୨୬ରୁ ପୁଣି ପଶ୍ଚିମା ଝଡ଼; ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଚିନ୍ତାରେ ଚାଷୀ, ଫସଲ ଅମଳ କରିନେବାକୁ ପରାମର୍ଶ

ଭୁବନେଶ୍ବର : ୨୬ ତାରିଖରୁ ରାଜ୍ୟରେ ପୁଣି ପଶ୍ଚିମା ଝଡ଼ର ପ୍ରଭାବ ଦେଖିବାକୁ ମିଳିବ। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସାଙ୍ଗକୁ ଘଣ୍ଟା ପ୍ରତି ୩୦ରୁ ୪୦କିମି ବେଗ‌ରେ ପବନ ବହିବ। କିଛି କିଛି ଅଞ୍ଚଳରେ କୁଆପଥର ବର୍ଷା ବି ହୋଇପା‌ରେ। ସେହିପରି ୨୭ ତାରିଖରୁ ବର୍ଷାର ବିସ୍ତୃତି ବଢ଼ିବ। ୧୧ଟି ଉପକୂଳ ଜିଲ୍ଲା ସମେତ ସଂଲଗ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ବି ଅଧିକ ହେବ। ଏଭଳି ପାଗ ଚାଷ କାର୍ଯ୍ୟକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି ଆଶଙ୍କା ଦେଖାଦେଇଛି। ତେଣୁ ଅମଳକ୍ଷମ ପନିପରିବା, ମୁଗ ଓ ବିରି ଆଦି ଶସ୍ୟକୁ ଶୀଘ୍ର ଅମଳ କରିନେବାକୁ ପାଣିପାଗ ବିଜ୍ଞ‌ାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଗତ ୧୫ ତାରିଖଠାରୁ ଓଡ଼ିଶାରେ ଅନୁଭୂତ ହୋଇଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏକର ଏକର ଫସଲ ନଷ୍ଟ ହୋଇଯାଇଥିଲା। କେଉଁଠି ମୁଗ, ବିରି ଫସଲ ଉଜୁଡ଼ି ଯାଇଥିଲା ତ କେଉଁଠି ଫୁଲକୋବି ଓ ତରଭୁଜ ନଷ୍ଟ ହେବାର ଚିତ୍ର ସାମ୍ନାକୁ ଆସିଥିଲା। ସେ ଦୁଃଖକଷ୍ଟ ଚାଷୀ ମନରେ ତାଜା ଥିବା ବେଳେ ୨୬ରୁ ଆଉ ଏକ ପଶ୍ଚିମା ଝଡ଼ ଆଶଙ୍କା ପୂରା ଚାଷୀକୁଳକୁ ଚିନ୍ତାରେ ପକାଇ ଦେଇଛି।

Skymet Weather

ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି ଯେ ସାଧାରଣତଃ ମାର୍ଚ୍ଚରେ ଯେଉଁ ବର୍ଷା ହୁଏ, ସେଥିରେ କୁଆପଥର ପଡ଼ିବାର ଆଶଙ୍କା ଅଧିକ ଥାଏ। ୨୬ ତାରିଖରୁ ପୁଣି ଏକ ପଶ୍ଚିମା ଝଡ଼ର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ। ତେବେ ଏହି ବର୍ଷାର ପରିମାଣ କେତେ ହେବ, କୁଆପଥର ବର୍ଷା ହେବ କି ନାହିଁ; ଆଉ ୨ ଦିନ ପରେ ସେ ଚିତ୍ର ସ୍ପଷ୍ଟ ହୋଇଯିବ। ତେଣୁ ଚାଷୀମାନେ ଅମଳକ୍ଷମ ପରିବା ବା ଅନ୍ୟ ଶସ୍ୟକୁ ଅମଳ କରିନେବା ଭଲ ବୋଲି ଶ୍ରୀ ଦାସ କହିଛନ୍ତି।

ଗୁରୁବାର ଦିନ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିଥିବା ବେଳେ ରାଜଧାନୀ ସମେତ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ଗଜପତି, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ରାଜ୍ୟର ତାପମାତ୍ରା ଆସନ୍ତା ୨ ଦିନରେ ୨ରୁ ୪ଡିଗ୍ରି ଯାଏ ବଢ଼ିବ। ପରେ ତାପମାତ୍ରାରେ ଆଉ ବିଶେଷ ପରିବର୍ତ୍ତନ ହେବନାହିଁ। ଆଜି(ଶୁକ୍ରବାର) ରାଜଧାନୀ ଓ ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୬ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୨ ଡିଗ୍ରି ମଧ୍ୟରେ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର