କଟକ, : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ ମୁଖ୍ୟ କାର୍ଯ୍ୟାଳୟ ପଶ୍ଚିମ ଓଡ଼ିଶାରେ ପ୍ରତିଷ୍ଠା ପ୍ରସଙ୍ଗରେ ଶୁଣାଣି କରି ନିଷ୍ପତ୍ତି ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ସ୍ମାରକପତ୍ର (ରିପ୍ରେଜେନଟେସନ୍) ଭାବେ ମୁଖ୍ୟ ସଚିବ ଗ୍ରହଣ କରିବା ସହିତ ଏହି ପ୍ରସଙ୍ଗରେ ୬ ସପ୍ତାହ ଭିତରେ ଶୁଣାଣି କରିବେ। ଏହି ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମତ ମଧ୍ୟ ମୁଖ୍ୟ ଶାସନ ସଚିବ ନେବେ। ଶୁଣାଣି ସମୟରେ ଆବେଦନକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯିବ। ଶୁଣାଣି ତାରିଖ ନେଇ ଅତିକମ୍‌ରେ ୧୦ ଦିନ ପୂର୍ବରୁ ଆବେଦନକାରୀଙ୍କୁ ଅବଗତ କରାଯିବ। ଏହି ପ୍ରସଙ୍ଗରେ ଶୁଣାଣି କରି ୨୦୨୩, ମାର୍ଚ୍ଚ ୧ ସୁଦ୍ଧା ମୁଖ୍ୟ ସଚିବ ଯୁକ୍ତିଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବେ। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିପ୍ରିୟା ପଟେଲଙ୍କ ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ରାଜ୍ୟ ସରକାର ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।