କୃଷି ସମୁଦାୟର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ: ମୁଖ୍ୟମନ୍ତ୍ରୀ

ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩

ସମ୍ବଲପୁର : ବର୍ତ୍ତମାନ ପାରଂପରିକ କୃଷିର ସମୟ ଗଲାଣି। ଯୁଗପୋଯୋଗୀ ଆଧୁନିକ କୃଷିରେ ଅନ୍ୟମାନଙ୍କ ସହ ତାଳଦେଇ ଚାଲିବାକୁ ହେଲେ ଚାଷ କ୍ଷେତ୍ରରେ ବିଭିନ୍ନ ଯନ୍ତ୍ରପାତିର ବ୍ୟବହାର ଜରୁରୀ। କୃଷିର ଯାନ୍ତ୍ରିକୀକରଣ ହେଉଛି ବର୍ତ୍ତମାନ ସମୟର ଆବଶ୍ୟକତା। ତେଣୁ ବଡ଼ ଚାଷୀ ହୁଅନ୍ତୁ କି ଛୋଟ ଚାଷୀ ସମସ୍ତଙ୍କ ପାଇଁ ଉପାଦେୟ ଛୋଟବଡ଼ କୃଷି ଯନ୍ତ୍ରପାତି ‌ଏବେ ଉପଲବ୍‌ଧ। ସରକାର ଏହି ଯନ୍ତ୍ରପାତି କିଣିବା ନିମନ୍ତେ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ବିପୁଳ ପରିମାଣର ସବ୍‌ସିଡି ପ୍ରଦାନ କରୁଛନ୍ତି। ତେଣୁ ଚାଷୀମାନେ ନିଜ ପାରଂପରିକ କୃଷି ପଦ୍ଧତିରେ ପରିବର୍ତ୍ତନ ଆଣି ଅଧିକ ଉତ୍ପାଦନ ଓ ଅର୍ଥକାରୀ ଫସଲ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ଶନିବାରଠାରୁ ଆରମ୍ଭ ହୋଇଥିବା ପଶ୍ଚିମ ଓଡ଼ିଶା କୃଷି ମେଳା ବାର୍ତ୍ତା ଦେଇଛି।

ପଶ୍ଚିମ ଓଡିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ଓ ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମିଳିତ ଭାବେ ଫେଡେରେସନ ଅଫ ଇଣ୍ଡିଆନ ଚାମ୍ବର ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ସହଭାଗିତାରେ ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩ ଆୟୋଜନ କରିଛନ୍ତି। ମେଳାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବର୍ତ୍ତାରେ କହିଲେ, କୃଷି ସମୁଦାୟର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିବଦ୍ଧ। ଏହା ଆମର ପ୍ରାଥମିକତା ମଧ୍ୟ। ରାଜ୍ୟ ସରକାରଙ୍କ କାଳିଆ, ବଳରାମ, ମିଲେଟ୍ ମିସନ ଆଦି ଯୋଜନା ଏହି ଲକ୍ଷ୍ୟ ହାସଲ ପାଇଁ ଆରମ୍ଭ କରାଯାଇଥିଲା। ରାଜ୍ୟରେ କୃଷକଙ୍କ ମୂଲ୍ୟବାନ ଅବଦାନ ପାଇଁ ଓଡିଶାକୁ ନିୟମିତ ଜାତୀୟସ୍ତରରେ କୃଷି କର୍ମଣ ସମେତ ଅନେକ ସମ୍ମାନ ଓ ପୁରସ୍କାର ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଲେ, ଗତ ୨୦ ବର୍ଷ ମଧ୍ୟରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆମେ ମାଛଚାଷ, ପଶୁପାଳନ ଓ ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛୁ। ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ୨୦୦୦-୦୧ରେ ୫୫.୩୫ ଲକ୍ଷ ମେଟ୍ରିକ୍ ଟନ୍‌ରୁ ୨୦୨୦-୨୧ରେ ୧୩୦.୨୯ ଲକ୍ଷ ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି। ତୈଳବୀଜ ଉତ୍ପାଦନ ୫୮%, ଡାଲି ୬୬% ଓ ପନିପରିବା ଉତ୍ପାଦନ ୬୭% ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ମାଛ ଉତ୍ପାଦନ ଗତ ୨୦ ବର୍ଷ ମଧ୍ୟରେ ୯ ଲକ୍ଷ ୯୦ ହଜାର ମେଟ୍ରିକ୍ ଟନ୍‌କୁ ବୃଦ୍ଧି ପାଇଛି। ଓଡିଶା ଏବେ ଦେଶର ୪ର୍ଥ ସର୍ବବୃହତ୍ ମାଛ ଉତ୍ପାଦନକାରୀ ରାଜ୍ୟ ବୋଲି ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ କହିଲେ, ଚାଷ ଜମିରେ ବନ୍ୟାର ପ୍ରଭାବ ହ୍ରାସ କରିବା ପାଇଁ ରାଜ୍ୟ ସରକାର ୨୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ପଶ୍ଚିମ ଓଡିଶା ଏହି କାର୍ଯ୍ୟକ୍ରମର ସର୍ବବୃହତ୍ ହିତାଧିକାରୀ ହୋଇଛି ବୋଲି ମନ୍ତ୍ରୀ କହିଥିଲେ।

ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ କହିଲେ, ଆମେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସହରରେ କୃଷକ ମେଳା ଆୟୋଜନ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛୁ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରଥମ କୃଷକ ମେଳା ସମ୍ବଲପୁରରେ ଆୟୋଜିତ ହୋଇଛି। କୃଷିକ୍ଷେତ୍ର ଆମ ଅର୍ଥନୀତିରେ ୨୦% ଯୋଗଦାନ ଦେଉଛି। ଅଧାରୁ ଅଧିକ ଜନସଂଖ୍ୟା କୃଷି ଉପରେ ନିର୍ଭର କରୁଛି । ରାଜ୍ୟ ସରକାର କୃଷକମାନଙ୍କ ଆୟ ବୃଦ୍ଧି କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି। କୃଷକମାନଙ୍କୁ ନିଜ ଉତ୍ପାଦର ବ୍ୟବସାୟୀକରଣ ଓ ବଜାରସଂଯୋଗ ଉପରେ ଅଧିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ସେମାନଙ୍କୁ ଔଦ୍ୟୋଗିକ କୃଷିର ସମୟ। କୃଷି ସମୁଦାୟର ଅନେକ ଯୁବପିଢି ବ୍ୟବସାୟ ଆରମ୍ଭ କରିବାକୁ ଆଗ୍ରହ ଦେଖାଉଛନ୍ତି। ରାଜ୍ୟ ସରକାର ବିଭିନ୍ନ କୃଷି ଯନ୍ତ୍ରପାତି ଉପରେ ୭୫% ସବ୍‌ସିଡି ଦେଉଛନ୍ତି। କୃଷକମାନେ ଏହି ଯୋଜନାର ଲାଭ ନେବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ କୁମୁଦିନୀ ନାୟକ, ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମ୍‌ଚନ୍ଦ୍ର ଚୌଧୁରୀ, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଞ୍ଚାସୀନ ଥିଲେ।

ଏହି କୃଷି ମେଳାରେ ମୋଟ ୧୦୦ରୁ ଅଧିକ ଷ୍ଟଲ୍ ରହିଛି ଯେଉଁଠାରେ କୃଷି ଉପକରଣ, ମିଲେଟ୍‌, ହସ୍ତତନ୍ତ, ହସ୍ତଶିଳ୍ପ, ଭାରୀ ଯନ୍ତ୍ରପାତି, ମତ୍ସ୍ୟ ଓ ସମୁଦ୍ରଜାତ ଖାଦ୍ୟ ଗୁଡିକର ଲାଇଭ୍ ପ୍ରଦର୍ଶନ କରାଯାଉଛି। ପଶ୍ଚିମ ଓଡିଶାର ୫ ଜଣ ପ୍ରଗତିଶୀଳ କୃଷକଙ୍କୁ କୃଷି କ୍ଷେତ୍ରରେ ନିଜର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି। ମେଳା ଅବସରରେ କୃଷି ମନ୍ତ୍ରୀ ଶ୍ରୀ ସ୍ବାଇଁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ପ୍ରଣାଳୀର ବ୍ୟବହାର କରି ପ୍ରଗତିଶୀଳ ଚାଷୀଙ୍କୁ ମିଳିତଭାବେ କମ୍ବାଇନ ହାର୍ଭେଷ୍ଟର, ଟ୍ରାକ୍ଟର ଓ ମୁଢ଼ି ପ୍ରସ୍ତୁତକାରୀ ଯନ୍ତ୍ରର ଚାବି ପ୍ରଦାନ କରିଥିଲେ।

ଶୁକ୍ରବାର ଆରମ୍ଭ ହୋଇଥିବା ଏହି କୃଷି ମେଳା ୨ ଦିନ ଓ କୃଷି ଯନ୍ତ୍ରପାତି ମେଳା ୫ ଦିନ ଚାଲିବ। କୃଷି ମେଳା ଅବସରରେ ହେବାକୁ ଥିବା ସେମିନାର୍‌ରେ ଧାନ ଆଧାରିତ ଫସଲ ପ୍ରଣାଳୀକୁ ପୁନର୍ଜୀବିତ କରିବା, ଉଦ୍ୟାନବିଜ୍ଞାନ ଓ ସମନ୍ବିତ କୃଷି ମାଧ୍ୟମରେ କୃଷକଙ୍କ ଆୟ ବୃଦ୍ଧି କରିବା, ଜଳବାୟୁ ଅନୁକୂଳ ଚାଷ, କୃଷି ରପ୍ତାନି ପ୍ରୋତ୍ସାହନ, ମାଛ ଉତ୍ପାଦନ ମାଧ୍ୟମରେ ଆୟ ବୃଦ୍ଧି, ପଶୁପାଳନ ଜରିଆରେ ରୋଜଗାର ବୃଦ୍ଧି, କୃଷିବ୍ୟବସାୟ, ସମୃଦ୍ଧ କୃଷି ଉଦ୍ୟୋଗ ଆଦି ବିଷୟ ଉପରେ ଆଲୋଚନା ହେବ। କୃଷି ଯାନ୍ତ୍ରିକୀକରଣ କ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ, କେଜ୍ କଲ୍‌ଚର ଓ ବାୟୋଫ୍ଲକ୍ସ ମାଧ୍ୟମରେ ମାଛଚାଷ, ସମନ୍ବିତ କୃଷି ବ୍ୟବସ୍ଥା, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଅବସରରେ ମିଲେଟ୍ ଚାଷର ସୁଯୋଗ ଓ ଲାଭ, ଅଣଋତୁକାଳୀନ ପନିପରିବା ଚାଷ ଓ ଫଳ ଚାଷ, ଅଣୁ ଜଳସେଚନ ଓ ସୁରକ୍ଷିତ କୃଷିକାର୍ଯ୍ୟଭଳି ବିଭିନ୍ନ ବିଷୟବସ୍ତୁ ଉପରେ କୃଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ବୋଲି ଆୟୋଜକମାନେ ପ୍ରକାଶ କରିଥିଲେ।

ମେଳା ପାଇଁ ଡବ୍ଲୁଓଡିସି ଦେଲା ୫୦ ଲକ୍ଷ
ପଶ୍ଚିମ ଓଡ଼ିଶା କୃଷିମେଳା ଉଦ୍‌ଘାଟିତ ସମ୍ବଲପୁର, ୨୭ା୧(ଇମିସ): ପଶ୍ଚିମ ଓଡ଼ିଶାରେ ପ୍ରଥମେ ସମ୍ବଲପୁରରେ ଆୟୋଜିତ ହୋଇଥିବା ଭବ୍ୟ କୃଷି‌ ମେଳା ପାଇଁ ଶୁକ୍ରବାର କୃଷକଙ୍କ ସମେତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିଥିଲା। ପୂର୍ବର କୃଷି କାର୍ଯ୍ୟକ୍ରମ ଗୁଡ଼ିକର ବୀପରିତ ଅଇଁଠାପାଲି ପିଏଚ୍‌ଡି ପଡ଼ିଆରେ ଏହି ମେଳାକୁ ଅତି ଆକର୍ଷଣୀୟ ଢଙ୍ଗରେ ଆୟୋଜନ କରାଯାଇଛି। ପୂର୍ବରୁ କୌଣସି ପ୍ରଦର୍ଶନୀ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଦେଉ ନଥିବାବେଳେ ପ୍ରଥମ କରି ଏହି ମେଳା ଆୟୋଜନ ପାଇଁ ଡବ୍ଲୁଓଡିସି ଏହାର ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଛି ବୋଲି ସଭାରେ ଏହାର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି।

ସମ୍ବନ୍ଧିତ ଖବର