ହାଇକୋର୍ଟ ବେଞ୍ଚ୍‌ ଦାବି : ପଶ୍ଚିମ ଓଡ଼ିଶା ବନ୍ଦ, ସ୍ବତଃସ୍ଫୂର୍ତ୍ତ ସମର୍ଥନ, ଜୀବନଯାତ୍ରା ବ୍ୟାହତ, ୨ ଟ୍ରେନ୍‌ ବାତିଲ, ଗଡ଼ିଲାନି ଚକ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତଥ‌ା ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ ଓ ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ଆଭିମୁଖ୍ୟର ପ୍ରତିବାଦ‌ରେ ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ପଶ୍ଚିମ ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ରହିବା ସହ ସଫଳ ହୋଇଛି। ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ଦେବଗଡ଼, ବୌଦ୍ଧ, ନୂଆପଡ଼ା ଜିଲ୍ଲାର ସମଗ୍ର ଅଞ୍ଚଳରେ ବନ୍ଦ ଯୋଗୁ ସମସ୍ତ ସରକାରୀ, ବେସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ବନ୍ଦ ରହିଥିଲା। ଯାନବାହାନ ଓ ରେଳ ଚଳାଚଳ ବନ୍ଦ ରହିଥିଲା। ସେହିପରି କଳାହାଣ୍ଡି ଜିଲ୍ଲାରେ କୋର୍ଟ କଚେରି ବନ୍ଦ ରହିଥିଲାବେଳେ ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସହର ବ୍ୟତୀତ ଅନ୍ୟ ଅଞ୍ଚଳରେ ବନ୍ଦ ପ୍ରଭାବ ରହିଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ବି ବନ୍ଦ ସଫଳ ହୋଇଛି।

ସମ୍ବଲପୁର ଜିଲ୍ଲାର ସମସ୍ତ ୯ଟି ଯାକ ବ୍ଲକ୍‌ ସମେତ ବୁର୍ଲା ଓ ହୀରାକୁଦ ଏନଏସି ଅଂଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳ ୬ଟାରୁ ସମ୍ବଲପୁର ଜିଲ୍ଲା ଓକିଲ ସଂଘର ସମସ୍ତ କର୍ମକର୍ତ୍ତା, ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡ଼ି, କଂଗ୍ରେସର ନେତୃବୃନ୍ଦ ବାହାରି ପିକେଟିଂରେ ସାମିଲରେ ହୋଇଥିଲେ। ବିଭିନ୍ନ ସାମାଜିକ ସଂଗଠନ ଓ ଅନୁଷ୍ଠାନ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଥିଲେ। ଆନ୍ଦୋଳନକାରୀମାନେ ରେଳରୋକ ଓ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥଗୁଡ଼ିକରେ ଯାତାୟତ କରୁଥିବା ଭାରୀଯାନ ଚଳାଚଳକୁ ରୋକିଥିଲେ। କୋର୍ଟକୁ ଆସୁଥିବା ବିଚାରପତିଙ୍କୁ ମଧ୍ୟ କଚେରିଛକରୁ ଫେରାଇ ଦିଆଯାଇଥିଲା। ବନ୍ଦ ଯୋଗୁଁ ଜନଜୀବନ ଠପ୍‌ ହୋଇଯାଇଥିଲା।

ସମ୍ବଲପୁର ରେଳ ଷ୍ଟେସନରେ ଆନ୍ଦୋଳନକାରୀ ସମ୍ବଲପୁର-ପୁରୀ ଟ୍ରେନ୍‌ ସମ୍ମୁଖରେ ଛିଡ଼ା ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ପରେ ଟ୍ରେନ୍‌କୁ ବାତିଲ୍‌ କରାଯାଇଥିଲା। ବହୁ ସମୟ ଧରି ୭ଟି ଟ୍ରେନ୍‌ ଓ ମାଲଗାଡ଼ି ଅଟକି ରହିଥିଲା। ସମ୍ବଲପୁର ଦେଇ ଯିବାକୁ ଥିବା ଅନ୍ୟ ୩ଟି ଟ୍ରେନ୍‌କୁ ଅନ୍ୟ ଡିଭିଜନଗୁଡ଼ିକରେ ଅଟକାଯାଇଥିଲା। ଫଳରେ ହଜାର ହଜାର ସଂଖ୍ୟକ ଯାତ୍ରୀ ନାହିଁନଥିବା ହଇରାଣ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଦିନ ଗୋଟାଏ ପରେ ରେଳ ଚଳାଚଳ ସ୍ବଭାବିକ ହୋଇଥିଲା।

ସେହିପରି ବଲାଙ୍ଗୀରରେ ବନ୍ଦକୁ ସଫଳ କରିବା ପାଇଁ ବଣିକ ସଂଘ, ଘରୋଇ ବସ୍‌ ମାଲିକ ସଂଘ ବନ୍ଦକୁ ସମର୍ଥନ ଜଣାଇଥିବା ବେଳେ ଦୋକାନବଜାର ଓ ବସ ଚଳାଚଳ ସବୁ ବନ୍ଦ ରହିଥିଲା। ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଂଘ ଓ ଜାତି ସଂଗଠନ ସମର୍ଥନ କରି ବନ୍ଦରେ ସାମିଲ ହୋଇଥିଲେ । ସକାଳୁ ବଲାଙ୍ଗୀର ୟୁଥ ଏକ୍ସନ କମିଟିର ଶତାଧିକ ସଭ୍ୟ ପିକେଟିଂ ବନ୍ଦ କରିଥିଲେ।

ବରଗଡ଼ ଜିଲ୍ଲାରେ ମଧ୍ୟ ବନ୍ଦକୁ ସଂପୂର୍ଣ୍ଣ ସମର୍ଥନ ମିଳିଛି। ଗାଁଠାରୁ ଆରମ୍ଭ କରି ସହର ଯାଏଁ ସବୁ ବନ୍ଦ ରହିଥିଲା। ସବୁ ବ୍ଲକ୍‌ରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି। ରାଜପଥରେ ହଜାରହଜାର ଗାଡ଼ି ଅଟକି ରହିଥିଲା। କେବଳ ଆମ୍ବୁଲାନ୍ସ, ବରଯାତ୍ରୀ ଗାଡ଼ିକୁ ଛାଡ଼ି ଦିଆଯାଇଥିଲା।

ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଅଭୂତପୂର୍ବ ବନ୍ଦ ପାଳନ ହୋଇଥିଲା। ଓକିଲ ସଂଘର ଆହ୍ବାନକ୍ରମେ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ରାସ୍ତା ଓ କାର୍ଯ୍ୟାଳୟ ସମ୍ମୁଖରେ ମିଳିତ ପିକେଟିଂ କରାଯାଇଥିଲା। ବନ୍ଦ ଯୋଗୁଁ ହାୱଡ଼ା- ଜଗଦଲପୁର ସମଲେଶ୍ବରୀ ଏକ୍ସ୍‌ପ୍ରେସ୍‌ ଝାରସୁଗୁଡ଼ା ୩ ଘଣ୍ଟା ଧରି ଅଟକି ରହିଥିଲା। ଓକିଲଙ୍କ ଅନୁରୋଧ ଯୋଗୁଁ ବିଚାରପତି ମାନେ କୋର୍ଟକୁ ଯାଇ ପାରିନଥିଲେ।

ଦେବଗଡ଼ରେ ଜିଲ୍ଲା ଓକିଲ ସଂଘ ସମସ୍ତ ସଦସ୍ୟ ଟ୍ରାଫିକ ଛକ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ଓକିଲ ସଂଘର ସଦସ୍ୟ ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ପିକେଟିଂ କରିଥିଲେ। ସମସ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କୁ କୋର୍ଟ ମଧ୍ୟକୁ ଯିବାକୁ ବାରଣ କରିବା ସହ କୋର୍ଟ କାର୍ଯ୍ୟକୁ ଅଚଳ କରି ଦେଇଥିଲେ। ବୌଦ୍ଧ ଜିଲ୍ଲାରେ ଜନସାଧାରଣଙ୍କ ଅଭୂତପୂର୍ବ ସମର୍ଥନ ଯୋଗୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣର ସଫଳ ହୋଇଥିଲା। ଓକିଲ ସଂଘ ଓ ଅନ୍ୟାନ୍ୟ ସଂଘର କର୍ମକର୍ତ୍ତା ମିଳିତ ଭାବ ପିକେଟିଂ କରିଥିଲେ।

ନୂଆପଡ଼ାରେ ବନ୍ଦ ଶାନ୍ତିପୂର୍ଣ୍ଣର ସହ ସଫଳ ହୋଇଛି। ଜିଲ୍ଲା ଓକିଲ ଓ ସିଭିଲ ବାର୍ ସଂଘ ନେତୃତ୍ବରେ ସକାଳ ୬ ରୁ ନୂଆପଡ଼ା ଏକତା ଛକ ଠାରେ ଓକିଲ ମାନେ ଏକତ୍ର ହୋଇ ୩୫୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ। ଯାହାଫଳରେ ଉଭୟ ପାର୍ଶ୍ବରେ ଶହଶହ ଗାଡ଼ିମଟର ଅଟକି ରହିଥିଲା। ଓକିଲ ମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ।

ଭବାନୀପାଟଣାରେ ଓକିଲ ସଂଘର ନିଷ୍ପତ୍ତିକ୍ରମେ ଜିଲ୍ଲା ମୁଖ୍ୟାଳୟ ସମେତ ଅନ୍ୟ ଉପଖଣ୍ଡ, ତହସିଲମାନଙ୍କରେ କେବଳ କୋର୍ଟ ବର୍ଜନ କରାଯାଇଥିଲା। ତେବେ ଦୋକାନ ବଜାର, ସରାକାରୀ ବେସରକାରୀ ପ୍ରତିଷ୍ଠାନ, ସ୍କୁଲ କଲେଜ, ଦୋକାନ ବଜାର ଖୋଲା ରହିଥିଲା। ସେହିପରି ସୋନପୁର ସଦର ମୁଖ୍ୟାଳୟରେ ବନ୍ଦ ପ୍ରଭାବ ଶୂନ୍ୟ ରହିଥିଲା। ଜିଲ୍ଲାର ଅନ୍ୟ ଅଞ୍ଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର