ଜଳେଶ୍ବର : ସଦ୍ୟ ପ୍ରକାଶିତ ପଶ୍ଚିମବଙ୍ଗ ଭୋଟର ତାଲିକାରେ ଗୋଟିଏ ପରିବାରର ୩ ଜଣକ ନାଁ ରହିଛି। ହେଲେ ସେହି ପରିବାର ଲୋକଙ୍କ ନାମ ମଧ୍ୟ ଓଡ଼ିଶା ଭୋଟର ତାଲିକାରେ ୩ବର୍ଷ ତଳୁ ସ୍ଥାନିତ ହୋଇଛି। ଏଭଳି ତଞ୍ଚକତାର ତୀବ୍ର ବିରୋଧ କରିଛନ୍ତି ଜଳେଶ୍ବର ବ୍ଲକ ନେତୁଆ ପଞ୍ଚାୟତର ଆଡ଼ିନଗା ଗ୍ରାମବାସୀ। ଏନେଇ ଜଳେଶ୍ବର ବିଡିଓଙ୍କ ନିକଟରେ ଗ୍ରାମର ହରେନ୍ଦ୍ରନାଥ ସାହୁ, ସୁଧାକର ପରିଡ଼ା, ଶମ୍ଭୁନାଥ ରଣା, ଲକ୍ଷ୍ମୀପ୍ରିୟା ଦାସ, ଚନ୍ଦନ କୁମାର ପରିଡ଼ା, ସ୍ମିତାରାଣୀ ଦାସ, ମିତାରାଣୀ ଦାସ ପ୍ରମୁଖ ଲିଖିତ ଅଭିଯୋଗ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି। ତଦନ୍ତ ପୂର୍ବକ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ସୂଚନା ଅନୁୟାୟୀ, ପଶ୍ଚିମବଙ୍ଗର ମୋହନପୁର ଥାନା ନୀଳଦା ପଞ୍ଚାୟତ ଅଧୀନସ୍ଥ ଧୋଇପଡ଼ା ଗ୍ରାମର ପ୍ରଣବାନନ୍ଦ ମହାପାତ୍ର ସେଠିକା ସ୍ଥାୟୀ ବାସିନ୍ଦା ହୋଇଥିବା ବେଳେ ପଶ୍ଚିମବଙ୍ଗ ଧୋଇପଡ଼ା ଗ୍ରାମର ଭୋଟର ତାଲିକାରେ ୭୭୭/୭୭୮ ଓ ୭୭୯ ନମ୍ବର ସିରିଏଲରେ ପ୍ରଣବାନନ୍ଦ, ତାଙ୍କ ପତ୍ନୀ କବିତା ଓ ପୁଅ ଶିବେନ୍ଦୁ ମହାପାତ୍ରଙ୍କ ନାଁ ରହିଛି। ତେବେ ପ୍ରଣବାନନ୍ଦଙ୍କ ବାପାଙ୍କ ନାମରେ ଆଡ଼ିନଗା ଗ୍ରାମରେ ଏକ ଜମି ରହିଥିବାରୁ ସେହି ଜମିକୁ ଦର୍ଶାଇ ପ୍ରଣବାନନ୍ଦ ଓ ତାଙ୍କ ପତ୍ନୀ ଓ ପୁଅଙ୍କ ନାଁ ଆଡ଼ିନଗା ଗ୍ରାମର ଭୋଟର ତାଲିକାରେ ମଧ୍ୟ ସ୍ଥାନିତ କରାଯାଇଛି। ପ୍ରଣବାନନ୍ଦ ଓ ତାଙ୍କ ପତ୍ନୀଙ୍କ ନାଁ ସିରିଏଲ ନମ୍ବର ୧୦୮୧ ଓ ୧୦୮୨ ରହିଥିବାବେଳେ ପୁଅଙ୍କ ନାମ ନେତୁଆ ଗ୍ରାମ ଭୋଟର ତାଲିକାରେ ରହିଛି। ଜଣେ ଭାରତୀୟ ନାଗରିକଙ୍କ ନାମ ଯେ କୌଣସି ଗୋଟିଏ ସ୍ଥାନରେ ଭୋଟର ତାଲିକାରେ ରହିବା ସରକାରୀ ନିୟମ ଥିବା ବେଳେ ଆଡ଼ିନଗା ଗ୍ରାମରେ ଏହା କିପରି ସମ୍ଭବ ହେଲା, ତାହା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଆଡ଼ିନଗା ଦାୟିତ୍ବଵରେ ଥିବା ବିଏଲଓ କିପରି ଯାଞ୍ଚ ନକରି ଜଣେ ପଶ୍ଚିମବଙ୍ଗ ସ୍ଥାୟୀ ଅଧିବାସୀ ଓ ଭୋଟରଙ୍କୁ ଓଡ଼ିଶା ଭୋଟର ତାଲିକାରେ ସ୍ଥାନିତ କଲେ ସେନେଇ ପ୍ରଶ୍ନ ଉଠିଛି। ସେହିପରି ଏହି ଘଟଣା ସରକାରଙ୍କ ଭୋଟର ତାଲିକା ପ୍ରସ୍ତୁତିରେ ରହିଥିବା ତ୍ରୁଟିକୁ ମଧ୍ୟ ଦର୍ଶାଉଛି।
କେବଳ ଆଡ଼ିନଗା ଗାଁ ନୁହେଁ, ବାଲେଶ୍ଵର ଜିଲ୍ଲାର ୮୨ଟି ଗାଁ ସହ ପଶ୍ଚିମବଙ୍ଗର ୯୦ଟି ଗ୍ରାମର ସୀମା ଲାଗିଥିବା ବେଳେ ସେ ସବୁ ପଶ୍ଚିମବଙ୍ଗ ସୀମାନ୍ତ ଅଧିବାସୀଙ୍କ ନାଁ ଓଡ଼ିଶା ଭୋଟର ତାଲିକାରେ ତଞ୍ଚକତା ପୂର୍ବକ ସ୍ଥାନିତ କରାଯାଉଛି। ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ହାତେଇବା ପାଇଁ ପଶ୍ଚିମବଙ୍ଗ ଅଧିବାସୀ ଏପରି ଉଦ୍ୟମ କରୁଥିବା ବାମପନ୍ଥୀ ନେତା ସିତାଂଶୁ ସେନାପତି, ଦିଲ୍ଲୀପ ଗିରି, ଦୀପ୍ତିମାନ ଆଚାର୍ଯ୍ୟ, ପଲ୍ଟୁ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ଜଳେଶ୍ବରବିଡିଓ ଦୀପ୍ତି ରଞ୍ଜନ ସେଠୀଙ୍କ ସହ ଯୋଗାଯୋଗ କରିବାରୁ ସେ ଅଭିଯୋଗ ପାଇଥିବା କହିବା ସହ ଘଟଣାର ଯାଞ୍ଚ ପରେ ଅଭିଯୋଗର ସତ୍ୟତା ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।