ନବୀନଙ୍କ ଫୋକସ୍‌ରେ ଏବେ ପଶ୍ଚିମ ଓଡ଼ିଶା: ଅସିତଙ୍କ କାର୍ଯ୍ୟାଳୟ ରାଜୀବ ଭବନ ଓ ଖାରବେଳ ଭବନରେ ରହିବ

ଆଶାୟୀ ନେତା ନିରାଶ, ବଲାଙ୍ଗୀରରେ ଖୁସି

ଭୁବନେଶ୍ବର: ବିଜେଡି ନେତା ସୁବାସ ଚୌହାନଙ୍କ ପରଲୋକ ପରେ ଦୀର୍ଘ ୭ମାସରୁ ଅଧିକ ଧରି ଖାଲି ପଡ଼ିଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦ ଶେଷରେ ଆଜି ପୂରଣ ହୋଇଛି। ତେବେ ଜଣେ ରାଜନେତାଙ୍କ ବଦଳରେ ବର୍ତମାନର ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଅବସର ପରେ ମୁଖ୍ୟମନ୍ତ୍ରୀ ଏହି ପଦ ଲାଗି ନିଯୁକ୍ତି ଦେଇଛନ୍ତି। ଫଳରେ ବିଜୁ ଜନତା ଦଳରେ ଏହି ପଦକୁ ଆଖେଇଥିବା ପଶ୍ଚିମ ଓଡ଼ିଶାର ଅନେକ ନେତାଙ୍କୁ ନିରାଶ ହେବାକୁ ପଡ଼ିଛି। କେଉଁ ପରିସ୍ଥିତିରେ ଶ୍ରୀ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଗଲା, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ପାଇବା ପରେ ସେ କିଭଳି ପୁଣି ପଶ୍ଚିମ ଓଡ଼ିଶା କଥା ବୁଝିବେ, ଏମିତି ବହୁ ପ୍ରଶ୍ନ ଉପରେ ରାଜନୈତିକ ମହଲରେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। କେବଳ ସେତିକି ନୁହେଁ, ତାଙ୍କ କାର୍ଯ୍ୟାଳୟ କେଉଁଠି ହେବ, ତାହା ଉପରେ ବି ବିତର୍କ ଆରମ୍ଭ ହୋଇଗଲାଣି।

ତେବେ ରାଜ୍ୟ ପ୍ରଶାସନର ଅତି ଶୀର୍ଷସ୍ତରରୁ ମିଳିଥିବା ଖବର ଅନୁସାରେ ଶ୍ରୀ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ବ ଦେବା ପଛରେ ମୁଖ୍ୟମନ୍ତ୍ରୀଙ୍କର ଏକ ବଡ଼ ଉଦ୍ଦେଶ୍ୟ ରହିଛି। ସରକାର ଆସନ୍ତା ନିର୍ବାଚନ ପାଇଁ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପଦବି ସହିତ ଶ୍ରୀ ତ୍ରିପାଠୀ ପଶ୍ଚିମ ଓଡ଼ିଶା ଦାୟିତ୍ବ ସମ୍ଭାଳିଲେ ପ୍ରଶାସନରେ ସମନ୍ବୟ ରହିବ ଓ ସିଧାସଳଖ ପଶ୍ଚିମ ଓଡ଼ିଶାକୁ ଉପରସ୍ତରରୁ ନିୟନ୍ତ୍ରଣ କରାଯିବ। କେବଳ ସେତିକି ନୁହେଁ, ପଶ୍ଚିମ ଓଡ଼ିଶାକୁ ଅଧିକ ପାଣ୍ଠି ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି। ବିଭିନ୍ନ ଜିଲ୍ଲାର ପଛୁଆପଣକୁ ଦୃଷ୍ଟିରେ ରଖି ବଡ଼ ପ୍ରକଳ୍ପ ସରକାର ହାତକୁ ନେବେ ଓ ନିର୍ଦିଷ୍ଟ ସମୟ ଭିତରେ ଏହାକୁ ସାରିବେ। ପଶ୍ଚିମ ଓଡ଼ିଶାକୁ ଖୁଚୁରା ବିକାଶ ପାଇଁ ଅର୍ଥ ଦେବା ସହିତ ବଡ଼ ପ୍ରକଳ୍ପ ଦାୟିତ୍ବ ଦେବା ଲାଗି ସରକାର ନୂଆ ଯୋଜନା କରୁଛନ୍ତି। ପୂର୍ବରୁ ‌ଶ୍ରୀ ତ୍ରିପାଠୀ ଉନ୍ନୟନ କମିସନର ପଦରେ ଥିଲାବେଳେ ୨୦୧୯ ଜୁଲାଇ ୨୫ ତାରିଖରୁ ୨୦୧୯ ଅଗଷ୍ଟ ୧୮ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ପଦ ସମ୍ଭାଳିଥିଲେ। ମିଳିଥିବା ଖବର ଅନୁସାରେ ଶ୍ରୀ ତ୍ରିପାଠୀ ଦାୟିତ୍ବ ନେବା ପରେ ରାଜୀବ ଭବନରେ ଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାର୍ଯ୍ୟାଳୟରେ ବସିବେ। ଏହା ସହିତ ଖାରବେଳ ଭବନରେ ତାଙ୍କ ପାଇଁ ସ୍ବତନ୍ତ୍ର ପ୍ରକୋଷ୍ଠ କରାଯିବ। ସେଠାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବେ। ସେ ପଶ୍ଚିମ ଓଡ଼ିଶା ଅନ୍ତର୍ଗତ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟର ସିଧାସଳଖ ସମୀକ୍ଷା କରିବେ ଓ ବିକାଶର ସୁଷମ ବଣ୍ଟନ ଦିଗରେ ଅଧିକ ଧ୍ୟାନ ଦେବେ ବୋଲି ମୁଖ୍ୟମନ୍ତ୍ରୀ ବିଚାର କରୁଛନ୍ତି।

