ପଶ୍ଚିମବଙ୍ଗ ଫେରନ୍ତା ବଢ଼ାଇଲେ ସମସ୍ୟା : ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ହେଲା, ୭୦୦ କୋଲକ‌ାତା ଫେରନ୍ତା ପଞ୍ଜିକରଣ କରିଥିବା ବେଳେ ଅନେକ ଲୁଚିଛନ୍ତି

ଯାଜପୁର: ଯାଜପୁର ଜିଲ୍ଲାରୁ ଗୁରୁବାର ପୁଣି ୪ ଜଣ କରୋନା ଆକ୍ର‌ାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟର କ‌ରୋନା ପଜିଟିଭଙ୍କ ସଂଖ୍ୟା ୮୭ରେ ପହଞ୍ଚିଥିବା ବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୨ ହୋଇଛି। ଆଜି ଚିହ୍ନଟ ହୋଇଥିବା ୪ ଜଣଙ୍କ ସଂପର୍କରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତଥ୍ୟ ଟୁଇଟ୍ କରିଛି। ସୂଚନା ଅନୁସାରେ, ଏମାନେ ସମସ୍ତେ ପୂର୍ବରୁ ପଜିଟିଭ୍ ଚିହ୍ନଟ ହୋଇଥିବା ପଶ୍ଚିମବଙ୍ଗ ଫେରନ୍ତାଙ୍କ ପରିବାରର ସଦସ୍ୟ।  ଏହି ୪ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ଜଣେ ପୁରୁଷ ରହିଛନ୍ତି। ମହିଳା ତ୍ରୟଙ୍କ ବୟସ ଯଥାକ୍ରମେ ୪୮, ୭୦ ଓ ୮୦ ବର୍ଷ ହୋଇଥିବା ସମୟରେ ଜଣେ ୨୧ ବର୍ଷୀୟ ଯୁବକ ଅଛନ୍ତି। ଯାଜପୁର ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ପୂର୍ବରୁ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବ୍ୟକ୍ତିଙ୍କ ପରିବାରର ଜଣେ ଲେଖାଏଁ ସଦସ୍ୟ ସଂକ୍ରମିତ ହୋଇଛନ୍ତି । ଦଶରଥପୁର ବ୍ଲକର ଜଣେ ଥିବାବେଳେ ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତର ୨ ଏବଂ ପଣସ ପଞ୍ଚାୟତରେ ଜଣେ ଆକ୍ରାନ୍ତ ଅଛନ୍ତି। ଏହି ଆକ୍ର‌ାନ୍ତମାନଙ୍କୁ ଗତ ୨୦ ତାରିଖରୁ କ୍ବାରେଣ୍ଟାଇନରେ ରଖାଯାଇଥିଲା ଓ ସେମାନଙ୍କ ନମୁନା ପରୀକ୍ଷା ପରେ ପଜିଟିଭ ବୋଲି ଜଣାପଡ଼ିଛି।

ପ୍ରକାଶ ଥାଉକି ଏବେ ସୁଦ୍ଧା ଯାଜପୁର ଜିଲ୍ଲାର ୧୨ ଜଣ ରୋଗୀଙ୍କ ମଧ୍ୟରୁ ବ୍ରହ୍ମବରଦାର ନିଜାମୁଦ୍ଦିନ ଫେରନ୍ତା କରୋନା ରୋଗୀ ସୁସ୍ଥ ହୋଇ ଫେରିଛନ୍ତି। ଅବଶିଷ୍ଟ ୧୧ଜଣ ମଧ୍ୟରୁ ଦଶରଥପୁର ବ୍ଲକ୍ ୩ଜଣ, କୋରେଇର ଜଣେ ଓ ଯାଜପୁର ବ୍ଲକର ୭ଜଣ ରହିଛନ୍ତି।

ଯାଜପୁରର ମୋଟ ୧୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦିଲ୍ଲୀ ନିଜାମୁଦ୍ଦିନ୍ ଫେରନ୍ତା ହୋଇଥିବା ବେଳେ ଆଉ ୭ଜଣ କୋଲକାତା ଫେରନ୍ତା ଓ ଅନ୍ୟମାନେ କୋଲକାତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ଯାଜପୁର ଜିଲ୍ଲାକୁ ୭ଶହ ଲୋକ କୋଲକାତାରୁ ଫେରି ପଞ୍ଜୀକରଣ କରିଥିବା ବେଳେ ଅନେକ ଲୁଚି ରହିଥିବାରୁ ଆଗକୁ ଜଟିଳ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି। ପଶ୍ଚିମବଙ୍ଗକୁ ଲାଗିଥିବା ବାଲେଶ୍ବର ସହିତ ପଡ଼ୋଶୀ ଜିଲ୍ଲା ଭଦ୍ରକ ଓ ଯାଜପୁରକୁ ହଜାର ହଜାର ଲୋକ କୋଲକାତାରୁ ଫେରିଛନ୍ତି।

ଦଶରଥପୁର ବ୍ଲକ୍ ଅଞ୍ଚଳରେ ଚିହ୍ନଟ ହୋଇଥିବା ଜିଲ୍ଲାର ଅଷ୍ଟମ କରୋନା ରୋଗୀ ତଥା ରାଜ୍ୟର ୮୩ତମ ଆକ୍ରାନ୍ତ ଗତ ମାସ ୨୯ ତାରିଖରେ କୋଲକାତାର ଗଙ୍ଗାଘାଟରୁ ଫେରି ୩୦ତାରିଖରେ ଷଠିପୁରରେ ଓହ୍ଲାଇ ମେଡ଼ିକାଲରେ ପ୍ରାଥମିକ ପରୀକ୍ଷା କରିଥିଲେ। ତାଙ୍କ ସହିତ ୧୧ଜଣ ଆସିଥିଲେ। ତାଙ୍କୁ ଘରେ ସଙ୍ଗରୋଧ ହୋଇ ରହିବା ପାଇଁ ପରାମର୍ଶ ଦିଆଯାଇଥିଲା। ସେତେ ବେଳେ ତାଙ୍କର ରିପୋର୍ଟ ନେଗେଟିଭ୍ ବାହାରିଥିଲା। ଏବେ ପୁଣି ନମୁନା ପରୀକ୍ଷାରୁ ପଜିଟିଭ୍ ବାହାରିବା ଚିନ୍ତାର କରଣ ହୋଇଛି। ଏହି ୩୮ବର୍ଷ ବୟସ୍କ ଯୁବକଙ୍କ ଘର ଦଶରଥପୁର ବ୍ଲକରେ । ଯୁବକ ଜଣକ ଘରେ ରହିବା ଭିତରେ ପ୍ରାୟ ୫୦ଜଣଙ୍କ ସହ ମିଳାମିଶା କରିଛନ୍ତି। ତାଙ୍କ ପରିବାରର ୩୧ଜଣଙ୍କ ସହ ମିଶିବା ସହିତ ସେଲୁନ୍, ପାନ ଦୋକାନ ଓ ତାସଖେଳ ସମୟରେ ଅନେକ ଲୋକଙ୍କ ସହିତ ମିଳାମିଶା କରିଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର