ପଶ୍ଚିମବଙ୍ଗ ଫେରନ୍ତା ଓଡ୍ରାଫ୍ ଟିମ୍‌ର ୧୮ କୋଭିଡ୍‌ ପଜିଟିଭ୍‌

ମେଣ୍ଢାଶାଳ: ପଶ୍ଚିମବଙ୍ଗରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିବା ଓଡ୍ରାଫ୍ ଟିମ୍‌ର ୧୮ ଜଣ କରୋନା ପଜିଟିଭ୍‌ ବୋଲି ରିପୋର୍ଟ ମିଳିଛି। ଖୋର୍ଦ୍ଧା ଜିଲ୍ଲା ଜାମୁଝରୀସ୍ଥିତ ମହାତ୍ମା ଗାନ୍ଧୀ କାରାଗାର ଓ ସଂସ୍କାର ସେବା ଏକାଡେମିସ୍ଥିତ ରାଜ୍ୟସ୍ତରୀୟ ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ୮ଜଣ ଓ ଘଙ୍ଗାପାଟଣା ଆର୍‌ଆଇ ତାଲିମ୍‌ କେନ୍ଦ୍ରରୁ ୧୦ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ତେଣୁ ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରୁ ଭୁବନେଶ୍ବର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୭ ତାରିଖରୁ ଏ ପର୍ଯ୍ୟନ୍ତ ୭୯ ଜଣଙ୍କର ସ୍ବାବ୍ ପରୀକ୍ଷା କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୬୧ ଜଣଙ୍କ ସ୍ବାବ୍ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ହୋଇଥିବାରୁ ସେମାନଙ୍କୁ ସେମାନଙ୍କ ନିଜ ଘରକୁ ପଠାଇ ଦିଆଯାଇଛି।

ସାମୁଦ୍ରିକ ବାତ୍ୟା ଅମ୍ଫାନ୍‌ରେ କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ସରକାରଙ୍କୁ ସହାୟତା ଯୋଗାଇଦେବା ପାଇଁ ଓଡ଼ିଶାରୁ ଯାଇଥିବା ଓଡ୍ରାଫ୍ ଟିମ୍‌ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନେ ସେଠାରେ କରୋନା ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡ଼ିଥିଲା। ତେଣୁ ୫ ତାରିଖରେ ଏହି ଟିମ୍‌ର ୧୮୭ ଜଣଙ୍କୁ ଜାମୁଝରୀ ପୁଲିସ ଏକାଡେମିସ୍ଥିତ ରାଜ୍ୟସ୍ତରୀୟ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ପର୍ଯ୍ୟାୟକ୍ରମେ ସେମାନଙ୍କ ସ୍ବାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ୭ ତାରିଖରେ ୧୩ଜଣ ଓ ୧୧ ତାରିଖରେ ୨୯ ଜଣଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇଥିଲା। ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ସୂଚନାନୁସାରେ, ଏହି ଦୁଇ ପର୍ଯ୍ୟାୟରେ ହୋଇଥିବା ସ୍ବାବ୍ ପରୀକ୍ଷାରୁ ୮ଜଣ କରୋନା ପଜିଟିଭ୍‌ ବୋଲି ରିପୋର୍ଟ ଆସିଛି। ତେଣୁ ସଙ୍ଗେ ସଙ୍ଗେ ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୧୩ ତାରିଖରେ ପୁଣି ୨୮ଜଣଙ୍କର ସ୍ବାବ୍ ନମୁନା ସଂଗ୍ରହ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେହିଭଳି ଏହି ଓଡ୍ରାଫ୍ ଟିମ୍‌ ଓ ଅଗ୍ନିଶମ ବାହିନୀର ୮୦ଜଣଙ୍କୁ ଘଙ୍ଗାପାଟଣାସ୍ଥିତ ଆର୍‌ଆଇ ତାଲିମ୍‌ କେନ୍ଦ୍ରରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୭ଜଣଙ୍କ ସ୍ବାବ୍ ପରୀକ୍ଷା କରାଯାଇଛି ଓ ୧୦ଜଣ କରୋନା ପଜିଟିଭ ବୋଲି ରିପୋର୍ଟ ମିଳିଛି ବୋଲି ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ମୋହନ ହେମ୍ବ୍ରମ ସୂଚନା ଦେଇଛନ୍ତି। ତେଣୁ ପଶ୍ଚିମବଙ୍ଗରୁ ଫେରି ଏହି ଦୁଇ ସଙ୍ଗରୋଧ କେନ୍ଦ୍ରରେ ଥିବା ୨୬୭ଜଣଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୮ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ଓ ଆଗକୁ ଏହି ସଂଖ୍ୟା ବଢ଼ିବା ନିଶ୍ଚିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର