍‌ ସହ ସଂପୃକ୍ତ ଅନ୍ୟ ୩ଜଣ ଧରାପଡ଼ିଛନ୍ତି। ତେବେ ଏମାନେ କେତେଦିନ ଧରି ଏହି ନକଲି ନୋଟ୍‌ କାରବାର କରୁଥିଲେ ଏବଂ ଏମାନଙ୍କ ଦ୍ବାରା କେତେ ଟଙ୍କାର ଜାଲ୍‌ ନୋଟ୍‌ ବଜାରରେ ବୁଲୁଛି ସ୍ପଷ୍ଟ ହୋଇପାରି ନାହିଁ। ଅନ୍ୟପକ୍ଷରେ ଜାଲ୍‌ ନୋଟ୍‌ ଦେବାକୁ କହି କିଛି ଜଣଙ୍କ ଠାରୁ ଟଙ୍କା ନେଇ ଚମ୍ପଟ ମାରିଥିବା ବି ଜଣାପଡ଼ିଛି।

ବହୁଦିନ ହେଲା ମାଲକାନଗିରି ଜିଲ୍ଲାରେ ଗୋଟିଏ ନକଲି ନୋଟ୍‌ କାରବାର କରୁଥିବା ରୢାକେଟ୍‌ ସକ୍ରିୟ ଥିବା କିଛି ଦିନ ତଳେ ପୁଲିସକୁ ସୁରାକ୍‌ ମିଳିଥିଲା। ଏହି ରୢାକେଟ୍‌ କେମିତି କାମ କରୁଛି ଏବଂ ଏହାର ସଦସ୍ୟ କେମିତି କାମ କରୁଛନ୍ତି ତାହାର କୌଣସି ଠୋସ୍‌ ସୂଚନା ପୁଲିସ ନିକଟରେ ନଥିଲା। ତେଣୁ ମାଲକାନଗିରି ଏସ୍‌ଡିପିଓ ସୁଭେନ୍ଦୁ ପାତ୍ର ନିଜେ ତଦନ୍ତ ଆରମ୍ଭ କରିଥିଲେ। ଅନେକ ଜଣଙ୍କ ସହ ଯୋଗାଯୋଗ କରିବା ପରେ ଶେଷରେ ଜଣାପଡ଼ିଥିଲା ଏହି ରୢାକେଟ୍‌ ପଶ୍ଚିମବଙ୍ଗରୁ ନିୟନ୍ତ୍ରଣ ହେଉଛି। ରୢାକେଟ୍‌ ସଦସ୍ୟ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଜାଲ୍‌ ନୋଟ୍‌ ଦେଇ ଅସଲି ନୋଟ୍‌ ନେଇ ଚାଲି ଯାଉଛନ୍ତି। ସେହିପରି କିଛି ଜଣଙ୍କ ଠାରୁ ଅସଲି ନୋଟ୍‌ ନେଇ ଆଉ ଧରାଛୁଆଁ ଦେଉନାହାନ୍ତି। ଏହାପରେ ଏସ୍‌ଡିପିଓଙ୍କ ନେତୃତ୍ବରେ ଗୋଟିଏ ଟିମ୍‌ ଗଠନ ହୋଇଥିବା ବେଳେ ମାଲକାନଗିରି ଥାନା ଆଇଆଇସି ରିଗାନ କିଣ୍ଡୋ, ଏସ୍‌ଆଇ ପ୍ରଭାତ ଗୌଡ ଏବଂ ଅନ୍ୟ କର୍ମଚାରୀ ମିଳିତ ଭାବେ ତନାଘନା ଆରମ୍ଭ କରିଥିଲେ।

ରୢାକେଟ୍‌ ପଛରେ ପୁଲିସ ନିୟୋଜିତ କରିଥିବା ସୂଚନାଦାତା ଶେଷରେ ଏହି ଗ୍ୟାଙ୍ଗ ପଶ୍ଚିମବଙ୍ଗରୁ ମାଲକାନଗିରି ଆସୁଥିବା ଖବର ପାଇଥିଲା। ଏହାପରେ ରୢାକେଟ୍‌ ସଦସ୍ୟଙ୍କୁ ପୁଲିସ ଟ୍ରାକ୍‌ରେ ରଖି ଜୟପୁରରୁ ବାହାରି ମାଲକାନଗିରି ପହଞ୍ଚିବା ପରେ ପଶ୍ଚିମବଙ୍ଗର ଦୁଇ ଜଣଙ୍କୁ ଏବଂ ମାଲକାନଗିରିର ତିନି ଜଣଙ୍କୁ ପୁଲିସ ଗିରଫ କରିଥିଲା। ଅଭିଯୁକ୍ତ ତଥା କାଲିମେଳା ଥାନା ଅନ୍ତର୍ଗତ ଏମ୍‌ଭି-୫୫ ଗ୍ରାମର ଶକ୍ତି ପଦ ବାଚାର (୧୯), ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୨୪ ଗ୍ରାମର ଅସୀମ ବିଶ୍ବାସ (୩୫) ଓ ନିରଞ୍ଜନ ରାୟ (୩୪), ପଶ୍ଚିମବଙ୍ଗ ମଧ୍ୟଗ୍ରାମ ଥାନା ଅନ୍ତର୍ଗତ କୋରା ଗ୍ରାମର ବିଷ୍ଣୁ ବିଶ୍ବାସ (୪୨) ଏବଂ ଶ୍ରୀନଗର ଶୀତଲ ମନ୍ଦିର ନିକଟର ଶ୍ୟାମଲ ସାହା (୫୯)ଙ୍କୁ ପୁଲିସ ପଚରାଉଚୁରା କରିବା ପରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସକୁ ମିଳିଛି।

ସମ୍ବନ୍ଧିତ ଖବର