ସମ୍ବଲପୁର: ଦୁଇ ଦିନ ହେଲା ପ୍ରବଳ ଶୀତରେ ଥରୁଛି ପଶ୍ଚିମ ଓଡ଼ିଶା। କୋହଲା ପବନ ସାଙ୍ଗକୁ କୁହୁଡି ଥଣ୍ଡା ଦ୍ବିଗୁଣ କରୁଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବରର ତଥ୍ୟ ଅନୁଯାୟୀ ରବିବାର ପଶ୍ଚିମଓଡ଼ିଶାର ୭ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳକୁ ଖସି ଆସିଛି। ରାଉରକେଲା ସହରର ତାପମାତ୍ରା ସର୍ବନିମ୍ନ ୬.୪ ଡିଗ୍ରିକୁ ଖସି ଆସିଥିବା ବେଳେ ସୁନ୍ଦରଗଡ଼ର ୬.୫ ଡିଗ୍ରି, ଝାରସୁଗୁଡ଼ାର ୬.୬ ଡିଗ୍ରି, ଭବାନୀପାଟଣାର ୭.୨ ଡିଗ୍ରି, ସୋନପୁର୍‌ର ୮.୫ ଡିଗ୍ରି ସମ୍ବଲପୁରର ୯.୩ ଡିଗ୍ରି ଓ ହୀରାକୁଦର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ରହିଛି। ସେଭଳି ବଲାଙ୍ଗୀରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି, ଟିଟିଲାଗଡ଼ର ୧୧ ଡିଗ୍ରି, ବରଗଡ଼ର ୧୦.୫ ଡିଗ୍ରି, ଦେବଗଡ଼ର ୧୦.୭ ଡିଗ୍ରି ଓ ନୂଆପଡ଼ାର ୧୪ ଡିଗ୍ରି ସର୍ବନିମ୍ନ ତାପମାତରା ଚିହ୍ନଟ ହୋଇଛି।

Advertisment

କିଛି ଦିନ ହେଲା ଶୀତ ଗାଏବ ଥିବା ବେଳେ ହଠାତ ଶୀତ ମାଡି ଆସିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଉତ୍ତରା ଶୁଷ୍କ ବାୟୁ ଓଡିଶାକୁ ପ୍ରବାହିତ ହେଉଥିବାରୁ ଥଣ୍ଡାର ପ୍ରକୋପ ବଢିଥିବା କହାଯାଉଛି। ଆଗାମୀ ୨୪ ଘଣ୍ଟାରେ ଶୀତ ଲହରି ଜାରି ରହିବା ସହ ବିଭିନ୍ନ ସ୍ଥାନରେ ତାପମାତ୍ରା ଆହୁରି ହ୍ରାସପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହା ସହିତ ପଶ୍ଚିମଓଡ଼ିଶାର ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାକୁ ପାଣିପାଗ ବିଭାଗ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଭୋର ସମୟରେ ଘରୁ ନବାହାରିବାକୁ, ସକାଳେ ବାଇକ କିମ୍ବା ଖୋଲାରେ ଯାତାୟତ ନକରି ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ର ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନରେ ନରଖି ଛାତ ତଳେ ରଖିବାକୁ କହାଯାଇଛି।