ଭୁବନେଶ୍ବର : ରାଜ୍ୟ, କେନ୍ଦ୍ରୀୟ ଯୋଜନାରେ ଆସୁ ନଥିବା ପ୍ରକଳ୍ପଗୁଡ଼ିକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅନୁଦାନ ଦେବାକୁ ପରାମର୍ଶ ଦିଆଯାଇଛି। ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଶ୍ଚିମ ଓଡ଼ିଶାର ୧୧ଜିଲ୍ଲାର ପ୍ରକଳ୍ପ ସମୀକ୍ଷା କରାଯାଇଥିଲା। ଏଥିରେ ସାଂସଦ, ବିଧାୟକ ତଥା ପରିଷଦର ସଭ୍ୟ ଏବଂ ଉଭୟ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳର ଆରଡିସି ଉପସ୍ଥିତ ଥିଲେ। ଏହି ଅବସରରେ ପ୍ରତ୍ୟେକ ଜିଲ୍ଲା ମୁଖ୍ୟାଳୟ, ଗୁରୁତ୍ବପୂର୍ଣ୍ଣ ସହରରେ ଆଧୁନିକ ଅଡିଟୋରିୟମ୍ ନିର୍ମାଣର ପଦକ୍ଷେପକୁ ସ୍ବାଗତ କରାଯାଇଥିଲା।
ପରିଷଦ ଅଞ୍ଚଳରେ କାର୍ଯ୍ୟରତ ସଂପୃକ୍ତ ୧୧ଜଣ ଉପନିର୍ଦେଶକ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲା କାର୍ଯ୍ୟାଳୟଗୁଡ଼ିକର ଭାରପ୍ରାପ୍ତ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି। ଜିଲ୍ଲା କାର୍ଯ୍ୟାଳୟଗୁଡ଼ିକରେ ଜଣେ ଡାଟାଏଣ୍ଟ୍ରି ଅପରଟେର୍, ମେସେଞ୍ଜର ତଥା ଆଟେଣ୍ଡାଣ୍ଟ ଯୋଗଦାନ, ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ଆବଶ୍ୟକ ଭିତ୍ତିଭୂମି ସହାୟତା ଯୋଗୁଁ କାର୍ଯ୍ୟକ୍ରମ ଭଲ ଭାବରେ ହୋଇପାରିଛି। ପ୍ରକଳ୍ପର ମୂଲ୍ୟାୟନ ଏବଂ ତଦାରଖରେ ଉନ୍ନତି ଆସିଥିବା କୁହାଯାଇଛି। ବୈଠକରେ ପ୍ରତ୍ୟେକ ଜିଲ୍ଲା, କ୍ଷେତ୍ରର ଇକୋ ସୁଯୋଗ ଏବଂ ଅଭିବୃଦ୍ଧି ସମ୍ଭାବନା ଅଧ୍ୟୟନ କରାଯାଇଛି। ହସ୍ତତନ୍ତ, ବୁଣାକାର, ଡିଜାଇନ୍, ପ୍ୟାକେଜିଂ ଏବଂ ମାର୍କେଟିଂକୁ ସୁଦୃଢ଼ କରିବା ପାଇଁ ମିଳିତ ପ୍ରୟାସ ନେଇ ଆଲୋଚନା ହୋଇଛି। ବୈଠକରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ମିଶ୍ର ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପୂର୍ବତନ ଅଧ୍ୟକ୍ଷ କିଶୋର ମହାନ୍ତିଙ୍କ ବିୟୋଗରେ ଶୋକ ବ୍ୟକ୍ତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/m19.jpg)