ଭୁବନେଶ୍ବର: ପଶ୍ଚିମ ଓଡିଶାର ୪ ଟି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ। ଦେବଗଡ, ନୂଆପଡା, ଝାରସୁଗୁଡା, ସୁବର୍ଣ୍ଣପୁରର ବିଭିନ୍ନ ଲୋକାଭିମୂଖୀ ଭିତ୍ତିଭୂମିର ସମୀକ୍ଷା କରିବା ସହ ପ୍ରକଳ୍ପ ପାଇଁ ପରିଷଦ ପାଣ୍ଠିରୁ ଅନୁଦାନ ମଞ୍ଜୁର କରିଛନ୍ତି। ଖାରବେଳ ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ୪ ଜିଲ୍ଲାର ଜିଲ୍ଲାପାଳ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ବୈଠକରେ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ୪୦୦ ଜଣଙ୍କ ବସିବା କ୍ଷମତା ବିଶିଷ୍ଟ ଏକ ଅଡିଟୋରିୟମ ନିର୍ମାଣ ପ୍ରସ୍ତାବକୁ ଗ୍ରହଣ କରାଯାଇଛି। ଅଡିଟୋରିୟମର ଛାତରେ ସୋଲାର୍ ପ୍ୟାନେଲ୍ ସଂଯୋଗ କରିବା ସହ ସମ୍ପୂର୍ଣ୍ଣ ଅଡିଟୋରିୟମକୁ ଶୂନ୍ୟ ନିର୍ଗମନ (ଜିରୋ ଏମିସନ୍ ) ଭିତ୍ତିରେ ହେବ। ସୁବର୍ଣ୍ଣପୁର ଜିଲ୍ଲାର ବିନକା ଓ ଡୁଙ୍ଗୁରିପାଲୀ ବ୍ଲକରେ ଶବଦାହ ନିମନ୍ତେ ସ୍ବର୍ଗଦ୍ବାର ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଏଠାରେ ପରିମଳ ବ୍ୟବସ୍ଥା, ଜଳାଶୟ, ଶବଦାହ ପାଇଁ ବ୍ୟବହୃତ ସାମଗ୍ରୀ ଆଦିର ସୁବ୍ୟବସ୍ଥା କରାଯିହ।
ଉଭୟ ସ୍ଥାନର ବିକାଶ ପାଇଁ ପ୍ରତ୍ୟେକ ୯୦ ଲକ୍ଷ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି। ତରଭାରେ ଭିନ୍ନକ୍ଷମ ବିଦ୍ୟାର୍ଥୀଙ୍କ ପାଇଁ ପାଠାଗାର ତଥା ରିଡିଂ ରୁମ୍ ନିର୍ମାଣ କରିବା ପାଇଁ ୮୩ ଲକ୍ଷ ୯୧ ହଜାର ଟଙ୍କା ମଞ୍ଜୁର ହୋଇଛି। ଦେବଗଡ ଜିଲ୍ଲାରେ ଇ-ପାଠାଗାର ହେବ। ଏହାକୁ ଜିଲ୍ଲା ପାଠାଗାର ଭାବେ ନିର୍ମାଣ କରିବାକୁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ନୂଆପଡା ଜିଲ୍ଲାର ସିନାପାଲି ବ୍ଲକରେ ଏକ ଟାଉନ୍ ହଲ୍ ନିର୍ମାଣ ପାଇଁ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ମଞ୍ଜୁର କରାଯାଇଛି। ବୈଠକରେ ନୂଆପଡା ଜିଲ୍ଲାପାଳ ହେମକାନ୍ତ ସାଏ, ଦେବଗଡ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ, ଝାରସୁଗୁଡା ଜିଲ୍ଲାପାଳ ଏବୋଲି ସୁନୀଲ ନରବଣେ, ପରିଷଦର ବୈଷୟିକ ପରାମର୍ଶଦାତା ସୁନୀଲ କୁମାର ନାଏକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/jgdjggjggjgj.jpg)