ଅବକାରୀ ଧରପଗଡ଼ରୁ ମିଳିଲା ୩୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା, ପଶ୍ଚିମବଙ୍ଗର ଯୁବକ ବ୍ରହ୍ମପୁରରେ ଅଟକ

ବ୍ରହ୍ମପୁର: ଅବକାରୀ ଧରପଗଡ଼ ବେଳେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଠାରୁ ମିଳିିଛି ଟଙ୍କା ଭର୍ତ୍ତି ବ୍ୟାଗ୍‌। ଲାଞ୍ଜିପଲ୍ଲୀ ବାଇପାସ୍‌ ନିକଟରେ ଅବକାରୀ ବିଭାଗ ପକ୍ଷରୁ ଯାଂଚ ବେଳେ ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଥିବା ଉକ୍ତ ବ୍ୟକ୍ତିଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ମିଳିଥିଲା। ସେହି ବ୍ୟକ୍ତିର ଘର ମେଦିନୀପୁର ହୋଇଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ୍ ନେଇ ସେ କଟକ ଯାଉଥିବା କହିଥିଲା। ଅବକାରୀ ବିଭାଗ ତୁରନ୍ତ ଏନେଇ ବୈଦ୍ୟନାଥପୁର ଥାନାକୁ ଜଣାଇଥିଲେ। ପୁଲିସ ସେହି ବ୍ୟକ୍ତିକୁ ନେଇ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି। ତା’ ଠାରୁ ‌୩୩ଲକ୍ଷ ଟଙ୍କା ପୁଲିସ ଜବତ କରିଥିବା ସୂଚନା ମିଳିଛି। କୌଣସି ସୋରୁମ୍‌ରୁ ଏହି ଟଙ୍କା ନେଇ ଯାଉଥିବା ବ୍ୟକ୍ତି ଜଣକ କହିଥିବା ବେଳେ କେଉଁ ସୋ ରୁମ୍ ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ଗତମାସ ୯ତାରିଖରେ ସମାନ ଢଙ୍ଗରେ ଅବକାରୀ ବିଭାଗ ଧରପଗଡ଼ ବେଳେ ଲାଂଜିପଲ୍ଲୀ ବାଇପାସ୍‌ ନିକଟରେ ଜଣେ ବ୍ୟକ୍ତି ନିକଟରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଥିଲା। ଅବକାରୀ ବିଭାଗ ବୈଦ୍ୟନାଥପୁର ଥାନାକୁ ସେହି ଟଙ୍କା ଏବଂ ବ୍ୟକ୍ତିକୁ ହସ୍ତାନ୍ତର କରିଥିଲା। ପୁଲିସ ତଦନ୍ତରୁ ଜଣେ ବଡ଼ବଜାର ଜଣେ ଗହଣା ବ୍ୟବସାୟୀଙ୍କୁ ସୁନା ବିକି ସେ ଏହି ଟଙ୍କା ନେଇ କଟକ ଯାଉଥିବା କହିଥିଲା। ପୁଲିସ ଉକ୍ତ ଗହଣା ଦୋକାନ ଉପରେ ଚଢ଼ାଉ କରି ପ୍ରାୟ ୨କେଜିର ସୁନା ବିସ୍କୁଟ୍ ଜବତ କରିଥିଲା। ତେବେ ଜବତ ସୁନା ଚୋରା ଚାଲାଣ ହୋଇଥିଲା, ନାଁ ବ୍ୟବସାୟୀ ଜଣକ ଟିକସ୍‌ ଫାଙ୍କିଥିଲେ, ସେନେଇ ତଦନ୍ତ ଭାର ଆୟକର ବିଭାଗକୁ ହସ୍ତାନ୍ତର କରିଥିଲା।

ସୂଚନା‌େଯୋଗ୍ୟ, ଅବକାରୀ ଧରପଗଡ଼ ବେଳେ ଗତମାସ ଜଣେ ବ୍ୟକ୍ତିଙ୍କ ପାଖରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା। ଖବର ପାଇ ପୁଲିସ ପହଁଚି ତଦନ୍ତ କଲା। ଜଣେ ଗହଣା ଦୋକାନିଙ୍କୁ ପ୍ରାୟ ୨କେଜିର ସୁନା ବିକି ବ୍ୟକ୍ତି ଜଣକ ଏତେ ଟଙ୍କା ଏକସଂଗେ ନେଇ ଯାଉଥିବା ଜଣାପଡ଼ିଲା। କିନ୍ତୁ ଏହି କାରବାର ନେଇ ଉଭୟ ଆବଶ୍ୟକ ଦସ୍ତାବିଜ୍ ଦାଖଲ କରିପାରିନଥିଲେ। ଟିକସ ଫାଙ୍କି ଅବା ସୁନା ଚୋରାଚାଲାଣ (ସ୍ମଗ୍ଲିଂ) ହୋଇଥିବା ନେଇ ପୁଲିସ ସନ୍ଦେହ କରୁଥିବା ବେଳେ ଉଭୟ ଟଙ୍କା ଏବଂ ସୁନାକୁ ଜବତ କରିଥିଲା। 

ସମ୍ବନ୍ଧିତ ଖବର