ଓଡ଼ିଶା ସୀମାନ୍ତ ଗାଁ ଉପରେ ପଶ୍ଚିମବଙ୍ଗର ନଜର

ସାହାବାଜିପୁରରେ ଜବରଦଖଲ ଉଦ୍ୟମ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଓ ପ୍ରଶାସନ

ଭୋଗରାଇ : ଓଡ଼ିଶା ସୀମାରେ ପଶ୍ଚିମବଙ୍ଗର ପୁଣି ଦାଦାଗିରି ଦେଖିବାକୁ ମିଳିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ସାହାବାଜିପୁର ଅଞ୍ଚଳରେ ଗତ ଶୁକ୍ରବାର ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ଜବରଦସ୍ତ ପଶି ଜଗା ଦଖଲ କରିବାକୁ ଉଦ୍ୟମ କରିଛନ୍ତି। ଜେସିବି ଲଗାଇ କେତେ ଜଣଙ୍କ ବ୍ୟକ୍ତିଗତ ଜାଗାରୁ ବଡ଼ ବଡ଼ ଗଛ ଉପାଡ଼ିବା ସହ ପାନବରଜ ଭାଙ୍ଗି ଜାଗାକୁ ସମତଳ କରିଛନ୍ତି। ତେବେ ସ୍ଥାନୀୟ ପଞ୍ଚାୟତ କର୍ତ୍ତୃପକ୍ଷ ଓ ଗ୍ରାମବାସୀ ଏହାର ଜୋରଦାର ବିରୋଧ କରିବା ସହିତ ତାଳସାରି ମେରାଇନ ଥାନା ପୁଲିସ ଓ ପ୍ରଶାସନକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଜେସିବି ସହିତ ପଶ୍ଚିମବଙ୍ଗ ପ୍ରଶାସନର ଲୋକେ ସେଠାରୁ ପଳାଇଥିଲେ। ସେପଟେ ସ୍ଥାୟୀ ସୀମା ନିର୍ଦ୍ଧାରଣ ଏବଂ ଗ୍ରାମବାସୀଙ୍କ ଭୂସମ୍ପତ୍ତିକୁ ସୁରକ୍ଷିତ ରଖିବା ଦାବିରେ ଗ୍ରାମବାସୀ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ପରେ ଆଜି ଭୋଗରାଇ ବିଧାୟକ ଅନନ୍ତ ଦାସ, ତହସିଲଦାର କମଳାକାନ୍ତ ପଣ୍ଡା, ସ୍ଥାନୀୟ ପୁଲିସ ଓ ରାଜସ୍ବ ବିଭାଗର କର୍ମଚାରୀ ସେଠାକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ଜବରଦଖଲ କରୁଥିବା ଜମିର ବାସ୍ତବ ଚିତ୍ରକୁ ପରିଖିଛନ୍ତି। ଯେ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ ନ ହୋଇଛି ସେ ଯାଏ ପଶ୍ଚିମବଙ୍ଗ ପ୍ରଶାସନକୁ ନ ପୂରାଇଦେବା ଲାଗି ପଦକ୍ଷେପ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ଓଡ଼ିଶା ସୀମାନ୍ତ ଉଦୟପୁର ବେଳାଭୂମିଠାରୁ ଆରମ୍ଭ କରି ସାହାବାଜିପୁର, ମୁଣ୍ଢାବଣିଆ, ମାନକୁଣ୍ଡା, ଶଗଡ଼ାସାହି ତଥା ଜଳେଶ୍ବର ବ୍ଲକର ବିଭିନ୍ନ ସୀମାନ୍ତବର୍ତ୍ତୀ ଗାଁର ସୀମାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ସମସ୍ୟା ରହିଆସିଛି। ବିଶେଷ କରି କରି ପଶ୍ଚିମବଙ୍ଗ ସରକାର ଦୀଘାକୁ ଲାଗି ରହିଥିବା ଓଡ଼ିଶାର ଉଦୟପୁର, ସାହାବାଜିପୁର ଗାଁ ଜମିକୁ ନିଜର ବୋଲି ଦର୍ଶାଇ ବିଭିନ୍ନ ସମୟରେ ବିବାଦ ସୃଷ୍ଟି କରୁଛନ୍ତି। ଏ ନେଇ ପୂର୍ବରୁ ବହୁଥର ଦୁଇ ରାଜ୍ୟ ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଏକାଧିକ ଥର ଆଲୋଚନା ସତ୍ତ୍ବେ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନାହିଁ। ଅନ୍ୟପକ୍ଷରେ ଓଡ଼ିଶାର ଏହି ସବୁ ଗାଁକୁ ଲାଗି ପଶ୍ଚିମବଙ୍ଗର ପଦିମା ଗାଁ ରହିଛି। ଦୁଇ ଗାଁର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା କିଛି ସରକାରୀ ଓ ଘରୋଇ ସମ୍ପତ୍ତିକୁ ପୁରୁଷାନୁକ୍ରମେ ଉଭୟ ଗାଁର ଲୋକେ ଭୋଗ ଦଖଲ କରିଆସୁଛନ୍ତି। ସେଠାରେ କେବେ କୌଣସି ସୀମା ନିର୍ଦ୍ଧାରଣ ହୋଇନାହିଁ। ଏଭଳି ପରିସ୍ଥିତିରେ ହଠାତ୍‌ ଗତ ଶୁକ୍ରବାର ଦିନ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ କୌଣସି ସୂଚନା ନ ଦେଇ ଓଡ଼ିଶା ସୀମା ସାହାବାଜିପୁର ଗାଁ ଲୋକଙ୍କ ଜମିରୁ ଗଛ ଉପାଡ଼ିବା, ପାନବରଜ ଭାଙ୍ଗିବା ସହ ମାଟିକୁ ସମତଳ କରିଥିଲେ। ଗ୍ରାମବାସୀ ଏହାର ବିରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବାରୁ ସେମାନେ ଚାଲିଯାଇଥିଲେ ମଧ୍ୟ ଆଜି ଆଉ ଥରେ କାର୍ଯ୍ୟ ଜାରି ରଖିଥିଲେ। ତେବେ ବିଧାୟକଙ୍କ ସହିତ ସ୍ଥାନୀୟ ତହସିଲଦାର, ତାଳସାରି ମେରାଇନ ଥାନା ଆଇଆଇସି ହେମନ୍ତ ମାଝୀ ସେଠାରେ ପହଞ୍ଚିବାରୁ ସେମାନେ ଜାଗା ଛାଡି ପଳାଇଥିଲେ।

