ସମ୍ବଲପୁର : ପଶ୍ଚିମ ଓଡ଼ିଶାର ଦମ୍ଭରେ ଓଡ଼ିଶା ଦଖଲର ସ୍ବପ୍ନ ଦେଖୁଥିବା ଭାରତୀୟ ଜନତା ପାର୍ଟି ପାଇଁ ଏବେ ଚିନ୍ତା ବଢ଼ିଯାଇଛି। ପଞ୍ଚାୟତ ନିର୍ବାଚନରେ ଦଳ ଯେଉଁ ପ୍ରକାର ପରାଜୟ ଦେଖିଲା ତାହା ନିଶ୍ଚିତ ଭାବେ ଦଳର କୌଣସି ନେତା ସ୍ବପ୍ନରେ ସୁଦ୍ଧା କଳ୍ପନା କରି ନଥିବେ। ଗତ ନିର୍ବାଚନରେ ୫ ଜଣ ସାଂସଦଙ୍କୁ ଜିତାଇଥିବା ପଶ୍ଚିମ ଓଡ଼ିଶାବାସୀ ଏଥର କେଉଁ କାରଣରୁ ଏହି ଦଳରୁ ମୁହଁ ଫେରାଇ ନେଲେ ତାକୁ ନେଇ ତର୍ଜମା ଆରମ୍ଭ ହୋଇଯାଇଛି।
ଅନେକ ବିଶେଷଜ୍ଞଙ୍କ ମତରେ ଶାସକ ବିଜୁ ଜନତା ଦଳ ଯେଭଳି ମାତ୍ରାରେ େଭାଟ ପାଇଲା ସେଭଳି କୌଣସି ଚମତ୍କାର ନିକଟ ଅତୀତରେ କରିନାହିଁ। ସେହିପରି ଗତ ନିର୍ବାଚନରେ ମୋଦୀ ଲହରରେ ପ୍ରଭାବିତ ହୋଇ ୫ ଜଣ ସାଂସଦଙ୍କୁ ସଂସଦକୁ ପଠାଇଥିବା ପଶ୍ଚିମ ଓଡ଼ିଶାବାସୀ ବିଜେପି ଦଳକୁ ପ୍ରତ୍ୟାଖ୍ୟାନ କରି ନାହାନ୍ତି। ତାର ସିଧାସଳଖ ଅର୍ଥ ହେଲା ଯେ ଯେଉଁ ସାଂସଦ, ବିଧାୟକ ଓ ସ୍ଥାନୀୟ ନେତା ମାନଙ୍କୁ ନେଇ ଏହି ଜାତୀୟ ଦଳ ପଞ୍ଚାତୟ ନିର୍ବାଚନ ଲଢ଼ିଥିଲା ସେମାନେ ଲୋକଙ୍କ ବିଶ୍ବାସ ଜିତିପାରି ନାହାନ୍ତି। ଅନ୍ୟ ଶବ୍ଦରେ କହିଲେ ପଶ୍ଚିମ ଓଡ଼ିଶାରେ ବିଜେପି ଓ କଂଗ୍ରେସ୍ର ସମସ୍ତ ବଡ଼ ଚେହେରା ଲୋକଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି। ପଶ୍ଚିମ ଓଡ଼ିଶାରେ ବିଜେପିର ସବୁଠୁ ବଡ଼ ନେତା ଭାବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ଙ୍କୁ ବିବେଚନା କରାଯାଏ। ହେଲେ ସୁନ୍ଦରଗଡ଼ ଜିଲ୍ଲା ତ ଦୂରର କଥା ନିଜ ଗାଁ ଅଞ୍ଚଳରେ ବି ବିଜେପି ପ୍ରାର୍ଥୀଙ୍କୁ ଜିତାଇ ପାରିଲେନି ଜୁଏଲ୍। ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଦୁଇ ଜଣ ସାଂସଦ ନିତେଶ ଗଂଗଦେବ ଏବଂ ସୁରେଶ ପୂଜାରୀଙ୍କ ସମେତ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ, ସୁବାସ ପାଣିଗ୍ରାହୀ ଭଳି ତିନି ତିନି ଜଣ ବିଜେପି ବିଧାୟକ ରହିଥିଲେ ବି କୌଣସି ଗୋଟିଏ ସ୍ଥାନରେ କେହି ଜଣେ ହେଲେ ଦଳର ସମ୍ମାନ ରଖିପାରିଲେ ନାହିଁ। ସମ୍ବଲପୁର ସାଂସଦ ତଥା ଦେବଗଡ଼ ରାଜା ନିଜ ପାରିବାରିକ ବିବାଦ ଭିତରେ ଛନ୍ଦି ହୋଇ ଏହି ନିର୍ବାଚନଠାରୁ ସଂପୂର୍ଣ୍ଣ ଦୂରରେ ରହିଲେ। ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀ ବି ଭୋଟର୍ଙ୍କ ବିଶ୍ବାସ ଜିତି ପାରିଲେ ନାହିଁ। ଫଳରେ ଗତଥର ୭ରୁ ୬ ଆସନ ଜିତିଥିବା ବିଜେପି ଏଥର ସମସ୍ତ ୭ଟି ଯାକ ଜୋନ୍କୁ ବିଜେଡି ହାତରେ ଟେକି ଦେଇଥିଲା। ଝାରସୁଗୁଡ଼ା ଜିଲ୍ଲାରେ ମନ୍ତ୍ରୀ ନବ ଦାସ ସବୁଥର ଭଳି ଏଥର ବି ସମସ୍ତଙ୍କ ଉପରେ ଭାରୀ ପଡ଼ିଲେ। ସେଠି ସାଂସଦ ସୁରେଶ ପୂଜାରୀ ହୁଅନ୍ତୁ କି ପୂର୍ବ ବିଧାୟିକା ରାଧାରାଣୀ ପଣ୍ଡା କେହି ଦଳ ପାଇଁ ଗୋଟିଏ ଆସନ ଜିତି ସମ୍ମାନ ରଖିପାରିଲେ ନାହିଁ। ସମ୍ବଲପୁର ଜିଲ୍ଲା ବିଜେପି ସଂପୂର୍ଣ୍ଣ ଭାବେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଉପରେ ନିର୍ଭରଶୀଳ ହୋଇ ପଡ଼ିଲା। ଅସୁସ୍ଥତା ସତ୍ତ୍ବେ ନିର୍ବାଚନର କିଛି ଦିନ ପୂର୍ବରୁ ଜୟ ନିର୍ବାଚନୀ ମଇଦାନକୁ ଲମ୍ଫ ଦେଇ ମଙ୍ଗ ସମ୍ଭାଳି ଥିଲେ ସତ, ହେଲେ ସେତିକି ବେଳକୁ ଯଥେଷ୍ଟ ବିଳମ୍ବ ହୋଇ ସାରିଥିଲା।
ବଲାଙ୍ଗୀର ଜିଲ୍ଲାରେ ବିଜେପି ଓ କଂଗ୍ରେସ୍ର ବଡ଼ ମୁହଁ ଥିଲେ ବି ବିଜେଡି ଲହରରୁ ଦଳକୁ ରକ୍ଷା କରିପାରି ନାହାନ୍ତି। ଏଠାରେ କଂଗ୍ରେସ୍ର ନରସିଂହ ମିଶ୍ର ହୁଅନ୍ତୁ କି ବିଜେପିର ସିଂହଦେଓ ଦମ୍ପତି ସମସ୍ତେ ଫିକା ପଡ଼ି ଯାଇଛନ୍ତି। ସାଂସଦ ସଂଗୀତା ସିଂହଦେଓ ଏବଂ ରାଜ୍ୟରେ ବିଜେପିର ଅନ୍ୟତମ ବଡ଼ ମୁହଁ କେଭି ସିଂହଦେଓଙ୍କ ଯାଦୁ ଏଥର ଚାଲିପାରି ନାହିଁ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଗତ ନିର୍ବାଚନରେ ବିଧାୟକ ନିର୍ବାଚିତ ହୋଇଥିବା କଂଗ୍ରେସ୍ର ଦୁଇ ଭେଟେରାନ୍ ନରସିଂହ ମିଶ୍ର ଓ ସନ୍ତୋଷ ସିଂହ ସାଲୁଜା ବି ଫେଲ୍ ମାରିଛନ୍ତି। ଏହି ଜିଲ୍ଲାକୁ ବି ବିଜେଡି ହରାଇ ବସିଛି। ସେହିପରି ମୋଦୀ ଲହରୀରେ ନଈ ପାରି ହୋଇ ଯାଇଥିବା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ନିଜ ଜିଲ୍ଲା ନୂଆପଡ଼ାରେ ଗତ ପଞ୍ଚାୟତ ନିର୍ବାଚନରେ ବି ବିଜେପି ଶୋଚନୀୟ ପ୍ରଦର୍ଶନ କରିଥିଲା। ତେଣୁ ଏଥର ସେଠାରେ ଦଳଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉ ନଥିଲା। ହେଲେ ଗତଥର ଅଳ୍ପକେ କ୍ଲିନ୍ ସୁଇପ୍ କରିବାରୁ ବଞ୍ଚିତ ହୋଇଥିବା କଳାହାଣ୍ଡି ଜିଲ୍ଲାରେ ମମିତା ମେହେର ପ୍ରସଂଗରୁ ବିଜେପି କୌଣସି ଫାଇଦା ନେଇପାରି ନାହିଁ। ଓଲଟି ଦିବ୍ୟଶଂକର ମିଶ୍ରଙ୍କ ନିର୍ବାଚନମଣ୍ଡଳୀର ସମସ୍ତ ଆସନ ବିଜେଡି ଖାତାକୁ ଯାଇଛି। କଳାହାଣ୍ଡି ସଦରର ବିଧାୟକ ପ୍ରଦୀପ୍ତ ନାୟକ ପୁଣି ବିରୋଧୀ ଦଳ ନେତା ହୋଇଥିଲେ। ଅବଶ୍ୟ କରୋନାରେ ପୀଡ଼ିତ ହୋଇ ଗୁରୁତର ଥିବାରୁ ସେ ଏହି ନିର୍ବାଚନରେ ସକ୍ରିୟ ନଥିଲେ। କିନ୍ତୁ ଦଳ ଯେଭଳି ପ୍ରଦର୍ଶନ କଲା ତାହା ବିଜେପି ନେତା ମାନଙ୍କ କଳ୍ପନାର ବାହାରେ ଥିଲା। ଏଠାରେ କଂଗ୍ରେସ୍ ଭେଟେରାନ୍ ଭକ୍ତ ଦାସ ବି କିଛି କରିପାରି ନାହାନ୍ତି। ବିଜେପି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ହରାଇଥିବା ବେଳେ ବୌଦ୍ଧରେ ବି ଉତ୍ସାହିତ ହେବା ଭଳି କିଛି କରିପାରି ନାହିଁ। ମୋଟାମୋଟି କହିବାକୁ ଗଲେ, ଏହି ପଞ୍ଚାୟତ ନିର୍ବାଚନରେ ବିଜେପି ଓ କଂଗ୍ରେସ୍ର ନେତା ଓ ଜନ ପ୍ରତିନିଧି ମାନେ ଭୋଟର୍ଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହୋଇଛନ୍ତି।