ଜଳେଶ୍ୱର: ଓଡ଼ିଶାରେ ଏବେ ପଶ୍ଚିମବଙ୍ଗ ବାଲିମାଫିଆ ସକ୍ରିୟ। ସୀମାନ୍ତ ବାଲେଶ୍ବର ଜିଲ୍ଲାର ଜଳେଶ୍ବର ବ୍ଲକ୍ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀରୁ ବେଆଇନ୍ ଭାବେ ଉତ୍ତୋଳିତ ହେଉଥିବା ବାଲିରୁ ୭୦ ପ୍ରତିଶତ ପଶ୍ଚିମବଙ୍ଗ ମାଫିଆ ଲୁଟି ନେଉଛନ୍ତି। ଫଳସ୍ବରୂପ ଓଡ଼ିଶା ବାର୍ଷିକ ପାଞ୍ଚଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ରାଜସ୍ବ ହରାଉଛି। ଆଜି ବିଧାନସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିଛି। ବେଧଡ଼କ ବାଲିଚୋରି ଯୋଗୁ ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ ଓ ନଦୀ ତଟବର୍ତ୍ତୀ ଅଞ୍ଚଳର ପରିବେଶ ମଧ୍ୟ ବଦଳି ଯାଉଛି। ଏ ଦିଗରେ ସରକାର ଖୁବ୍ଶୀଘ୍ର ପଦକ୍ଷେପ ନ ନେଲେ ସୁବର୍ଣ୍ଣରେଖା ନଦୀର ମୃତ୍ୟୁ ହେବାକୁ ଆଉ ଅଧିକ ଦିନ ଲାଗିବନି ବୋଲି ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଛନ୍ତି।
ରାଜସ୍ବ ହରାଉଛି ଓଡ଼ିଶା
ମରିବାକୁ ବସିଛି ସୁବର୍ଣ୍ଣରେଖା ନଦୀ
ବିଧାନସଭା ହାଉସ୍ କମିଟିକୁ ଆମନ୍ତ୍ରଣ କଲେ ବିଧାୟକ
ସରକାରୀ ତଥ୍ୟ ଅନୁଯାୟୀ ଜଳେଶ୍ୱର ତହସିଲ ଅଞ୍ଚଳରେ ସୁବର୍ଣ୍ଣରେଖା ନଦୀ ମଧ୍ୟରେ ପାଖାପାଖି ୨୫ଟି ବାଲି ଘାଟ ରହିଛି। ଏସବୁ ଘାଟଗୁଡ଼ିକ ହେଉଛି ମହମ୍ମଦନଗର ପାଟଣା (କ), (ଖ), (ଗ), (ଘ), ଚାଳନ୍ତି, କଣ୍ଟାପାଳ, ଶିଖରପୁର, ରିଭର ବ୍ଲକ୍(କ), (ଖ), ବାଲିକବାଡ଼, ପ୍ରହରାଜପୁର(କ),(ଖ), ଗୋବରଘାଟା, ମକ୍ରମପୁର, ସେକ୍ବାଡ଼, ରାୟାଁରାମଚନ୍ଦ୍ରପୁର, ସେକସରାଇ(କ), (ଖ), (ଗ), ମାକଡ଼ିଆ(କ), (ଖ), (ଗ), ବିଳାସପୁର, ଦକ୍ଷିଣ ପ୍ରହରାଜପୁର, ରାଜନଗର, ଡିହବେଲବାରିଆ ଓ ଗୋବର୍ଦ୍ଧନପୁର ସୈରାତ। ଏହି ସୈରାତ୍ଗୁଡ଼ିକ ପୂର୍ବରୁ ରାଜସ୍ବ ବିଭାଗ ଅଧୀନରେ ଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରୁ ଏଥିମଧ୍ୟରୁ ୨୦ଟି ସୈରାତକୁ ଖଣି ବିଭାଗକୁ ହସ୍ତାନ୍ତର କରାଯାଇଛି।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଜଳେଶ୍ୱରର ସୁବର୍ଣ୍ଣରେଖା ନଦୀରୁ ଉତ୍ତୋଳିତ ହେଉଥିବା ବାଲିରୁ ୭୦ ପ୍ରତିଶତ ପଡ଼ୋଶୀ ପଶ୍ଚିମବଙ୍ଗକୁ ବିଭିନ୍ନ ରାସ୍ତାଦେଇ ଚାଲାଣ କରାଯାଉଛି। ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଓ ପଶ୍ଚିମ ମେଦିନୀପୁର ଜିଲ୍ଲା ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ବାଲି ଉପରେ ନିର୍ଭରଶୀଳ। ବାଲି ଉତ୍ତୋଳନ ପାଇଁ ନଦୀ ମଝିରେ ବନ୍ଧ ପକାଇ, ଅସ୍ଥାୟୀ କାଠ ପୋଲ ନିର୍ମାଣ କରି ନଦୀର ଜଳଧାରାକୁ ରୋକି ଦିଆଯାଉଛି। ସେହିପରି ଶହ ଶହ ବର୍ଷ ଧରି ନଦୀତଟବର୍ତ୍ତୀ ଗାଁଗୁଡିକୁ ବନ୍ୟା ଦାଉରୁ ସୁରକ୍ଷା ଦେଉଥିବା ନଦୀବନ୍ଧକୁ ବାଲି ପରିବହନ ପାଇଁ କାଟି ଦିଆଯାଉଛି। ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଉଥିଲେ ମଧ୍ୟ ବାଲି ଚୋରି ଉପରେ ରୋକ୍ ଲାଗିପାରୁନି। ସବୁଠାରୁ ବଡ଼ କଥା ବାଲି ଚୋରି ସମ୍ପର୍କରେ ଅଭିଯୋଗ ହେଲେ ପ୍ରଶାସନ ଚଢ଼ଉ ପାଇଁ ଯାଉଥିବା ଖବର ମାଫିଆମାନେ ଆଗୁଆ ପାଉଛନ୍ତି। ପଶ୍ଚିମବଙ୍ଗର ବାଲି ମାଫିଆମାନେ ଓଡ଼ିଶା ସୀମା ଭିତରୁ କିପରି ବାଲି ଉତ୍ତୋଳନ କରୁଛନ୍ତି, ସେହି ପ୍ରସଙ୍ଗରେ ଆଜି ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ର ଓ ଭୋଗରାଇ ବିଧାୟକ ଗୌତମ ବୁଦ୍ଧ ଦାସ ବିଧାନସଭାରେ ରାଜସ୍ବ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପ୍ରସଙ୍ଗକୁ ସରକାର ଗୁରୁତ୍ବର ସହ ନେଇ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଉଭୟ ନେତା ଦାବି କରିଛନ୍ତି। ଏପରିକି ଜଳେଶ୍ୱର ବିଧାୟକ ଶ୍ରୀ ପାତ୍ର ବିଧାନସଭା ହାଉସ୍ କମିଟିକୁ ଜଳେଶ୍ୱରକୁ ଆସି ବାଲି ଉତ୍ତୋଳନ ବିଷୟରେ ଅନୁଧ୍ୟାନ କରିବାକୁ ଆମନ୍ତ୍ରଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/19/93r0JqEOWulH8J41YzFG.jpg)