୨୯ରେ ପଶ୍ଚିମବଙ୍ଗ ସଟ୍‌ଡାଉନ୍‌: ପ୍ରଭାବିତ ହେବ ଟ୍ରେନ୍‌‌‌ ସେବା

ଭୁବନେଶ୍ବର : କରୋନା ସଂକ୍ରମଣ ରୋକିବା ଲାଗି ଆସନ୍ତା ୨୯ ତାରିଖରେ ପଶ୍ଚିମବଙ୍ଗକୁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ କରାଯିବ। ଏହାଦ୍ବାରା ଟ୍ରେନ୍‌ ସେବା ପ୍ରଭାବିତ ହେବାର ଆଶଙ୍କା ଥିବାରୁ ପୂର୍ବତଟ ରେଳପଥ ପକ୍ଷରୁ ଦୁଇଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଆଉ କିଛି ଟ୍ରେନ୍‌ ଚଳାଚଳରେ କିଛିଟା ପରିବର୍ତ୍ତନ କରାଯାଇଛି। ଭୁବନେଶ୍ୱର-ହାୱଡା-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍‌(୦୨୦୭୩/୦୨୦୭୪) ଜୁଲାଇ ୨୯ରେ ଭୁବନେଶ୍ୱର ଓ ହାୱଡା ଉଭୟ ପାର୍ଶ୍ବରୁ ବାତିଲ ହେବ। ୨୮ ତାରିଖରେ ସିଅଲଦାଠାରୁ ଛାଡ଼ିବାକୁ ଥିବା ସିଅଲଦା(କୋଲକାତା)-ଭୁବନେଶ୍ୱର ଦୂରନ୍ତ ସ୍ବତନ୍ତ୍ର ଏକ୍ସପ୍ରେସ୍‌(୦୨୨୦୧)କୁ ବାତିଲ୍‌ ହୋଇଛି। ତେଣୁ ଭୁବନେଶ୍ୱର-ସିଅଲଦା ଦୂରନ୍ତ ସ୍ବତନ୍ତ୍ର ଏକ୍ସପ୍ରେସ(୦୨୨୦୨)କୁ ଜୁଲାଇ ୨୯ରେ ଭୁବନେଶ୍ୱରରୁ ବାତିଲ କରାଯିବ।

ସିକନ୍ଦରାବାଦରୁ ଆସୁଥିବା ସିକନ୍ଦରାବାଦ-ହାୱଡା ଫାଲକନୁମା ସ୍ବତନ୍ତ୍ର ‌ଏକ୍ସପ୍ରେସ୍‌(୦୨୭୦୪) ୨୮ରେ ଭୁବନେଶ୍ୱରଠାରେ ଅଟକି ରହିବ ଏବଂ ୨୯ରେ ହାୱଡା ପର୍ଯ୍ୟନ୍ତ ଯିବ ନାହିଁ। ହାୱଡା-ସିକନ୍ଦରାବାଦ ଫଲକନାମା ସ୍ବତନ୍ତ୍ର ଏକ୍ସପ୍ରେସ(୦୨୭୦୩) ୨୯ ତାରିଖରେ ହାୱଡା ପରିବର୍ତ୍ତେ ଭୁବନେଶ୍ୱରଠାରୁ ଯାତ୍ରା ଆରମ୍ଭ କରିବ। ସେହିଦିନ ହାୱଡାରୁ ଭୁବନେଶ୍ୱର ଆସୁଥିବା ଟ୍ରେନ୍‌ ବାତିଲ କରାଯିବ। ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ବତନ୍ତ୍ର ରାଜଧାନୀ ଏକ୍ସପ୍ରେସ(୦୨୮୨୩/୦୨୮୨୪) ଜୁଲାଇ ୨୯ରେ ହିଜଲୀଠାରେ ରହଣି କରିବ ନାହିଁ। ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ବତନ୍ତ୍ର ପୁରୁଷୋତ୍ତମ ଏକ୍ସପ୍ରେସ(୦୨୮୦୧/୦୨୮୦୨) ଜୁଲାଇ ୨୯ରେ ପୁରୁଲିଆଠାରେ ଅଟକିବ ନାହିଁ। ଯଶବନ୍ତପୁର-ହାୱଡା ଦୂରନ୍ତ ସ୍ବତନ୍ତ୍ର ଟ୍ରେନ୍‌(୦୨୨୪୬) ୨୮ତାରିଖରେ ଯଶବନ୍ତପୁରଠାରୁ ଯାତ୍ରା ଆରମ୍ଭ କରିବ ନାହିଁ। ଏହା ଯଶବନ୍ତପୁରଠାରୁ ବାତିଲ ହେବ। ତେଣୁ ହାଓଡ଼ା-ଯଶବନ୍ତପୁର ଦୁରନ୍ତ ସ୍ବତନ୍ତ୍ର ଏକ୍ସପ୍ରେସ୍‌(୦୨୨୪୫) ଜୁଲାଇ ୨୯ରେ ହାୱଡାଠାରୁ ବାତିଲ୍‌ ହେବ। ଉପରୋକ୍ତ ଟ୍ରେନ୍‌ଗୁଡ଼ିକର ଯାତ୍ରୀମାନେ ଏଥିପ୍ରତି ଧ୍ୟାନ ଦେବା ସହ ସେହି ଅନୁଯାୟୀ ପ୍ରସ୍ତୁତ ହେବା ନିମନ୍ତେ ପୂର୍ବତଟ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର