ଛେନାପୋଡ଼ ଉପରେ ବଙ୍ଗର ଆଖି

ଜିଆଇ ଟ୍ୟାଗ୍ ଅଡୁଆ କେଉଁଠି?

ସ୍ବତନ୍ତ୍ର ସେଲ୍ ରହିଛି, ବଜେଟ୍ ବ୍ୟବସ୍ଥା ନାହିଁ
ରସଗୋଲା କ୍ଲଷ୍ଟର, ହବ୍ ପ୍ରତିଶ୍ରୁତି ଭୁଲିଗଲେ
ଛେନାଝିଲ୍ଲୀ କମିଟି ରିପୋର୍ଟ ଧରି ସମସ୍ତେ ଚୁପ୍
ରସାବଳୀ ପାଇଁ କେନ୍ଦ୍ରାପଡ଼ାରେ ତନାଘନା ଆରମ୍ଭ

ଭୁବନେଶ୍ୱର : ବହୁ ବାଦବିବାଦ ପରେ ‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା ମିଳିଲା। ସମସ୍ତେ ଗଦ୍ ଗଦ୍ ହୋଇପଡିଲେ। ସରକାର ଘୋଷଣା କରିଥିଲେ ଯେ ପାହାଳରେ ରସଗୋଲା କ୍ଲଷ୍ଟର ହେବ। ଭୁବନେଶ୍ବର ଏକ ମିଷ୍ଟାନ୍ନ ହବ୍ କରାଯିବ, ଯେଉଁଥିରେ ରସଗୋଲା ସମେତ ରାଜ୍ୟର ସବୁ ଭଲ ଭଲ ମିଠା ମିଳିବ। ବର୍ଷେ ବିତିଲାଣି, ଏହା ଉପରେ କି ପଦକ୍ଷେପ ନିଆଯାଇଛି? କାହିଁକି ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହିତ ବିଚାର କରୁନାହାନ୍ତି।

ଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଥିବା ବେଳେ ପୁରୀର ଖଜା, ନିମାପଡ଼ାର ଛେନାଝିଲି, ନୟାଗଡ଼ର ଛେନାପୋଡ଼, କଟକର ତାରକସି, କେନ୍ଦ୍ରାପଡ଼ାର ରସାବଳୀ, ଢେଙ୍କାନାଳର ବିରିବରା ଆଦି ସାମଗ୍ରୀକୁ କେବେ ଜିଆଇ ବା ଭୌଗଳିକ ମାନ୍ୟତା ମିଳିବ ତାହାକୁ ନେଇ ବିତର୍କ ଜୋର ଧରିଲାଣି।

dianasahu.wordpress.com

ଏ ନେଇ ଅନୁସନ୍ଧାନ ବେଳେ ଦୁଇଟି ସାଂଘାତିକ କଥା ସାମ୍ନାକୁ ଆସିଛି। ପ୍ରଥମ କଥା ହେଲା, ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ କୌଶଳ​ ବିଭାଗ ଅଧୀନରେ ଏକ ସ୍ବତନ୍ତ୍ର ସେଲ୍ କାର୍ଯ୍ୟ କରୁଛି ଯାହା ପେଟେଣ୍ଟ ଇନଫରମେସନ୍ ସେଣ୍ଟର ବା ଇଣ୍ଟେଲେକ୍ଚ୍ୟୁଆଲ ପ୍ରପର୍ଟି ଫାସିଲିଏସନ୍ ସେଣ୍ଟର ଭାବେ ଜଣାଶୁଣା। ବିଭିନ୍ନ ସଂସ୍ଥା ଯେଉଁ ସାମଗ୍ରୀ ପାଇଁ ଜିଆଇ ଟ୍ୟାଗ୍ ଆବେଦନ କରିବେ, ଏମାନେ ତାହା ଉପରେ ଅଧିକ ଅନୁସନ୍ଧାନ କରିବା ସହିତ ପଦକ୍ଷେପ ନେବେ। କିନ୍ତୁ ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଅନୁଷ୍ଠାନ ପାଇଁ ରାଜ୍ୟ ସରକାର କୌଣସି ବଜେଟ୍ ବ୍ୟବସ୍ଥା କରିନାହାନ୍ତି। ଯାହା ଫଳରେ ସେମାନେ ଯେ କୌଣସି ସାମଗ୍ରୀ ଉପରେ ଅଧିକ ଅନୁସନ୍ଧାନ କରିବା କାଠିକର ପାଠ ହୋଇପଡ଼ୁଛି। ୨୦୧୫ରୁ ଏହା ଓଡ଼ିଶାରେ କାର୍ଯ୍ୟ କରୁଥିଲେ ହେଁ, ସରକାର ଏହି ଅନୁଷ୍ଠାନକୁ ଯେଭଳି ଗୁରୁତ୍ବ ଦେବା କଥା ତାହା ଦେଉନାହାନ୍ତି।

ଏହା ପରୋକ୍ଷରେ ସୂଚାଇ ଦେଉଛି ଯେ ଜିଆଇ ଟ୍ୟାଗ୍ ପ୍ରସଙ୍ଗକୁ ନେଇ ସାଧାରଣରେ ଯେଭଳି ଉତ୍ସାହ ରହିଛି, ସରକାରୀସ୍ତରରେ ତାହା ପରିଲକ୍ଷିତ ହେଉନାହିଁ। ଦୁଇଟି ଉଦାହରଣ ଦେଲେ ଏକଥା ସ୍ପଷ୍ଟ ହୋଇଯିବ। ଗୋଟିଏ ସମୟରେ ବରିଷ୍ଠ ପ୍ରଶାସକ ସଂଜୀବ ଚୋପ୍ରା ଦାୟିତ୍ବରେ ଥିବା ବେଳେ ନିମାପଡ଼ା ଛେନାଝିଲ୍ଲି, ଛେନାପୋଡ଼ ଓ ତାରକସିକୁ ଜିଆଇ ଟ୍ୟାଗ୍ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ଲାଗି ନିର୍ଦେଶ ଦେଇଥିଲେ। ହେଲେ ଏହା ଉପରେ ବି ବିଭାଗ ତତ୍ପରତା ଦେଖାଇନାହିଁ। ରସଗୋଲା ସମୟରେ କିଏ ଆବେଦନ କରିବେ ସେ ନେଇ ଗୋଟିଏ ଦ୍ବନ୍ଦ୍ବ ଥିଲା, ଯାହା ଆଜି ଦିନରେ ନାହିଁ।

Glossypolish

ଏହାସତ୍ତ୍ବେ ଏସଂକ୍ରାନ୍ତ ନିର୍ଦେଶନାମା କାର୍ଯ୍ୟାନ୍ବୟନ କାହିଁକି କେଜାଣି ମନ୍ଥର ଧରୁଛି। ଏଇ ଯେମିତି ନିମାପଡ଼ା ଝିଲ୍ଲିକୁ ଭୌଗଳିକ ମାନ୍ୟତା ଦେବା ଲାଗି ଏକ ତିନି ଜଣିଆ କମିଟି ଗଠନ କରାଯାଇଥିଲା। ଗତବର୍ଷ ସେପ୍ଟେମ୍ବର ମାସ ୨୪ ତାରିଖରେ ଏହି କମିଟି ନିମାପଡ଼ା ଗସ୍ତ କରିଥିଲେ। ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ସଭାପତି ବିମ୍ବାଧର ବେହେରାଙ୍କ ନେତୃତ୍ବରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ଅସିତ ମହାନ୍ତି ଓ ଆଇପିଏଫସି ପକ୍ଷରୁ ଡ. ସୁଶାନ୍ତ କୁମାର ରାଉତ ନିମାପଡା ଯାଇ ପ୍ରାଥମିକ ସର୍ବେକ୍ଷଣ କାର୍ଯ୍ୟ ଶେଷ କରିଛନ୍ତି। ସେମାନେ ଏକ ରିପୋର୍ଟ ମଧ୍ୟ ସରକାରଙ୍କୁ ଦେଇ ସାରିଛନ୍ତି। ଏକଥା ଜଣାପଡିଛି ଯେ ଗୋଟିଏ ସମୟରେ ପଣ୍ଡିତ ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀଙ୍କ ପାଇଁ ମଧୂ ଆଚାର୍ଯ୍ୟ ନାମକ ଜଣେ ମିଠା କାରିଗର ଛେନା ଜିଲାବୀ ବା ଆଜି ଦିନର ଛେନା ଝିଲ୍ଲି ତିଆରି କରିଥିଲେ। ପରବର୍ତୀ ସମୟରେ ସେ ଆର୍ତ୍ତବନ୍ଧୁ ସାହୁଙ୍କୁ ଏହି କୌଶଳ ବତାଇଥିଲେ। ଦିବଂଗତ ଶ୍ରୀ ସାହୁଙ୍କ ଛେନା ଝିଲ୍ଲି କାରବାରରେ ବେଶ୍ ନା କରିଥିଲେ। ହେଲେ ଏହି ରିପୋର୍ଟ ଉପରେ କି ପଦକ୍ଷେପ ନିଆଗଲା, ତାହା କାହାକୁ ଜଣାନାହିଁ। ଏହି କମିଟି ଆଉଥରେ ନିମାପଡ଼ା ଗଲେଣି କି ନାହିଁ, ଏ ସଂକ୍ରାନ୍ତ ଆବେଦନ କେବେ ହେବ, ସେକଥା କେହି କହିପାରୁନାହାନ୍ତି।

ଏପଟେ ନୟାଗଡ଼ର ଛେନାପୋଡ଼ ଓ କଟକର ତାରକସିକୁ ବଙ୍ଗଳା ନେଇଯିବାକୁ ବସିଛି। ସଂପୃକ୍ତ ରାଜ୍ୟ ସରକାର ଏ କ୍ଷେତ୍ରରେ ରସଗୋଲା ଭଳି କେଁ ପୂରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଓଡ଼ିଶା ସରକାର ଏ ସଂପର୍କରେ ଜାଣିଲେଣି ନା ନାହିଁ?

ଉଲ୍ଲେଖଥାଉକି, କେନ୍ଦ୍ରାପଡ଼ାରେ ମଧ୍ୟ ରସାବଳୀକୁ ଭୌଗଳିକ ମାନ୍ୟତା ପ୍ରଦାନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ରସାବଳୀ ମିଷ୍ଟାନ୍ନ ନିର୍ମାତା ସଂଘ ଗଠନ କରାଯାଇ ବିଧିବଦ୍ଧ ଆବେଦନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର