ଥଇଥାନ କେନ୍ଦ୍ର ପାଲଟିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ: ବିରୋଧୀ

ଗୃହରେ ମୁଲତବୀ ଆଲୋଚନା
କାଉନସିଲର ସହମତି ଆଧାରରେ ମୁଖ୍ୟାଳୟ ସ୍ଥାନ ନିରୂପଣ: ମନ୍ତ୍ରୀ
୨୩ ବର୍ଷରେ ୧୬୮୨ କୋଟି ଅନୁଦାନ ପ୍ରଦାନ

ଭୁବନେଶ୍ବର : ଆଞ୍ଚଳିକ ବୈଷମ୍ୟ ଦୂର ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହୋଇଥିଲା। କିନ୍ତୁ ଏହି ଲକ୍ଷ୍ୟ ପଥରୁ ପରିଷଦ ବିଚ୍ୟୁତ ହେଲାଣି। ଗଲା ଦୁଇବର୍ଷ ହେଲାଣି ପୂର୍ଣାଙ୍ଗ ପରିଷଦ ଗଠନ ହୋଇନାହିଁ। ବିଧାୟକମାନେ ପ୍ରସ୍ତାବ ଦେଲେ କାର୍ଯ୍ୟକାରି ହୁଏନାହିଁ। ଠିକାଦାରଙ୍କ ରାଜ ଚାଲେ। କେବଳ ରାଜନୈତିକ ଥଇଥାନ କେନ୍ଦ୍ର ପାଲଟିଛି ଏହି ସଂସ୍ଥା। ଆଜି ବିଧାନସଭାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର କାର୍ଯ୍ୟକଳାପ ଉପରେ ମୁଲତବୀ ଆଲୋଚନାରେ ଭାଗ ନେଇ ବିରୋଧୀ ସରକାରଙ୍କ ଉପରେ ଏପରି ବର୍ଷିଛନ୍ତି। ଅଭିଯୋଗ କରିଛନ୍ତି ଯେ ଆଗରୁ ରାଜନୈତିକ ଥଇଥାନ କେନ୍ଦ୍ର ଥିଲା। ଏବେ ଏବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ ଥଇଥାନ କେନ୍ଦ୍ରରେ ସରକାର ପରିଣତ କରିଛନ୍ତି।

ପ୍ରାରମ୍ଭିକ ଉତ୍ତରରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସରକାର ୨୩ ବର୍ଷରେ ୧୬୮୨ କୋଟି ୫୨ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ପରିଷଦର ଅନୁଦାନରେ ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ୩୬ ହଜାର ୭୩୫ଟି ପ୍ରକଳ୍ପ କାର୍ଯ୍ୟକାରି ହୋଇଛି।

‘ବ୍ୟାପକ ଦୁର୍ନୀତି ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁ ଦିଗହରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ। ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ବପ୍ନ ଧୂଳିସାତ୍‌’ ଶୀର୍ଷକ ଆଲୋଚନା ଆରମ୍ଭ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଅଧ୍ୟକ୍ଷଙ୍କୁ ଛାଡ଼ି ୧୧ ଜଣ ବିଧାୟକ, ୨ ଜଣ ସାଂସଦ ଓ ୯ ଜଣ ବିଶେଷଜ୍ଞ ରହି ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହୋଇଥାଏ। କିନ୍ତୁ ଗଲା ଦୁଇ ବର୍ଷ ଧରି କେବଳ ଅଧ୍ୟକ୍ଷ ଓ ଜଣେ ବିଶେଷଜ୍ଞରେ କାମ ଚାଲିଛି। ପଶ୍ଚିମ ଓଡ଼ିଶାବାସୀଙ୍କ ବିଭିନ୍ନ ସମସ୍ୟା ନେଇ ବିଧାୟକମାନେ ଅର୍ଥ ମଞ୍ଜୁର କରିବା ପାଇଁ ପ୍ରସ୍ତାବ ଦିଅନ୍ତି। କିନ୍ତୁ ବିଧାୟକମାନଙ୍କ ପ୍ରସ୍ତାବ ଗ୍ରହଣ କରାଯାଏ ନାହିଁ। ଅନାବଶ୍ୟକ ଥିବା କାମ ପାଇଁ ଠିକାଦାରମାନଙ୍କ ପ୍ରସ୍ତାବକୁ ଗ୍ରହଣ କରାଯାଇଥାଏ। ବିଧାୟକମାନଙ୍କ ପ୍ରତି ଏକ ପ୍ରକାର ବୈମାତୃକ ମନୋଭାବ ବିକାଶ ପରିଷଦ ଦେଖାଇ ଆସୁଛି। ପ୍ରତିବର୍ଷ ୧୦୦ କୋଟି ମିଳୁଥିଲା। କିନ୍ତୁ ଏବର୍ଷ ତାକୁ ମୁଖ୍ୟମନ୍ତ୍ରୀ ୨୦୦ କୋଟି ଘୋଷଣା କରିଛନ୍ତି। ଏହା ସମୁଦ୍ରକୁ ଶଙ୍ଖେ ଭଳି। ପୂର୍ବତନ ଅଧ୍ୟକ୍ଷଙ୍କ ଦେହାନ୍ତ ପରେ ୬ ମାସ ଧରି ଅଧ୍ୟକ୍ଷ ପଦବି ଖାଲିପଡ଼ିଲା। ଏବେ ଜଣେ ପ୍ରଶାସନିକ ଅଧିକାରୀ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପୁଣି ମୁଖ୍ୟମନ୍ତ୍ରୀଙ୍କର ପରାମର୍ଶ ଦାତା ଭାବେ ଦାୟିତ୍ବ ତୁଲାଇବା ପାଇଁ ଖାରବେଳ ଭବନରେ ବସୁଛନ୍ତି। କିନ୍ତୁ ବିକାଶ ପରିଷଦ କାର୍ଯ୍ୟାଳୟରେ ବସୁନାହାନ୍ତି। ପ୍ରତିବର୍ଷ ୧୦୦ କୋଟିରୁ ୫୮ କୋଟି କୁଆଡ଼େ ଖର୍ଚ୍ଚ ହୁଏ ତା କେହି ଜାଣନ୍ତି ନାହିଁ।

କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ, ପୂର୍ବରୁ ଏହି ସଂସ୍ଥାଟି ସରକାରଙ୍କର ରାଜନୈତିକ ଥଇଥାନ କେନ୍ଦ୍ର ଥିଲା। କିନ୍ତୁ ଏବେ ଏହା ରାଜନୈତିକ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀଙ୍କ ଥଇଥାନ କେନ୍ଦ୍ର ପାଲିଟିଗଲାଣି। ରାସ୍ତାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ କାମ ପାଇଁ କେବଳ ଫାଇଲରେ ମଞ୍ଜୁର କରାଯାଇ କିପରି ଅର୍ଥ ହରିଲୁଟ କରାଯାଇଛି ସେ ନେଇ ଶ୍ରୀ ପାଣିଗ୍ରାହୀ ଗୃହରେ ତଥ୍ୟ ରଖିଥିଲେ। କହିଥିଲେ ଯେ ଯେଉଁମାନେ ପରିଷଦର ସଦସ୍ୟ ନୁହଁନ୍ତି ସେମାନେ ନିଜକୁ ସଦସ୍ୟ ବୋଲି ଦାବି କରି ଫାଇଦା ଉଠାଉଛନ୍ତି। ଏ ନେଇ ଜନୈକ ବ୍ୟକ୍ତିଙ୍କର ଫଟୋଚିତ୍ର ଶ୍ରୀ ପାଣିଗ୍ରାହୀ ଗୃହରେ ଦେଖାଇଥିଲେ। ଏହା ଉପରେ ତଦନ୍ତ ଦାବି କରିଥିଲେ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ସିଏଜି ରିପୋର୍ଟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ହୋଇଥିବା ଦୁର୍ନୀତି ନେଇ ଆଲୋଚନା କରିଥିଲେ। ଏହାସହିତ ଭୋଟିଂ କ୍ଷମତା ଥିବା ପୂର୍ଣ୍ଣାଙ୍ଗ ପରିଷଦ ଗଠନ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। କହିଥିଲେ, ବିକାଶ ପରିଷଦରେ ଦଲାଲ ଓ ରାଜନୈତିକ ଅସ୍ତିତ୍ବ ହରାଇଥିବା ବ୍ୟକ୍ତି ବିଶେଷଙ୍କୁ ସଦସ୍ୟ ଭାବେ ମନୋନୀତ ନ କରି ଉପଯୁକ୍ତ ଜନପ୍ରତିନିଧିମାନଙ୍କୁ ସରକାର ସ୍ଥାନ ଦିଅନ୍ତୁ। ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଅଭିଯୋଗ କରିଥିଲେ, ବିଜେପୁର ଉପନିର୍ବାଚନ ସମୟରେ ପରିଷଦର ଗୋଟିଏ ବର୍ଷର ଅନୁଦାନ ଅର୍ଥ ସମ୍ପୂର୍ଣ୍ଣ ଖର୍ଚ୍ଚ କରାଗଲା। ଏହା କଣ ବିଜେଡି ଦଳର ଟଙ୍କା ଥିଲା? ଘଡ଼େଇ କମିସନର ରିପୋର୍ଟ ଅନୁଯାୟୀ ଦେବଗଡ଼ ଜିଲ୍ଲା ସବୁଠୁ ପଛୁଆ ଜିଲ୍ଲା। ଦେବଗଡ଼ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍‌ ଦେବା ପାଇଁ ଶ୍ରୀ ପାଣିଗ୍ରାହୀ ଦାବି କରିଥିଲେ। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରସ୍ତାବ ଦେଇ କହିଥିଲେ, ୨୦୦ କୋଟି ଅନୁଦାନ ଅର୍ଥରୁ ପ୍ରତି ବିଧାୟକ ଯେପରି ନିର୍ଦ୍ଦିଷ୍ଟ ଭାବେ ୩ କୋଟି ଅର୍ଥ ମଞ୍ଜୁର କରିପାରିବେ ତାକୁ ସରକାର ସୁନିଶ୍ଚିତ କରନ୍ତୁ। ସରକାର ୧୧ଟି ଜିଲ୍ଲାରେ ବିକାଶ ପରିଷଦର କାର୍ଯ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ମୁଖ୍ୟାଳୟ କାହିଁକି ଏ ଯାଏ ପଶ୍ଚିମ ଓଡ଼ିଶାର ନିର୍ଦ୍ଦିଷ୍ଟ ଜିଲ୍ଲାରେ କରାଯାଇନାହିଁ। ବୈଧାନିକ ପ୍ରଶ୍ନ ଉଠାଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, ବିକାଶ ପରିଷଦର ଆଇନ ଅନୁଯାୟୀ କେବଳ ମୁଖ୍ୟାଳୟ ଗୋଟିଏ ଜିଲ୍ଲାରେ ହିଁ ହେବ। ସବୁ ଜିଲ୍ଲାରେ କରିବା ବ୍ୟବସ୍ଥା ନାହିଁ। ଆଲୋଚନାରେ ଭାଗ ନେଇ ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ, ରୋହିତ ପୂଜାରୀ, ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଓ ରାଜେନ୍ଦ୍ର ଢୋଲକିଆ ବିକାଶ ପରିଷଦ ଦ୍ବାରା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ନେଇ ଗୃହରେ ତଥ୍ୟ ରଖିଥିଲେ। ଆଲୋଚନା ଶେଷରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ, ଖୁବଶୀଘ୍ର ପୂର୍ଣ୍ଣାଙ୍ଗ ପରିଷଦ ଗଠନ ହେବ। ଅଧ୍ୟକ୍ଷଙ୍କୁ ସହଯୋଗ କରିବା ପାଇଁ ବିଧାୟକ, ସାଂସଦ ଓ ବିଶେଷଜ୍ଞଙ୍କୁ ମନୋନୀତ କରାଯିବ। ପୂର୍ବରୁ ପରିଷଦରେ ସହମତି ନ ମିଳିବାରୁ ବିକାଶ ପରିଷଦ ମୁଖ୍ୟାଳୟ ପଶ୍ଚିମ ଓଡ଼ିଶାର କେଉଁ ଜ୍ଲିଲ୍ଲାରେ ହେବ ସ୍ଥିର ହୋଇପାରି ନାହିଁ। ନୂତନ ପରିଷଦ ଗଠନ ପରେ ଏ ନେଇ ସହମତି ଆଧାରରେ ମୁଖ୍ୟାଳୟ ପ୍ରତିଷ୍ଠା ନେଇ ସରକାର ପଦକ୍ଷେପ ନେବେ। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କକ୍ଷ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର