ସମ୍ବଲପୁର : ସମ୍ବଲପୁର ହିଂସାକାଣ୍ଡ ପ୍ରତିବାଦରେ ବିଶ୍ବ ହିନ୍ଦୁ ପରିଷଦ ଆହ୍ବାନ କ୍ରମେ ବୁଧବାର ଦିନ ପଶ୍ଚିମ ଓଡ଼ିଶାରେ ବନ୍ଦ ପାଳନ କରାଯାଇଛି। ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଜିଲ୍ଲାରେ ବନ୍ଦ ଶାନ୍ତିପୂର୍ଣ୍ଣ ରହିଛି। କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହି ବନ୍ଦକୁ ବିଜେପି ଓ ବଜରଂଗ ଦଳ ସମର୍ଥନ ଜଣାଇଥିଲେ। ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ବୌଦ୍ଧ, ସୁବର୍ଣ୍ଣପୁର, ଦେବଗଡ଼ ଜିଲ୍ଲା ସଂପୂର୍ଣ୍ଣ ବନ୍ଦ ରହିଥିଲା। ଉପନିର୍ବାଚନ ଥିବା ସତ୍ତ୍ବେ ଝାରସୁଗୁଡ଼ା ସହର ଓ ଜିଲ୍ଲା ବି ସଂପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ବରଗଡ଼ ସହର ସମେତ ଜିଲ୍ଲାର ସମସ୍ତ ସ୍ଥାନରେ ସବୁ କିଛି ବନ୍ଦ ଥିଲେ ବି କେବଳ ସୋହେଲାରେ ଜୀବନଯାତ୍ରା ସ୍ବାଭାବିକ ଥିଲା। ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ସବୁଆଡ଼େ ବନ୍ଦର ପୂର୍ଣ୍ଣ ପ୍ରଭାବ ଥିଲେ ବି ରାଉରକେଲାରେ କିନ୍ତୁ ସବୁ କିଛି ଖୋଲା ଥିଲା।

Advertisment

ବୁଧବାର ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବଲପୁରରେ କର୍ଫ୍ୟୁ ଦିନସାରା କୋହଳ କରାଯାଇଥିଲା। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ କର୍ଫ୍ୟୁରେ ଢିଲା ଦିଆ ଯାଇଥିଲା। ତେବେ ବନ୍ଦ ପାଳନ ଯୋଗୁଁ ସଂଧ୍ୟା ୬ଟା ଯାଏଁ କୌଣସି ଦୋକାନ ଖୋଲି ନଥିଲା। ସ୍କୁଲ୍, କଲେଜ୍, ସରକାରୀ ଓ ବେସରକାରୀ ଅଫିସ୍, ବ୍ୟାଙ୍କ, ଡାକଘର, ବୀମା କାର୍ଯ୍ୟାଳୟ ଆଦି ବନ୍ଦ ରହିଥିଲା। ବସ୍ ସେବା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଏହାଛଡ଼ା ସମ୍ବଲପୁର ସହରରେ ସମସ୍ତ ସାଧାରଣ ଯାତାୟତ ବ୍ୟବସ୍ଥା ଅଚଳ ହୋଇଯାଇଥିଲା। ରାସ୍ତାରେ ଅଟୋରିକ୍ସା, ଟ୍ୟାକ୍ସି ବା ଅନ୍ୟ କୌଣସି ଯାନବାହନ ଦେଖିବାକୁ ମିଳି ନଥିଲା। ବନ୍ଦ କାରଣରୁ ଲୋକେ ବି ପ୍ରାୟତଃ ଘରୁ ବାହାରି ନଥିଲେ। ଦିନସାରା ରାସ୍ତାଘାଟ ପ୍ରାୟତଃ ଶୂନଶାନ୍ ରହିଥିଲା। କାଁଭାଁ ଗାଡ଼ିମୋଟର, ଦୁଇଚକିଆ ଯାନ ରାସ୍ତାରେ ଚାଲୁଥିଲା। ହେଲେ ରେଳ ଚଳାଚଳ ସ୍ବାଭାବିକ ରହିଥିଲା। ସକାଳବେଳା କିଛିକିଛି ଲୋକ ପଦାକୁ ବାହାରିଥିଲେ ବି ଖରା ବଢ଼ିବା ସହ ରାସ୍ତାଘାଟ ଶୂନଶାନ୍ ହୋଇ ଯାଇଥିଲା।

ପୁଲିସ୍ ପକ୍ଷରୁ କିନ୍ତୁ ସହର ସାରା କଡ଼ା ପହରା ଦିଆଯାଇଥିଲା। କାଳେ କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବ ସେଥିପାଇଁ ପୁଲିସ୍ ଗାଡ଼ି ଗୁଡ଼ିକ ସାଇରନ୍ ବଜାଇ ଘନଘନ ପଇଁତରା ମାରୁଥିଲେ। ସଂଧ୍ୟା ୬ଟାରେ ବନ୍ଦ ଶେଷ ହୋଇଥିବା ବେଳେ ପୁଣି କର୍ଫ୍ୟୁ ଲାଗୁ ହୋଇ ଯାଇଥିଲା।