ଭୋଗରାଇ: ସୁବର୍ଣ୍ଣରେଖାର ବନ୍ୟାପାଣି ଭୋଗରାଇ ବ୍ଲକ୍‌ ଅଞ୍ଚଳର ଲୋକଙ୍କ ପାଇଁ ଯେତିକି କ୍ଷତିକାରକ ନୁହେଁ, ତା’ଠାରୁ ଅଧିକ କ୍ଷତିକାରକ ହେଉଛି ପଡ଼ୋଶୀ ପଶ୍ଚିମବଙ୍ଗର ଉଦ୍‌ବୃତ୍ତ ବର୍ଷାପାଣି। ପ୍ରତିବର୍ଷ ପଶ୍ଚିମବଙ୍ଗର ବର୍ଷାପାଣିରେ ଭୋଗରାଇ ବ୍ଲକ୍‌ର ଦୁଇ ତୃତୀୟାଂଶ ଅଞ୍ଚଳ ଜଳମଗ୍ନ ହେବା ସହ ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏନେଇ ଓଡ଼ିଶା ସରକାର କୌଣସି ସ୍ଥାୟୀ ସମାଧାନ କରୁ ନଥିବା ବେଳେ ବ୍ଲକ୍‌ର ହଜାର ହଜାର ଚାଷୀଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିବର୍ଷ ସୀମାବର୍ତ୍ତୀ ଇଲାକାରେ ଥିବା ଚାଷୀଙ୍କ ଚାଷ ପ୍ରତିବର୍ଷ ପ୍ରଭାବିତ ହେଉଥିବା ବେଳେ ଚାଷୀ ଆନ୍ଦୋଳନର ଆଶଙ୍କା ଦେଖାଦେଇଛି।

Advertisment

ପଶ୍ଚିମବଙ୍ଗର ବର୍ଷାପାଣିରେ ବ୍ଲକ୍‌ର ୧୫ରୁ ଅଧିକ ପଞ୍ଚାୟତରେ ବର୍ଷାଦିନେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି ହୋଇଥାଏ। ବ୍ଲକ୍‌ର ୩ ଲକ୍ଷରୁ ଅଧିକ ଲୋକ ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ପଶ୍ଚିମବଙ୍ଗ ପାଣି ଦ୍ବାରା କ୍ଷତିଗ୍ରସ୍ତ ହୋଇଥା’ନ୍ତି। ଭୋଗରାଇ ଓ ଜଳେଶ୍ୱର ବ୍ଲକ୍‌ ସୀମାକୁ ଲାଗି ରହିଥିବା  ପଶ୍ଚିମବଙ୍ଗର ଦାନ୍ତୁନ, ମୋହନପୁର, ଏଗ୍ରା ଓ ରାମନଗର ଆଦି ୪ଟି ଥାନା ଅଞ୍ଚଳର ଉଦ୍‌ବୃତ ବର୍ଷାପାଣି ସମୁଦ୍ରରେ ସିଧାସଳଖ ମିଶି ପାରୁ ନଥିବା ବେଳେ ଜଳେଶ୍ୱର ବ୍ଲକ୍‌ ଦେଇ ଉତ୍ତର ଭୋଗରାଇର ୧୮ଟି ପଞ୍ଚାୟତକୁ ଜଳମଗ୍ନ କରାଇଥାଏ। ଧୀରେ ଧୀରେ ଏହି ପାଣି ଭୋଗରାଇ ଅଞ୍ଚଳର ସଡ଼କ ଓ  ନୟନଯୋଡ଼ି ଦେଇ ନହରା ନାଳ, ନାମ୍ପୋ ନାଳ, ପାଣ୍ଡୁଆ ନାଳ, ମହାଦିଆ ନାଳ, ଚିତେଇ ନଦୀ ଓ କୋଷ୍ଟ କେନାଲ୍‌ ଦେଇ ସୁବର୍ଣ୍ଣରେଖା ନଦୀକୁ ଯାଇଥାଏ। ଫଳରେ ଉତ୍ତର ଭୋଗରାଇର ୧୮ଟି ପଞ୍ଚାୟତର ଚାଷବାସ, ଧନଜୀବନ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥାଏ। ସେହିପରି ପାଣ୍ଡୁଆ ନାଳ, ମହାଦିଆ ନାଳ, ପୁଟିଣା ନାଳ, କୁଶୁଡ଼ା ନାଳ, ଡେଉଁର ନାଳର ପାଣି ଚିତେଇ ଓ ଗୁଆଶୂଳ ସ୍ଲୁଇସ୍‌ ଗେଟ୍‌ ଦ୍ୱାରା ସୁବର୍ଣ୍ଣରେଖାକୁ ଯାଇଥାଏ। ୧୯୫୫ ମସିହାରେ ଗୁଆଶୂଳର ପାଣିକୁ ଉଲୁଡ଼ା ଦେଇ ସୁବର୍ଣ୍ଣରେଖାରେ ଛାଡ଼ିବା ପାଇଁ ‘ଖାଳଯୋଡ଼ି’ ଯୋଜନା କାର୍ଯ୍ୟକାରୀ ହୋଇଥିଲା। ହେଲେ ବୈଷୟିକ ତ୍ରୁଟି ଫଳରେ ଗୁଆଶୂଳ ପାଣି ସୁବର୍ଣ୍ଣରେଖା ନଦୀ ବାଟେ ନିଷ୍କାସନ ନହୋଇ ନାଳ ଭିତର ଦେଇ ଗାଁକୁ ମାଡ଼ିଆସୁଛି। ଫଳରେ ବର୍ଷାଦିନେ ଉତ୍ତର ଭୋଗରାଇର ପାଖାପାଖି ୧୮ ପଞ୍ଚାୟତବାସୀ ଜଳ ଯନ୍ତ୍ରଣା ଭୋଗୁଛନ୍ତି।

ସେହିପରି ଦକ୍ଷିଣ ଭୋଗରାଇରେ ମଧ୍ୟ ଜଳଯନ୍ତ୍ରଣା କିଛି କମ ନୁହେଁ। କୋଷ୍ଟ କେନାଲ୍‌ର ଦକ୍ଷିଣରେ ଥିବା ୩୨ଟି ପଞ୍ଚାୟତବାସୀ ସୁବର୍ଣ୍ଣରେଖାର ବନ୍ୟାପାଣି ଓ ପଶ୍ଚିମବଙ୍ଗର ବର୍ଷାପାଣି ସହିତ ସାମୁଦ୍ରିକ ଲୁଣି ଜୁଆର ମାଡ଼ରେ ହନ୍ତସନ୍ତ। ଦକ୍ଷିଣ ଭୋଗରାଇର ସୁବର୍ଣ୍ଣରେଖା ନଦୀ କୂଳବର୍ତ୍ତୀ ପାହି ଅଞ୍ଚଳରେ ମାଳ ମାଳ ଚିଙ୍ଗୁଡ଼ି ଘେରିର ଉଚ୍ଚବନ୍ଧ ଥିବାରୁ ଜଳ ନିଷ୍କାସନ ପ୍ରଭାବିତ ହେଉଛି। ଫଳରେ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିରେ ପାଣି ମାଡ଼ିଯିବାରୁ ଚାଷ ହୋଇ ପାରୁ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି। ୧୯୫୭ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତୀ ଡ. ହରେକୃଷ୍ଣ ମହତାବ ଓ ପଶ୍ଚିମବଙ୍ଗର ପ୍ରଶାସକ ବିପି ପାରେନଙ୍କ ମଧ୍ୟରେ ହୋଇଥିବା ବୁଝାମଣାକୁ କାର୍ଯ୍ୟକାରୀ କରାଯିବା ସହିତ କୋଷ୍ଟ କେନାଲ୍‌ ସହ ଭୋଗରାଇ ଅଞ୍ଚଳର ସମସ୍ତ ବଡ଼ ବଡ଼ ନାଳକୁ ଖୋଳି ସୁବର୍ଣ୍ଣରେଖା ସହିତ ସଂଯୋଗ କଲେ ବନ୍ୟାଜଳ ନିୟନ୍ତ୍ରଣ ସୁଗମ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀମାନେ ମତପ୍ରକାଶ କରିଛନ୍ତି। ଚାଷୀଙ୍କୁ ଗୁରୁତ୍ବ ଦେଉଥିବା ରାଜ୍ୟ ସରକାର ଚାଷୀଙ୍କ ଏହି ସମସ୍ୟା ପ୍ରତି ଧ୍ୟାନଦେଇ ଜଳ ନିଷ୍କାସନର ସମାଧାନ କଲେ ବହୁଚାଷୀ ଉପକୃତ ହୋଇପାରନ୍ତେ। ଭୋଗରାଇ ବ୍ଲକ୍‌ର ହଜାର ହଜାର ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରାଜ୍ୟ ସରକାର ଏହାର ସ୍ଥାୟୀ ସମାଧାନ କରିବା ପାଇଁ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦାବି ହୋଇଛି।