ପ୍ରକାଶଥାଉକି, ଶ୍ରୀ ତ୍ରିପାଠୀଙ୍କ ଘର ବଲାଙ୍ଗୀର ଜିଲ୍ଲାରେ। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ ହେବା ପରଠାରୁ ସାଧାରଣତଃ ରାଜନୈତିକ ନେତାଙ୍କୁ ଦାୟିତ୍ବ ଦିଆଯାଉଥିଲା। ମଝିରେ ସରକାର ଓୟୁଏଟି ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ନିରଞ୍ଜନ ପଣ୍ଡାଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ଦେଇଥିଲେ। ପରେ ପୁଣି ଧାରା ଭାଙ୍ଗିଥିଲା। ତେେବ ରାଜନୈତିକ ସମୀକ୍ଷକଙ୍କର କହିବା କଥା ହେଉଛି, ପଶ୍ଚିମ ଓଡ଼ିଶା ରାଜନୀତିରେ ଅନେକ ନେତାଙ୍କ ଆଖି ଏହି ଗୁରୁତ୍ବପୂର୍ଣ୍ଣ ପଦବି ଉପରେ ରହିଛି। କାହାକୁ ଦେଲେ ବି ରାଜନୀତିରେ ଭାରସାମ୍ୟ ରଖିବା କଷ୍ଟସାଧ୍ୟ ହୋଇପାରେ। ଏଣୁ ସରକାର ଗୋଟିଏ ଗୁଳିରେ ଦୁଇଟି ଶିକାର କରିଛନ୍ତି। ଶ୍ରୀ ତ୍ରିପାଠୀ ସ୍ଥାନୀୟ ଅଞ୍ଚଳର ଲୋକ ହୋଇଥିବାରୁ ତାଙ୍କୁ ସେ ଅଞ୍ଚଳର ଦାୟିତ୍ବ ଦେବା ସହିତ ପ୍ରଶାସନିକ ଅଧିକାରୀଙ୍କୁ ସାମ୍ନାକୁ ଆଣି ରାଜନୈତିକ ବିବାଦକୁ ଦୂରେଇ ପାରିଛନ୍ତି।

ଏହି ମହଲର ଆଉ ଏକ ଯୁକ୍ତି ହେଉଛି, ଆସନ୍ତା ନିର୍ବାଚନରେ ବିଜେଡି ପାଇଁ ପଶ୍ଚିମ ଓଡ଼ିଶା ରାଜନୀତି ଅନେକ ଦୃଷ୍ଟିରୁ ଗୁରୁତ୍ବବହନ କରିବ। ଏଣୁ ଏବେଠାରୁ ସରକାର ପଶ୍ଚିମ ଓଡ଼ିଶା ମନସ୍କ ହେବା ଆରମ୍ଭ କରିଛନ୍ତି। ବିକାଶକୁ ପ୍ରସଙ୍ଗ କରି ସରକାର ପଶ୍ଚିମ ଓଡ଼ିଶାର ସବୁ ନିର୍ବାଚନମଣ୍ଡଳୀରେ ନିଜ ଦୁର୍ଗ ନିର୍ମାଣ କରିବା ସମ୍ଭାବନା ଏଡ଼ାଇ ଦେଇ ହେବ ନାହିଁ।

ସମ୍ବନ୍ଧିତ ଖବର