ସମ୍ବଲପୁର : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ଗୁରୁବାର ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ। ସେ ପ୍ରଥମେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଯିବେ। ସେଠାରୁ ଯୁଯୁମୁରା ବ୍ଲକ୍ ନୂଆବରଂଗାମାଲସ୍ଥିତ ପରିବେଶ ପର୍ଯ୍ୟଟନସ୍ଥଳ ବୁଲିବେ।
ଏହାପରେ ଦେବଝରନ ଜଳପ୍ରପାତକୁ ଯାଇ ସେଠାରେ ବନବିଭାଗ ପକ୍ଷରୁ ବିକଶିତ କରା ଯାଇଥିବା ପରିବେଶ ପର୍ଯ୍ୟଟନ ପ୍ରକଳ୍ପର ସମୀକ୍ଷା କରିବେ। ସେଠାରୁ ରେଢ଼ାଖୋଲ ଯାଇ ଟାଉନ୍ ହଲ୍, ବସ୍ ଟର୍ମିନାଲ୍ ଓ ବନବିଭାଗ ଇକୋପାର୍କର ଅନୁଧ୍ୟାନ କରିବେ। ଶେଷରେ ସମ୍ବଲପୁର ଫେରି ଗଂଗାଧର ମେହେର ବିଶ୍ବବିଦ୍ୟାଳୟରେ ବିକାଶ ପରିଷଦ ଅନୁଦାନରେ ନିର୍ମିତ ହୋଇଥିବା ପ୍ରେକ୍ଷାଳୟ ପରିଦର୍ଶନ କରିବା ସହ କାମର ଯାଞ୍ଚ କରିବେ।