ପଶ୍ଚିମ ଓଡ଼ିଶାରେ ନିଆଁବର୍ଷା ଜାରି: ୪୧ ଡିଗ୍ରି ଉପରେ ୬ ଜିଲ୍ଲା, ୫ ଦିନ ଯାଏ ନିସ୍ତାର ନାହିଁ

ଘର, କାନ୍ଥ, ବାଡ଼ ସବୁ ତାତି ଯାଉଛି

ଭୁବନେଶ୍ବର: ଦିନ ତ ଦିନ, ରାତିରେ ବି ନିସ୍ତାର ମିଳୁନି। ସକାଳ ୯ଟାରୁ ସୂର୍ଯ୍ୟଙ୍କ ତାତି ଏତେ ବଢ଼ିଯାଉଛି ଯେ ଘରୁ ବାହାରିବା ମୁସ୍କିଲ୍‌ ହୋଇଯାଉଛି। ଦିନ ୧୧ଟାରୁ ଆରମ୍ଭ ହୋଇଯାଉଛି ଯାତନା। ସୂର୍ଯ୍ୟଙ୍କ ପ୍ରଚଣ୍ଡ ପ୍ରକୋପ ସାଙ୍ଗକୁ ଝାଞ୍ଜିମାଡ଼ ଅସ୍ତବ୍ୟସ୍ତ କରି ପକାଉଛି। ଘର, ଦ୍ବାର, କାନ୍ଥ, ବାଡ଼ ସବୁ ତାତି ଯାଉଛି। ନା ବାହାରକୁ ଯାଇ ହେଉଛି ନା ଘରେ ଶାନ୍ତିରେ ଟିକିଏ ଶୋଇ ହେଉଛି; ଫ୍ୟାନ୍‌ ପବନରୁ ବି ତତଲା ହାୱା ବାହାରୁଛି। ଆଉ ଦୁର୍ଭାଗ୍ୟକୁ ଯଦି ଏହି ସମୟରେ ବିଦ୍ୟୁତ୍‌ ବିଚ୍ଛିନ୍ନ ହୋଇଗଲା, ତେବେ କଥା ସରିଲା। ଯାତନା ଖାଲି ସେତିକିରେ ସରୁନି, ସୂର୍ଯ୍ୟ ଅସ୍ତ ହେବା ପରେ ମଧ୍ୟ ସଂଧ୍ୟା ସାଢ଼େ ୭ଟା/୮ଟା ପର୍ଯ୍ୟନ୍ତ ତତଲା ପବନ ପ୍ରବାହ ଜାରି ରହୁଛି। ଗତ କିଛି ଦିନ ହେଲା ପଶ୍ଚିମ ଓଡ଼ିଶାବାସୀ ଏମିତି କଲବଲ ହେଉଛନ୍ତି।

ଆଜି ବି ଏହି ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇ ନଥିଲା। ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାର ତାପମାତ୍ରା ୪୧ ଡିଗ୍ରି ଉପରେ ରହିଥିଲା। ୪୧.୬ ଡିଗ୍ରି ତାପମାତ୍ରା ସହ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସ୍ଥାନର ରେକର୍ଡ ଅକ୍ଷୁଣ୍ଣ ରଖିଥିବା ବେଳେ ଝାରସୁଗୁଡ଼ା, ବଲାଙ୍ଗୀର, ବୌଦ୍ଧରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୧.୫ ଡିଗ୍ରି ରେକର୍ଡ ହୋଇଥିଲା। ସେହିପରି ସମ୍ବଲପୁରରେ ୪୧.୧ ଡିଗ୍ରି, ସୋନ୍‌ପୁରରେ ୪୧ ଡିଗ୍ରି, ଭବାନୀପାଟଣାରେ ୪୦.୨ ଓ ସୁନ୍ଦରଗଡ଼ରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ପାଗ ଏହିଭଳି ରହିବ। ଏଥିସହ ଆଭ୍ୟନ୍ତର ଓଡ଼ିଶାର ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାଖାପାଖି ରହିବ। ଫଳରେ ଅଧାରୁ ଅଧିକ ଓଡ଼ିଶା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ପାଗ କୋହଲା ଓ ମେଘୁଆ ରହିଛି। ଆସନ୍ତା ୨ ଦିନ ଉତ୍ତର ଉପକୂଳ ଓଡ଼ିଶା ସମେତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଆଦି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ଫଳରେ ଏହି ସବୁ ଅଞ୍ଚଳ ଅପେକ୍ଷାକୃତ ଥଣ୍ଡା ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମା‌ତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ।

ସମ୍ବନ୍ଧିତ ଖବର