ଟଙ୍କା ଦିଆଯାଉଛି, ଅର୍ଥ ଖର୍ଚ୍ଚ ହେଉନାହିଁ କି ସ୍ବତନ୍ତ୍ର ନକ୍ସା ନାହିଁ
୧୬୪୨ କୋଟି ଟଙ୍କା ଖର୍ଚ୍ଚ ପରେ ବି ଚିତ୍ର ବଦଳୁନାହିଁ
ଭୁବନେଶ୍ବର, (ଗାର୍ଗୀ ଶତପଥୀ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ଆଜି ପର୍ଯ୍ୟନ୍ତ ୧୬୪୨ କୋଟି ଟଙ୍କା ପ୍ରକଳ୍ପ ଅନୁମୋଦିତ ହୋଇସାରିଲାଣି। ଏଥିରୁ ସିଂହଭାଗ ଅର୍ଥ ଖର୍ଚ୍ଚ ହୋଇସାରିଛି। ମାତ୍ର ଏହା ପଶ୍ଚିମ ଓଡ଼ିଶାକୁ କେତେ ବିକଶିତ କରିଛି? ଏଭଳି ଏକ ପ୍ରଶ୍ନ ଏବେ ପଶ୍ଚିମ ଓଡ଼ିଶାର ସାମାଜିକ ସଙ୍ଗଠନ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀଙ୍କ ପର୍ଯ୍ୟନ୍ତ ସବୁ ମହଲକୁ ଆନ୍ଦୋଳିତ କରୁଛି। ଏକଥା ବି ଚର୍ଚ୍ଚା ଆରମ୍ଭ ହୋଇଛି ଯେ ରାଜନୈତିକ ଫାଇଦା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ସୃଷ୍ଟି ହୋଇଛି କି? ଅନ୍ୟଥା ମିଳୁଥିବା ଟଙ୍କା ଅନୁସାରେ ଡବ୍ଲୁଓଡିସି ପକ୍ଷରୁ ଉପଯୁକ୍ତ ପ୍ରକଳ୍ପ ପ୍ରସ୍ତୁତ ହୋଇ ପାରୁନି କାହିଁକି?
୨୦୧୯ ଓ ୨୦୨୦ ମସିହାରେ ଡବ୍ଲୁଓଡିସି ପାଣ୍ଠି ବିନିଯୋଗର ଭୟଙ୍କର ଚିତ୍ର ପଦାକୁ ଆସିଛି। ଉଭୟ ବର୍ଷରେ ସରକାରଙ୍କ ପକ୍ଷରୁ ୨୦୦ କୋଟି ଲେଖାଏଁ ମଞ୍ଜୁର ହୋଇଛି। ସେଥିରୁ ୨୦୧୯ ମସିହାରେ ୮୧ କୋଟି ଟଙ୍କା, ୨୦୨୦ ମସିହାରେ ମାତ୍ର ୧୧ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତି ହୋଇଛି। ଅର୍ଥାତ୍ ବର୍ତ୍ତମାନ ଡବ୍ଲୁଓଡିସି ପାଖରେ ପ୍ରାୟ ୩୫୦ କୋଟି ଟଙ୍କା ରହିଛି। ଚଳିତ ବର୍ଷ ବର୍ଦ୍ଧିତ ପାଣ୍ଠି ମିଶାଇଲେ ସମୁଦାୟ ୬୫୦ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କା ଛୁଇଁବ। ସମସ୍ୟା ବହୁଳ, ଆର୍ଥିକ ଅନଗ୍ରସର ପଶ୍ଚିମ ଓଡ଼ିଶା ପାଇଁ ଏହା ଯଥେଷ୍ଟ ନୁହେଁ। କିନ୍ତୁ ବୁଦ୍ଧିଜୀବୀ ମହଲର କହିବା କଥା, କେଉଁ ଅଞ୍ଚଳରେ କି କି ଅଭାବ ରହିଛି ତାର ସର୍ଭେ କରାନଯାଇ, କେବଳ କଲ୍ୟାଣ ମଣ୍ଡପ, କମ୍ୟୁନିଟି ସେଣ୍ଟର ଜରିଆରେ ବିକାଶ ବାଟ ଖୋଜିଲେ ପଶ୍ଚିମ ଓଡ଼ିଶା ବିକଶିତ ହୋଇଯିବ କି? ଯେହେତୁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଡବ୍ଲୁଓଡିସି ଅଧ୍ୟକ୍ଷ ଅସିତ ତ୍ରିପାଠୀ ଏବେ ଏହି ଗୁରୁ ଦାୟିତ୍ବ ନେଇଛନ୍ତି, ଏଣୁ ଏବେ ବିକାଶ ପରିଷଦ ଟଙ୍କା କିଭଳି ଖର୍ଚ୍ଚ ହେବ, କେଉଁ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ସେ ପଶ୍ଚିମ ଓଡ଼ିଶା ବିକାଶର ରାସ୍ତା ଖୋଲିବେ, ତାହା ତାଙ୍କ ପାଇଁ ଏକ ବଡ଼ ଆହ୍ବାନ ରଖୁଛି।
ଘଡ଼େଇ କମିସନ ରିପୋର୍ଟରେ ପଶ୍ଚିମ ଓଡ଼ିଶା ଦାରିଦ୍ର୍ୟର ଭୟଙ୍କର ଚିତ୍ର ଉପସ୍ଥାପିତ ହେବା ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିଲା। ମାତ୍ର ପଶ୍ଚିମ ଓଡ଼ିଶାର ଅଭାବ କ’ଣ, ତା’ର ଆବଶ୍ୟକତା କେଉଁଠି, ଏହାର କେଉଁ ସମସ୍ୟାକୁ ସରକାରୀ ଯୋଜନା ପୂରଣ କରି ପାରୁ ନାହିଁ ଏହାକୁ ନେଇ ଆଜି ପର୍ଯ୍ୟନ୍ତ ସ୍ବତନ୍ତ୍ର ରୂପରେଖ ପ୍ରସ୍ତୁତ ହେଲା ନାହିଁ। ଏପରିକି ପୂର୍ବରୁ ୨୦୦ ଏବଂ ଆଜି ୩୦୦ କୋଟି ପର୍ଯ୍ୟନ୍ତ ଟଙ୍କା ବ୍ୟବସ୍ଥା କଲେ କିନ୍ତୁ ତୃଣମୂଳ ସ୍ତରରେ ଏହାର ଖର୍ଚ ନେଇ କୌଣସି ସ୍ବତନ୍ତ୍ର ଏଜେନ୍ସି ନାହିଁ। ଏଥିଯୋଗୁଁ ଡବ୍ଲୁଓଡିସି ଅନ୍ତର୍ଗତ ପ୍ରକଳ୍ପ ଗୁଡ଼ିକ ନିମ୍ନମାନର, ବର୍ଷାଧିକ ସମୟ ଧରି ଅଧାପନ୍ତରିଆ ହୋଇ ପଡ଼ୁଛି। ସରକାରୀ ପରିସଂଖ୍ୟାନ ଅନୁସାରେ ଡବ୍ଲୁଓଡିସିର ଅନୁମୋଦିତ ୩୬ ହଜାର ୬୪୨ଟି ପ୍ରକଳ୍ପ ମଧ୍ୟରୁ ୨୬୭୦ଟି ଅଧାପନ୍ତରିଆ ହୋଇ ପଡ଼ି ରହିଛି। ୧୧୪୩ଟି ପ୍ରକଳ୍ପ ଆରମ୍ଭ ହୋଇପାରିନାହିଁ। ଏସବୁ ହିଁ ସୂଚାଇ ଦେଉଛି, ଯୋଜନା କିଭଳି ବାଟବଣା ହେଲାଣି। ୨୨ ବର୍ଷ ହେଲା ପ୍ରକଳ୍ପ କାର୍ଯ୍ୟ ଆଜି ପର୍ଯ୍ୟନ୍ତ ନସରିବା ଆଶ୍ଚର୍ଯ୍ୟ କରୁଛି।
ରାଜ୍ୟ ସରକାରଙ୍କ ଯୋଜନାରେ ଯେଉଁ କମ୍ୟୁନିଟି ସେଣ୍ଟର, ସିସି ରୋଡ ଆଦି ହୋଇ ପାରିବ ଡବ୍ଲୁଓଡିସି ମଧ୍ୟ ସେହି ପ୍ରକଳ୍ପ କରୁଛି। ପୁଣି ଏ ମଧ୍ୟକୁ ଅନେକ ସରକାରଙ୍କ ମାଲିକାନା ନରହି ନିର୍ଦିଷ୍ଟ ରାଜନୈତିକ ଦଳର ଗୋଷ୍ଠୀ, ସାମାଜିକ ସଙ୍ଗଠନର ମାଲିକାନା ରହିବା ଅଭିଯୋଗ ବଢ଼ିବାରେ ଲାଗିଲାଣି। ସାଧାରଣ ମଣିଷ ଏଥିରେ କିଭଳି ଲାଭାନ୍ବିତ ହେବେ? ଦ୍ବିତୀୟତଃ ମରୁଡ଼ି ପ୍ରଭାବିତ ପଶ୍ଚିମ ଓଡ଼ିଶାର ଜଳସେଚନ, ଚାଷୀଙ୍କ ପାଣି ସମସ୍ୟା ସମାଧାନ, ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ, ଜୀବିକା ସୃଷ୍ଟିକାରୀ କାର୍ଯ୍ୟ ଭଳି ଚାଷୀର ଆର୍ଥିକ ମାନଦଣ୍ଡ ଉନ୍ନତି ନେଇ ସ୍ବତନ୍ତ୍ର ପ୍ରକଳ୍ପ ନାହିଁ। ଜଙ୍ଗଲ, ପାହାଡ଼ ଘେରା ପଶ୍ଚିମ ଓଡ଼ିଶାରେ ପାହାଡ଼ରୁ ପାଣି ଆଣିବା କାର୍ଯ୍ୟ ନାବାର୍ଡ ସହାୟତାରେ ଏନଜିଓ କରୁଛନ୍ତି। ସୀମିତ ସ୍ଥାନରେ ଡବ୍ଲୁଓଡିସି ଏଥିପାଇଁ ପଦକ୍ଷେପ ନେଇଥିଲେ ବି ବ୍ୟାପକ ହୋଇପାରିନଥିବା ଅଭିଯୋଗ ହୋଇଛି। ଏହା କେବଳ ଉଦାହରଣ ମାତ୍ର।
ତେବେ ସାଂଘାତିକ ଚିତ୍ର ହେଲା ଯେ ୨୦୧୦, ୨୦୧୧, ୨୦୧୪ ମସିହାରୁ ଡବ୍ଲୁଓଡିସି ଶହେ କୋଟି ଟଙ୍କାର ମଧ୍ୟ ପ୍ରକଳ୍ପ ପ୍ରସ୍ତୁତ କରି ପାରିନାହିଁ। ଅନୁମୋଦିତ ପାଣ୍ଠିରୁ ୨୦୧୭ ମସିହାରେ ୮୭ ପ୍ରତିଶତ, ୨୦୧୮ ମସିହାରେ ୮୨ ପ୍ରତିଶତ, ୨୦୧୯ ମସିହାରେ ୫୪ ପ୍ରତିଶତ, ୨୦୨୦ ମସିହାରେ ମାତ୍ର ୧୩ ପ୍ରତିଶତ ଖର୍ଚ ହୋଇଛି। ୨୦୨୦ ମସିହାରେ ୨୪୪ଟି ପ୍ରକଳ୍ପ ପାଇଁ ମାତ୍ର ୧୧.୨୩ କୋଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ସେଥିରୁ ମାତ୍ର ୨୫ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୧.୨୮ କୋଟି ଖର୍ଚ ହୋଇଛି। ୨୦୧୯ ମସିହାରେ ଅନୁମୋଦିତ ୨୦୬୫ ପ୍ରକଳ୍ପ ପାଇଁ ୮୧ କୋଟି ଟଙ୍କା ଅନୁମୋଦିତ ହୋଇଥିଲେବି ଖର୍ଚ ମାତ୍ର ୪୦ କୋଟି ହୋଇଛି। ଏଭଳି ସ୍ଥିତିରେ ଡବ୍ଲୁଓଡିସିର ଢାଞ୍ଚାଗତ ପରିବର୍ତ୍ତନ ନକରି କେବଳ ପାଣ୍ଠି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଗତାନୁଗତିକ ଢାଞ୍ଚାରେ ଚାଲିଲେ ଲୋକଙ୍କ ଜାଣିବା ପାଇଁ ପାଣ୍ଠି ବଢିବ କିନ୍ତୁ ଏଥିରେ ପଶ୍ଚିମ ଓଡ଼ିଶାବାସୀ ଏଥିରେ କେବେ ଲାଭ ପାଇବେ ହେବେ ନାହିଁ ଏହା ସ୍ପଷ୍ଟ।