ଏହି ଘଟଣାକୁ ନେଇ ବିଧାୟକ ଶ୍ରୀ ଦାସ, ତହସିଲଦାର ଶ୍ରୀ ପଣ୍ଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗଣପତି ଗିରି, ବ୍ଲକ ଉପାଧ୍ୟକ୍ଷ ଦୀପକ ଦାସ, ଜିଲ୍ଲା ପରିଷଦ ସଦସ୍ୟ ଦେବାଶିଷ ଚାନ୍ଦ, ହୁଗୁଳି ସରପଞ୍ଚ ତପନ ପଣ୍ଡା, ହେମନ୍ତ କୁମାର ବେହେରା, ସାହାବାଜିପୁର ସରପଞ୍ଚ ପରିମଳ ଗିରିଙ୍କୁ ନେଇ ଆଜି ଏକ ବୈଠକ ହୋଇଥିଲା। ନିଷ୍ପତ୍ତି ମୁତାବକ, ଓଡ଼ିଶା ସୀମାନ୍ତବର୍ତ୍ତୀ ଏହି ଗାଁର ସୀମା ପ୍ରଥ‌ମେ ନିର୍ଦ୍ଧାରଣ କରାଯିବ ବୋଲି ସ୍ଥିର ହୋଇଛି। ଯଦି ପଶ୍ଚିମବଙ୍ଗ ଅନଧିକୃତ ଭାବେ ଓଡ଼ିଶାର ଜାଗାକୁ ଜବରଦଖଲ କରୁଥିବା ଜଣାପଡ଼ିବ, ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ସୀମା ନିର୍ଦ୍ଧାରଣ ନ ହେବା ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ଅନୁପ୍ରବେଶକୁ ରୋକିବା ଲାଗି ମେରାଇନ ଥାନା ପୁଲିସକୁ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର