ବନ୍ଦ ହୋଇଯିବ ପଶ୍ଚିମ ଓଡ଼ିଶାର ପ୍ରଥମ ବୈଷୟିକ କଲେଜ ଆର୍‌ଆଇଟି!

କର୍ମ ସଂସ୍ଥାନ ହରାଇବେ ୧୦୦ରୁ ଅଧିକ କର୍ମଚାରୀ, ଅନିଶ୍ଚିତତା ମଧ୍ୟରେ ୨୦୦ ଛାତ୍ରଛାତ୍ରୀ ଭାଗ୍ୟ

ରାଉରକେଲା: ବନ୍ଦ ହେବାକୁ ଯାଉଛି ରାଜ୍ୟର ତୃତୀୟ, ପଶ୍ଚିମ ଓଡ଼ିଶାର ପ୍ରଥମ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ରାଉରକେଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆର୍‌ଆଇଟି)। ପରିଚାଳନାଗତ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା କାରଣରୁ ସର୍ବ ପୁରାତନ‌ ଅର୍ଥାତ୍‌ ୩୭ ବର୍ଷର ବୈଷୟିକ ଶିକ୍ଷାନୁଷ୍ଠାନ ଆଗାମି ଦିନରେ ଚାଲିବା ନେଇ ଅନଶ୍ଚିତତା ଦେଖାଦେଇଛି। ବକେୟା ଦରମା, ପିଏଫ୍‌ ଦରମା ଜମାକୁ ବାବଦକୁ ବାକି ପଡିଛି ପ୍ରାୟ ୬ କୋଟିରୁ ଅଧିକ। ଦରମା ପ୍ରଦାନ ଦାବିରେ ବର୍ଷ ସାରା କର୍ମଚାରୀମାନେ ଧାରଣା, ଆନ୍ଦୋଳନ ଜାରି ରଖିଛନ୍ତି। କେତେବେଳେ ରାଉରକେଲା ସିଟି ଅଫିସ୍‌ର ତ ପୁଣି କେତେବେଳେ କଲୁଙ୍ଗାସ୍ଥିତ ଶିକ୍ଷାନୁଷ୍ଠାନ ପରିସରରେ। କର୍ମଚାରୀ ଓ ମ୍ୟାନେଜମେଣ୍ଟ ଲାଗି ରହିଥିବା ବିବାଦ ମଧ୍ୟରେ ଛନ୍ଦି ହୋଇ ପଡିଛନ୍ତି ଭବିଷ୍ୟତ ଗଢ଼ୁଥିବା ନିରୀହ ଛାତ୍ରଛାତ୍ରୀ।

ଅଭିଭାବକଙ୍କ ଚିନ୍ତା ବଢ଼ିଯାଇଛି। କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁ ଠିକ୍‌ ସମୟରେ ଛାତ୍ରଛାତ୍ରୀମାନେ ଫର୍ମ ଫିଲ୍‌ ଅଫ୍‌ କରି ପାରୁ ନାହାନ୍ତି। ଠିକ୍‌ ସମୟରେ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି। ମ୍ୟାନେଜମେଣ୍ଟର ଏଭଳି ଅବ୍ୟବବସ୍ଥା ପ୍ରତିବାଦରେ କର୍ମଚାରୀମାନଙ୍କ ପରି ଛାତ୍ରଛାତ୍ରୀମାନେ ଅନେକ ବାର ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ପରିଚାଳନା କମିଟିର ଅଧ୍ୟକ୍ଷ, ସମ୍ପାଦକ, ସଭାପତିଙ୍କୁ ଘେରିଛନ୍ତି। ମ୍ୟାନେଜମେଣ୍ଟ ପକ୍ଷରୁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ଫଳ କିନ୍ତୁ ଶୂନ। ନିକଟରେ ବକେୟା ଦରମାକୁ ନେଇ ଶତାଧିକ କର୍ମଚାରୀ ସେମାନଙ୍କ ପରିବାର ସହ ଅଧ୍ୟକ୍ଷ, ସମ୍ପାଦକଙ୍କ ଅଫିସ୍‌ ଆଗରେ ଆମରଣ ଅନଶନ ବସିଥିଲେ। ବକେୟା ଦରମାକୁ କେନ୍ଦ୍ର କରି ଉଭୟ ଅଧ୍ୟକ୍ଷ, ସମ୍ପାଦକ ଓ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ସମସ୍ୟାର ସୁଧୁରିବା ପରିବର୍ତ୍ତେ ଜଟିଳ ହେବାରୁ ଶେଷରେ ରାଉରକେଲା ଟେକ୍ନିକାଲ ଏଜୁକେଶନ୍‌ ସୋସାଇଟିର ଅଧ୍ୟକ୍ଷ ପୀତବାସ ମିଶ୍ର ନିଜର ପଦରୁ ଇସ୍ତଫା ଦେଇଥିଲେ। ଇସ୍ତଫା ପରେ ଅଦ୍ୟାବଧି ଅଧ୍ୟକ୍ଷ ପଦବୀ ସେମିତି ଖାଲି ପଡିଛି। କଲେଜର ସ୍ଥିତି ସୁଧାରିବାକୁ ମ୍ୟାନେଜମେଣ୍ଟ ପ୍ରୟାସ ଜାରି ରଖିଛି। ମାତ୍ର ସ୍ଥିତି ସୁଧୁରିବା ପରିବର୍ତ୍ତେ ଦିନକୁ ଦିନ ବିଗୁଡୁଛି। କଲେଜ ଅଧୀନରେ ଥିବା ଗୋବିରାର ପ୍ରାୟ ୭ ଏକର ଜମି ବିକ୍ରି ବାବଦରେ ୩ କୋଟି ୨୫ ଲକ୍ଷ, କଲେଜ ହଷ୍ଟେଲ ବିକ୍ରି ବାବଦରେ ୧ କୋଟି ୫୦ ଲକ୍ଷ ଏମିତି ମୋଟ ୪ କୋଟି ୭୫ ଲକ୍ଷ ଟଙ୍କା ସଂଗ୍ରହ କରାଯାଇଥିଲା। ୨୦୨୦ ଜୁଲାଇରୁ ଆଜି ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଜମି ଓ ହଷ୍ଟେଲ ବିକ୍ରିରୁ ମିଳିଥିବା ଟଙ୍କାକୁ ବକେୟା ଦରମା ବାବଦରେ ଦିଆଯାଇଛି। ଏହା ସତ୍ବେ ଆହୁରି ୪୦ ମାସର ପିଏଫ୍‌, ପୂର୍ବ ବକେୟା ଦରମା ବାବଦରେ ଆହୁରି ୬ କୋଟିରୁ ଅଧିକ ଟଙ୍କା ବାକି ରହିଛି। ସେପଟେ ଦେବାଳିଆ ସ୍ଥିତିକୁ ଦୃଷ୍ଟିରେ ରଖି ମ୍ୟାନେଜମେଣ୍ଟ ଗତ ୨୦୨୦-୨୧ରେ ଆଡ୍‌ମିଶନ ନେଇ ନାହାନ୍ତି। ଏପରି ସ୍ଥିତି ଜାରି ରହିଲେ ୨୦୨୧-୨୧ରେ ଆଡ଼୍‌ମିଶନ ନିଆଯିବ ନାହିଁ ବୋଲି ଖୋଦ୍‌ ସୋସାଇଟିର ସମ୍ପାଦକ ପ୍ରଭାତ ମହାପାତ୍ର କହିଛନ୍ତି। ଜମି, ହଷ୍ଟେଲ ବିକ୍ରି ହୋଇ ଯାଇଥିବାରୁ ଏବେ କଲେଜର ପୁଞ୍ଜି କହିଲେ କେବଳ ଶିକ୍ଷାନୁଷ୍ଠାନ। ‌ଯେଉଁଠି ଅଛି ମାତ୍ର ୬ଟି ସେଡ୍‌, ଗୋଟିଏ ୪ ମହଲା ଓ ଅନ୍ୟଟି ୩ ମହଲା ବିଲ୍‌ଡିଂ। ଯାହାର ମୂଲ୍ୟ ପ୍ରାୟ ୧୦ କ‌ୋଟି ଟଙ୍କା ହେବ ବୋଲି ଜଣାପଡିଛି। ଯଦି କୌଣସି ସଂସ୍ଥା କଲେଜକୁ ଲିଜ୍‌ ଆକାରରେ ନିଅନ୍ତି, କଲେଜ ତିଷ୍ଠି ରହିବ। ନ ହେଲେ ୩୭ ବର୍ଷର ସର୍ବପୁରାତନ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ସବୁଦିନ ପାଇଁ ବନ୍ଦ ହୋଇଯିବ, ଏଥିରେ ଦ୍ବିମତ ନାହିଁ।

ରାଉରକେଲା ଟେକ୍ନିକାଲ ଏଜୁକେଶନ ସୋସାଇଟିର ସମ୍ପାଦକ ପ୍ରଭାତ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ୨୦୨୦-୨୧ରେ ଡିପ୍ଲୋମାର କୌଣସି ବିଭାଗର ଆଡ଼ମିଶନ ନେଇ ନାହୁଁ। ସୋସାଇଟି ପାଖରେ ଟଙ୍କା ହେଲେ କଲେଜ ଚାଲିବ। ନହେଲେ ଚଳାଇବା କଷ୍ଟକର ହୋଇ ପଡିବ। ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦଷ୍ଟିରେ ରଖି ରାଜ୍ୟର ତୃତୀୟ ବୈଷୟିକ ଡିପ୍ଲୋମା କଲେଜ ଭାବେ ୧୯୮୪ରେ କଲୁଙ୍ଗାରେ ଆର୍‌ଆଇଟି ପ୍ରତିଷ୍ଠା ହୋଇଥିଲା। ପ୍ରଥମେ ଡିପ୍ଲୋମାର ତିନିଟି ବିଭାଗ ସିଭିଲ, ଇଲେକ୍ଟ୍ରିକାଲ, ମେକାନିକାଲ୍‌‌ ଖୋଲାଯାଇଥିଲା। ଚାହିଦା ବଢ଼ିବାରୁ ପରବର୍ତ୍ତୀ ସମୟରେ ଆଉ ତିନିଟି ବିଭାଗ କମ୍ପୁଟର, ମେଟ୍ରୋଲୋଜି, ଇଲେକ୍ଟ୍ରୋନିକ୍ସ ଖୋଲିଲା। ୨୦୦୦ରେ ଏମ୍‌ସିଏ, ଏମ୍‌ବି ଖୋଲିଥିଲା। ପାଖାପାଖି ୨୦୧୦ ବେଳକୁ ଆଇଟିଆଇ ଓ ପରେ ଆବାସିକ ଯୁକ୍ତ ଦୁଇ କଲେଜ ଖୋଲିଲା। ସେତେବେଳେ ଛାତ୍ରଛାତ୍ରୀଙ୍କ ପାଖାପାଖି ୧୨୦୦ରୁ ଅଧିକ ଥିଲେ। କର୍ମଚାରୀଙ୍କ ସଂଖ୍ୟା ଥିଲା ପ୍ରାୟ ୧୫୦ରୁ ଅଧିକ। କର୍ମଚାରୀଙ୍କ ମାସିକ ଦରମା ବାବଦରେ ପ୍ରାୟ ୨୫ରୁ ୨୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା। କ୍ୟାମ୍ପସରେ ବହୁ ପ୍ରତିଷ୍ଠିତ କମ୍ପାନୀ ଆସୁଥିଲେ। କ୍ୟାମ୍ପସ ଜରିଆରେ ପ୍ରତିବର୍ଷ ବହୁ ଛାତ୍ରଛାତ୍ରୀ ନିଯୁକ୍ତି ପାଉଥିଲେ। ଗତ ୨୦୧୬ରୁ ଛାତ୍ରଛାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇବା, ପରିଚାଳନାଗତ ତ୍ରୁଟି ଯୋଗୁଁ କଲେଜର ସ୍ଥିତି ବିଗିଡିବାକୁ ଲାଗିଥିଲା। ଏବେ କର୍ମସଂସ୍ଥାନ ହରାଇବେ ପ୍ରାୟ ୧୦୦ରୁ ଅଧିକ କର୍ମଚାରୀ। ବର୍ତ୍ତମାନ ସ୍ଥିତିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି।

ସମ୍ବନ୍ଧିତ ଖବର