ଜଳେଶ୍ୱର: ଆଳୁକୁ ନେଇ ଓଡ଼ିଶା ସୀମାନ୍ତ ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ୍ରେ ଚିନ୍ତା ପ୍ରକାଶ ପାଇଛି। କାରଣ ୧୫ ଦିନ ତଳେ ଏଠାରେ ଯେଉଁ ଆଳୁ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା; ଏବେ ସେହି ଆଳୁ ୩୦ ଟଙ୍କା ଦରରେ ବିକ୍ରି ହେଉଛି। ଓଡ଼ିଶା ଖାଉଟି ବଜାର ପଡ଼ୋଶୀ ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭର କରୁଥିବା ବେଳେ ବଙ୍ଗ ବ୍ୟବସାୟୀ ଏବେ ଆଳୁକୁ ଓଡ଼ିଶା ଛାଡ଼ୁ ନାହାନ୍ତି। ସେମାନଙ୍କ ଦ୍ବାରା ରତ୍ପାନୀ କଟକଣା ଦର ବୃଦ୍ଧି ସମସ୍ୟାର ମୁଖ୍ୟ କାରଣ ବୋଲି କୁହାଯାଉଛି। କଟକଣା ବଳବତ୍ତର ରହିଲେ ଆଗାମୀ ଦିନ ଲୋକମାନେ ଚଢ଼ାଦରରେ ଆଳୁ କିଣିବାକୁ ବାଧ୍ୟ ହୋଇପାରନ୍ତି। ଓଡ଼ିଶା ଖାଉଟି ବଜାର ପଶ୍ଚିମବଙ୍ଗ ଆଳୁ ଉପରେ ନିର୍ଭର କରେ। ପଶ୍ଚିମବଙ୍ଗର ବର୍ଦ୍ଧମାନ, ପଶ୍ଚିମ ମେଦିନାପୁର, ବାଙ୍କୁଡ଼ା, ହୁଗୁଳି, ମୁର୍ଶିଦାବାଦ ଆଦି ଅଞ୍ଚଳରେ ଉତ୍ପାଦିତ ଆଳୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ରତ୍ପାନୀ ହୋଇଥାଏ। ଫଳରେ ଓଡ଼ିଶାରେ ଆଳୁ ଦର କମିବା ଓ ବଢ଼ିବା ପଶ୍ଚିମବଙ୍ଗ ଗୋଦାମ ମାଲିକଙ୍କ ଉପରେ ନିର୍ଭର କରେ। ଜଳେଶ୍ବର ବ୍ଲକ୍ରେ ୧୫ ଦିନ ତଳେ ଆଳୁ ୨୦ ଟଙ୍କା ଦରରେ ବିକ୍ରି ହେଉଥିଲା। ହଠାତ୍ ଦର ବଢ଼ି ୨୫ ଟଙ୍କା ହୋଇଗଲା। ଏମିତିକି ଗତ ଶୁକ୍ରବାରଠାରୁ ଆଳୁ ଦର ଆଉ ୫ ଟଙ୍କା ବୃଦ୍ଧି ପାଇ ଏବେ ୩୦ ଟଙ୍କାରେ ପହଞ୍ଚିଛି।
କୁହାଯାଉଛି ଯେ ଆଳୁ ଦର ବୃଦ୍ଧି ପାଇଁ ପଶ୍ଚିମବଙ୍ଗ ଗୋଦାମ ମାଲିକମାନେ ଦାୟୀ। ଗତ ଫେବ୍ରୁଆରି ମାସ ଆଳୁ ଅମଳ ହେବାକୁ ଯାଉଥିବା ବେଳେ ପଶ୍ଚିମବଙ୍ଗରେ ଅଦିନିଆ ବର୍ଷା ହୋଇଥିଲା। ଯାହାଦ୍ବାରା ଫସଲ ବ୍ୟାପକ କ୍ଷତି ହୋଇଛି ଏବଂ ଉତ୍ପାଦନ ହ୍ରାସ ପାଇଛି। ଏପରିସମୟରେ ଗୋଦାମ ମାଲିକମାନେ ଭବିଷ୍ୟତ ଚିନ୍ତା କରି ଆଳୁକୁ ଶୀତଳଭଣ୍ଡାରରେ ରଖିଦେଇଛନ୍ତି। ଏମିତିକି ଓଡ଼ିଶା ବଜାରକୁ ଆଳୁ ରତ୍ପାନୀ ଉପରେ ସଂଘ କଟକଣା ଲଗାଇଥିବା ଚର୍ଚ୍ଚା ହେଉଛି। ଏହି କଟକଣା ବଳବତ୍ତର ରହିଲେ ଆଗାମୀ ଦିନ ଜଳେଶ୍ବର ବ୍ଲକ୍ ଓ ବାଲେଶ୍ବର ଜିଲ୍ଲା ସହ ରାଜ୍ୟର ବିଭିନ୍ନ ଅଞ୍ଚଳର ଲୋକମାନେ ଚଢ଼ାଦରରେ କିଣିବେ ବୋଲି କୁହାଯାଉଛି। ସୂଚନା ଥାଉକି; ୨୦୧୨ ମସିହା ଏପ୍ରିଲ୍ ମାସ ପଶ୍ଚିମବଙ୍ଗ ଆଳୁକୁ ନେଇ ଓଡ଼ିଶାରେ ସମାନ ସ୍ଥିତି ଦେଖାଦେଇଥିଲା। ଏମିତି ଏକ ସମୟ ଆସିଥିଲା, ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯାଇ ପାରି ନଥିଲା। ତେଣୁ ବେଳ ଥାଉ ଥାଉ ଉପୁଜିଥିବା ଦୁଃସ୍ଥିତି ନିୟନ୍ତ୍ରଣ ହେବା ଜରୁରୀ। ଏନେଇ ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାର ତ୍ବରିତ ବିହିତ ପଦକ୍ଷେପ ନେବା ଦରକାର ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/JPR-Patato.jpg)