ଲୋୟର୍‌ ପିଏମ୍‌ଜିରେ ପଶ୍ଚିମ ଓଡ଼ିଶା ଆଶାକର୍ମୀଙ୍କ ବିକ୍ଷୋଭ

ଭୁବନେଶ୍ବର : ୨୧ ଦଫା ଦାବି ନେଇ ଆଜି ପଶ୍ଚିମ ଓଡ଼ିଶାର ଆଶାକର୍ମୀମାନେ ଲୋୟର୍‌ ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ସେମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଲୋୟର୍‌ ପିଏମ୍‌ଜିରେ ଧାରଣା ଦେବା ସହ ନାରାବାଜି କରିଥି‌ଲେ। ସ୍ଥାୟୀ ନିଯୁକ୍ତି ସହ ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା, ମାସିକ ୨୨ ହଜାର ଟଙ୍କା, ପଶ୍ଚିମ ଓଡ଼ିଶା ଆଶାକର୍ମୀଙ୍କୁ ସ୍ବତନ୍ତ୍ର ଭତ୍ତା ଓ ରିକ୍‌ସ ଆଲାଉନ୍‌ସ, ସାମାଜିକ ସୁରକ୍ଷା, ଭବିଷ୍ୟନିଧି ବୀମା ଓ ପେନ୍‌ସନ୍‌ ବ୍ୟବସ୍ଥା, ଅବସର ପରେ ୩ ଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ସହ ୩ ହଜାର ଟଙ୍କା ପେନ୍‌ସନ୍‌ ଯୋଗାଇଦେବା ଆଦି ବିଭିନ୍ନ ଦାବି କରିଥିଲେ।

କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଦି ସରକାର ଏସବୁ ଦାବି ପୂରଣ ନକରନ୍ତି, ଆଗାମୀ ଦିନରେ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି। ଏହି ବିକ୍ଷୋଭ ପ୍ରଦର୍ଶନରେ ମୁକ୍ତା ପ୍ରଧାନ, ଲକ୍ଷ୍ମୀ ମହାରଣା ଓ ଯାଜ୍ଞସେନୀ ପ୍ରଧାନ, ରାନୁ ରାଉଳ, ବବିତା ନାଥ, ସନ୍ଧ୍ୟାରାଣୀ ସେଠୀ, ପ୍ରଭାତ ନାୟକ, ହୀରାବତୀ ମିର୍ଦ୍ଧା, ପ୍ରତିମା ଗୌଡ଼, ବିଜୟଲକ୍ଷ୍ମୀ ଖେରୁଆଲ୍ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ, ସ୍ବାସ୍ଥ୍ୟ ଶାସନ ସଚିବ ଓ ଏନ୍‌ଏଚ୍‌ଏମ୍‌ ନିର୍ଦ୍ଦେଶିକାଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର