ଭୋଗରାଇ : ଓଡ଼ିଶା ସୀମା ଭିତରକୁ ପଶିଆସୁଛି ପଶ୍ଚିମବଙ୍ଗ। ଓଡ଼ିଶା ଭୂଇଁରେ ବଙ୍ଗଳାବାସୀ ଘର କରିସାରିଲେଣି। ବିରୋଧ କଲେ ଧମକ ଦେଉଛନ୍ତି। ପ୍ରଶାସନ ସବୁ ଜାଣି ଚୁପ୍‌ ବସିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ ଅନଳିଆ ପଞ୍ଚାୟତର ମାନକୁଣ୍ଡା ଗାଁ’ରେ ଦେଖିବାକୁ ମିଳିଛି ଏପରି ପରିସ୍ଥିତି।

Advertisment

ଓଡ଼ିଶାର ସୀମାନ୍ତ ଗାଁ ହେଉଛି ମାନକୁଣ୍ଡା। ଗାଁ ମୁଣ୍ଡରେ ରହିଛି ସାପ୍ତାହିକ ହାଟ। ଯାହାର ପ୍ରାୟ ୧୦୦ ମିଟର ଦୂରରେ ରହିଛି ପଶ୍ଚିମବଙ୍ଗ ସୀମା। ମାତ୍ର ଏବେ ଭୌଗଳିକ ସ୍ଥିତି ବଦଳିଯାଇଛି। ପଶ୍ଚିମବଙ୍ଗ ଓଡ଼ିଶା ସୀମାକୁ ଅକ୍ତିଆର କରିସାରିଲାଣି। ମାନକୁଣ୍ଡା ସାପ୍ତାହିକ ହାଟପଡ଼ିଆକୁ ପଶ୍ଚିମବଙ୍ଗବାସୀ ନିଜ କବ୍‌ଜାକୁ ନେଇଗଲେଣି। ବ୍ୟବସାୟ ନାମରେ ଘରଦ୍ୱାର କରି ବସବାସ କଲେଣି। ବିରୋଧ କଲେ ସେମାନେ ଧମକ ଦେଉଛନ୍ତି। ସମସ୍ୟା ବାବଦରେ ସ୍ଥାନୀୟ ଲୋକେ ବ୍ଲକ୍‌ ପ୍ରଶାସନ ଓ ଭୋଗରାଇ ତହସିଲରେ ଅଭିଯୋଗ କରିଥିଲେ। ହେଲେ କିଛି ଫଳ ମିଳିନି ବୋଲି କହିଛନ୍ତି ମାନକୁଣ୍ଡା ଗାଁ’ର ଉଦୟ ପାଢ଼ୀ।

ଏ ନେଇ ଭୋଗରାଇ ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦ୍ବାରା ଘଟଣାର ତଦନ୍ତ କରାଯିବ ଓ ଘଟଣା ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଯିବ। ସେମାନଙ୍କ ନିର୍ଦ୍ଦେଶ ଅନୁସାରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ପ୍ରକାଶଥାଉକି, ୨୦୦୭ ମସିହାରେ ମାନକୁଣ୍ଡା ଗାଁ ସୀମାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଗାର୍ଡୱାଲ୍‌ ନିର୍ମାଣ କରାଯାଇଥିଲା। ଏହାକୁ ପଶ୍ଚିମବଙ୍ଗର ଲୋକମାନେ ବିରୋଧ କରିଥିଲେ। ଉତ୍ତେଜନା ଯୋଗୁ ନିର୍ମାଣ କାର୍ଯ୍ୟ ବନ୍ଦ ରହିଥିଲା। ବହୁଦିନ ପର୍ଯ୍ୟନ୍ତ ସୀମାରେ ପୁଲିସ ଫୋର୍ସ ମୁତୟନ ଥିଲେ। ଶେଷରେ ଦୁଇ ରାଜ୍ୟର ପୁଲିସ ଅଧିକାରୀସ୍ତରରେ ସୀମା ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ବିବାଦୀୟ ଜମିରେ କେହି ହସ୍ତକ୍ଷେପ କରିବେ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ପଶ୍ଚିମବଙ୍ଗ ଏହାକୁ ମାନୁନାହିଁ। ଯାହାଫଳରେ ଏଭଳି ସ୍ଥିତି ଉପୁଜୁଛି।