ମୁଖ୍ୟାଳୟ ପ୍ରସଙ୍ଗ ଉଠିଲା, ପାଣ୍ଠି ବଢ଼ାଇବାକୁ ଦାବି
ପ୍ରକଳ୍ପ କାର୍ଯ୍ୟାନ୍ବୟନ ନେଇ ଆପତ୍ତି ଉଠାଇଲେ
ମନ୍ତ୍ରୀ କହିଲେ, ପରିଷଦ ମୁଖ୍ୟାଳୟ ସକ୍ରିୟ ବିଚାରାଧୀନ
ଭୁବନେଶ୍ବର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପ୍ରସଙ୍ଗକୁ ନେଇ ଆଜି ବିଧାନସଭାରେ ପୁଣି ଥରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୁଖ୍ୟ ବିରୋଧୀ ଦଳ ବିଜେପି ଅବର୍ତମାନରେ ଆଲୋଚନା ହୋଇଥିବା ଦ୍ବିତୀୟ ମୁଲତବୀ ପ୍ରସ୍ତାବରେ କଂଗ୍ରେସ ବିଧାୟକମାନେ ବିକାଶ ପରିଷଦ ମୁଖ୍ୟାଳୟ ଠାରୁ ଆରମ୍ଭ କରି ପାଣ୍ଠି ବୃଦ୍ଧି ଏବଂ ଚାଲିଥିବା ଅରାଜକତା ସଂପର୍କରେ ଅଭିଯୋଗର ପାହାଡ ଠିଆ କରିଥିଲେ। କୌତୂହଳର କଥା ହେଲା, ବିଜେଡି ବିଧାୟକ ଓ ଖୋଦ୍ ଏହି ମୁଲତବୀ ଉତ୍ତର ରଖୁଥିବା ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା ମଧ୍ୟ ବିକାଶ ପରିଷଦ ପାଣ୍ଠି ବୃଦ୍ଧି ଦାବି ଯଥାର୍ଥ ବୋଲି ସ୍ବୀକାର କରିଥିଲେ।
'ବିନାଶ ପଥରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ; ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପ୍ରଦର୍ଶନ' ଶୀର୍ଷକରେ ମୁଲତବୀ ପ୍ରସ୍ତାବ ଦେଇଥିଲା କଂଗ୍ରେସ। ଦଳର ନେତା ନରସିଂହ ମିଶ୍ର ଆଲୋଚନା ଆରମ୍ଭ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଗଠନ ହୋଇଥିବା ବିକାଶ ପରିଷଦ ମୁଖ୍ୟ ଲକ୍ଷ୍ୟଠାରୁ ଦୂରେଇ ଯାଇଛି ବୋଲି ସଙ୍ଗିନ ଅଭିଯୋଗ ଆଣିଥିଲେ। ଶ୍ରୀ ମିଶ୍ର କହିଥିଲେ ଯେ ରାଜ୍ୟର ଏକ ତୃତୀୟାଂଶ ଲୋକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନରେ ବାସ କରନ୍ତି। ରାଜ୍ୟ ବଜେଟ୍ ଆକାର ୧ଲକ୍ଷ ୪୭ ହଜାର କୋଟି ଛୁଇଁସାରିଲାଣି, ଅଥଚ ଏହି ଅଞ୍ଚଳର ବୈଷମ୍ୟ ଦୂର ପାଇଁ ଅନୁଦାନ ୧୦୦ କୋଟିରୁ ବଢୁନାହିଁ। ଏହା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧୀନସ୍ଥ ଅଞ୍ଚଳରୁ ନିର୍ବାଚିତ ହୋଇଥିବା ମନ୍ତ୍ରୀ, ବିଧାୟକଙ୍କ ପାଇଁ ଲଜ୍ଜା ଲାଗିବା ଭଳି କଥା। କାରଣ ସରକାରଙ୍କ ଉପରେ ସେମାନେ ଏହି ପାଣ୍ଠି ବୃଦ୍ଧି ସଂକ୍ରାନ୍ତ ଚାପ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି।
ଶ୍ରୀ ମିଶ୍ର କହିଥିଲେ ଯେ ଜିଲ୍ଲାର ପ୍ରତିନିଧି ଏହି ପରିଷଦରେ ରହିବା କଥା। ବିଧାୟକମାନେ ପର୍ଯ୍ୟାୟ ଭିତ୍ତିରେ ଏଥିରେ ସଭ୍ୟ ରହିବା କଥା। ଏବେ କେଉଁ ସାଂସଦ ଓ ବିଧାୟକ ଏଥିରେ ସଭ୍ୟ ଅଛନ୍ତି? ଏହାର ଉତ୍ତର କିଏ ଦେବ? ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କା'ରେ ଦାୟିତ୍ବ ତୁଲାଉଛନ୍ତି। କିଏ ବଜେଟ୍ ଅନୁମୋଦନ କରିବ ଓ ପ୍ରକଳ୍ପ କାର୍ଯ୍ୟାନ୍ବୟନ କରିବ? ପ୍ରକଳ୍ପ କାର୍ଯ୍ୟକାରୀ କରିବା ଲାଗି ନିଜସ୍ବ ସଂସ୍ଥା ବି ନାହିଁ। ଜିଲ୍ଲା ପ୍ରଶାସନ ମାର୍ଫତରେ ସେହି ଟଙ୍କା ଖର୍ଚ୍ଚ ହେଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଆଇନ ଅନୁସାରେ, ଏହାର ମୁଖ୍ୟାଳୟ ସେ ଅଞ୍ଚଳରେ ହେବା ବାଧ୍ୟତାମୂଳକ। ୨୦୦୦ ମସିହାରୁ ଆଇନ ହେଲାଣି। ସରକାର ବୋକା ବନାଇବା ପାଇଁ ଏହି ଆଇନର ଭୁଲ ତର୍ଜମା କରୁଛନ୍ତି। ଏଥିରେ କମିଟି ସଭ୍ୟଙ୍କ ପରାମର୍ଶ କଥା କୁହାଯାଇଛି, ଯାହା ସରିଛି। ପୁଣି ସରକାର କାହିଁକି ଝୁଲାଇ ରଖିଛନ୍ତି? ସହମତି ହେଉନାହିଁ ବୋଲି ଆଳ ଦେଖାଯାଉଛି। ରାଜଧାନୀ ପ୍ରତିଷ୍ଠା ବେଳେ ବି ଅନୁଗୁଳ, କଟକ, ଭୁବନେଶ୍ବର, ରଙ୍ଗେଇଲୁଣ୍ଡା କଥା ଉଠିଥିଲା। କେହି ରାଜି ହେଲେନି ବୋଲି କଣ ରାଜଧାନୀ ଦିଲ୍ଲୀରେ ରହିଛି?
ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅର୍ଥ ଖର୍ଚ୍ଚ ଉପରେ ଆପତ୍ତି ଉଠାଇ ଶ୍ରୀ ମିଶ୍ର କହିଥିଲେ ଯେ ବିନିକା ଓ ଡୁଙ୍ଗିରିପାଲି ଜଳସେଚନ କ୍ଷେତ୍ରରେ ଆଗରେ। ବଲାଙ୍ଗୀରରେ ଏହା ୩%, ଯଦିଓ ସରକାର ଏହାର ପରିମାଣ ଅଧିକ ବୋଲି ଦାବି କରୁଛନ୍ତି। ସିଏଜି କିନ୍ତୁ ଆଇନ ଅନୁସାରେ ଏହି ଅର୍ଥ ଖର୍ଚ୍ଚ ହେଉନଥିବା କହିଛନ୍ତି। ପ୍ରତି ବିଧାୟକଙ୍କୁ ୧କୋଟି ଟଙ୍କାର ପ୍ରସ୍ତାବ ମଗାଯାଉଛି। ଏହା ଅଧୀନରେ ୩୭ କି ୩୮ ବିଧାୟକ ଅଛନ୍ତି। ବାକି ଟଙ୍କା କିଏ ଖର୍ଚ୍ଚ କରୁଛି? ସେହିଭଳି ପ୍ରକଳ୍ପ ବ୍ୟବାହାରକାରିତା ରିପୋର୍ଟ ମଗାଯିବା ନେଇ ମଧ୍ୟ ସେ ଅସନ୍ତୋଷ ପ୍ରକାଶ କରିଥିଲେ। ଶ୍ରୀ ମିଶ୍ର ଆହୁରି କହିଥିଲେ ଯେ ୨୦୧୮-୧୯ ଓ ୨୦୧୯-୨୦ ଅର୍ଥ ଖର୍ଚ୍ଚ ଏଯାଏ ଆରମ୍ଭ ହୋଇନାହିଁ। କିଛି ଦଲାଲ ଏବେ ରାଜୀବଭବନ ଚାରିପାଖେ ବୁଲି ପ୍ରକଳ୍ପ ଅନୁମୋଦିତ କରାଉଥିବା କହୁଛନ୍ତି। ସେମାନେ ପିସି ନେଇ ଏଭଳି କରାଯାଉଥିବା ଅଭିଯୋଗ ଆସିଲାଣି। ବିକାଶ ପରିଷଦ ଅର୍ଥ ବିନିଯୋଗ କରି କାହିଁକି ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରାଯାଉନାହିଁ ବୋଲି ସେ ପ୍ରଶ୍ନ କରିବା ସହିତ ପରିଷଦ ପାଣ୍ଠିର ପରିମାଣ ଅନ୍ୟୂନ ୧୦୦୦ କୋଟିକୁ ବଢାଇବାକୁ ଦାବି କରିଥିଲେ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ୧୦ ବର୍ଷରେ ୧୦୦୦ କୋଟି ଟଙ୍କା ପରିଷଦକୁ ମିଳିଛି। ମାତ୍ର ୭୫୦ କୋଟି ଖର୍ଚ୍ଚ ନ ହୋଇ ପଡିଛି। ସେହିଭଳି ପର୍ଯ୍ୟାୟ ଭିତ୍ତିରେ ସଭ୍ୟ ଚୟନ କାହିଁକି କରାଯାଉନାହିଁ ବୋଲି ସେ ଆପତ୍ତି ଉଠାଇବା ସହିତ ଏହା ରାଜନୈତକ ନେତାଙ୍କ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି ବୋଲି କହିଥିଲେ। କେଉଁ ପରିସ୍ଥିତିରେ ଥଇଥାନ କରାଯାଉଥିବା ନେତାଙ୍କୁ ଦେଢ କୋଟି ଟଙ୍କାର ପ୍ରକଳ୍ପ ମଗାଯାଉଛି, ସେ ନେଇ ସେ ପ୍ରଶ୍ନ ଉଠାଇଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ କେବିକେ ପରିଷଦ ବା ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେଉ। କାରଣ ନା ଦାଦନ ହଟିଲେ ନା ଗରିବି କମିଲା। ବିଜେଡିର ହାରୁ ନେତାଙ୍କ ଥଇଥାନ କେନ୍ଦ୍ର ପାଲଟିଛି ପରିଷଦ। କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ମଧ୍ୟ ଆଲୋଚନାରେ ଭାଗ ନେଇଥିଲେ।
ବିଜେଡି ପକ୍ଷରୁ ସରକାରୀ ଦଳ ଉପମୁଖ୍ୟସଚେତକ ରୋହିତ ପୂଜାରୀ, ସୁବ୍ରତ ତରାଇ, ଦେବେଶ ଆଚାର୍ଯ୍ୟ ଓ ସ୍ନେହାଙ୍ଗିନି ଛୁରିଆ ଭାଗନେଇଥିଲେ। ଆଞ୍ଚଳିକ ବୈଷମ୍ୟ ଦୂର ନ ହେବା ପାଇଁ କିଏ ଦାୟୀ ବୋଲି ଶ୍ରୀ ପୂଜାରୀ ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ଗତ ଦିନରେ ପଶ୍ଚିମ ଓଡ଼ିଶା ପାଇଁ ହାତକୁ ନେଇଥିବା ପ୍ରକଳ୍ପର ତାଲିକା ଶୁଣାଇଥିଲେ। ତେବେ ବିକାଶ ପରିଷଦ ପାଣ୍ଠି ବଢିବା ଦାବି ଉପରେ ସେ ସହମତ ହୋଇଥିଲେ। ଶ୍ରୀ ତରାଇ ବ୍ୟବହାରକାରିତା ରିପୋର୍ଟ ମଗାଯିବା ପ୍ରସଙ୍ଗରେ ଆପତ୍ତି ଉଠାଇବା ସହ ପାଣ୍ଠି ୫୦୦ କୋଟିକୁ ବଢାଇବା ଲାଗି ମତ ରଖିଥିଲେ।
ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଥିଲେ ଯେ ୧୯୯୮ ମସିହାରୁ ବିକାଶ ପରିଷଦ ଗଠନ କରାଯାଇଛି। ଉଦ୍ଦେଶ୍ୟ ଥିଲା, ସଂପୃକ୍ତ ଅଞ୍ଚଳର ବିକାଶ କରାଯିବା। ଏଯାଏ ପରିଷଦକୁ ୧୫୬୨କୋଟି ୬୪ଲକ୍ଷ ଟଙ୍କା ଦିଆଯାଇଛି, ଯେଉଁଥିରୁ ୧୪୯୩କୋଟି ୬୦ଲକ୍ଷ ଟଙ୍କାର ପ୍ରକଳ୍ପ ଅନୁମୋଦିତ ହୋଇଛି। ୨୦୧୯ ଅକ୍ଟୋବର ଶେଷ ସୁଦ୍ଧା ୧୩୯୩କୋଟି ୨୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ଓ ୩୦ ହଜାର ୩୩୩ଟି ପ୍ରକଳ୍ପର କାର୍ଯ୍ୟ ଶେଷ ହୋଇଛି। ବାକି ୩୧୬୯ଟି ପ୍ରକଳ୍ପ କାର୍ଯ୍ୟ ଚାଲିଛି ଏବଂ ୧୧୯୯ କାର୍ଯ୍ୟ ଆରମ୍ଭ ପାଇଁ ପ୍ରକ୍ରିୟା ଜାରି ରହିଛି। ମନ୍ତ୍ରୀ କହିଥିଲେ ଯେ ବିକାଶ ପରିଷଦ କେଉଁଠି ହେବ, ତାହା ଏବେ ବି ସରକାରଙ୍କ ସକ୍ରିୟ ବିଚାରାଧୀନ ରହିଛି। ଏ ନେଇ ସେ ଧ୍ୟାନ ଦେବେ। ତେବେ ପରିଷଦ ପାଣ୍ଠି ବଢିବା ଦରକାର ସେ ଏକଥା ଅନୁଭବ କରୁଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/asse-2.jpg)