ସମ୍ବଲପୁର : ପଶ୍ଚିମାଂଚଳ ରାଜନୀତି, ସମାଜସେବା ଓ ଜନ ଆନ୍ଦୋଳନଗୁଡ଼ିକରେ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିବା ବେଳେ ଏକଦା ରାଜନୀତି କ୍ଷେତ୍ରରେ ଉପେକ୍ଷିତ ଥିଲେ। ତେବେ, ରାଜ୍ୟର ଅନ୍ୟ ଅଂଚଳ ତୁଳନାରେ ପଶ୍ଚିମ ଓଡ଼ିଶା ଅଧିକ ସଂଖ୍ୟକ ମହିଳାଙ୍କୁ ବିଧାନସଭା ପଠାଇଛି। ଉପନିର୍ବାଚନ ଯୋଗୁଁ ଏଭଳି ସୁଯୋଗ ସୃଷ୍ଟି ହୋଇଥିବା ବେଳେ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପରିପ୍ରେକ୍ଷୀରେ ଆଉ ଏକ ସମ୍ଭାବନା ଦେଖାଦେଇଛି।
ଓଡ଼ିଶା ବିଧାନସଭାର ୧୪୭ ଆସନ ମଧ୍ୟରୁ ଏବେ ମାତ୍ର ୧୫ଟି ଆସନରେ ମହିଳାମାନେ ପ୍ରତିନିଧିତ୍ବ କରୁଛନ୍ତି। ହେଲେ, ଏହି ୧୫ ଜଣଙ୍କ ମଧ୍ୟରୁ କେବଳ ପଶ୍ଚିମ ଓଡ଼ିଶାବାସୀ ୬ ଜଣଙ୍କୁ ବିଧାନସଭାକୁ ପଠାଇଛନ୍ତି। ୨୦୧୯ ମସିହା ନିର୍ବାଚନରେ କେବଳ ଅତାବିରାରୁ ସେହ୍ନାଙ୍ଗିନୀ ଛୁରିଆ, ଟିଟିଲାଗଡ଼ରୁ ଟୁକୁନୀ ସାହୁ ଓ ସୁନ୍ଦରଗଡ଼ରୁ କୁସୁମ ଟେଟେ ବିଜୟୀ ହୋଇଥିବା ବେଳେ ନିକଟ ଅତୀତରେ ସଂପନ୍ନ ଉପନିର୍ବାଚନରେ ଆଉ ୩ ଜଣ ମହିଳା ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ଜଣିଆ ମନ୍ତ୍ରିମଣ୍ଡଳରେ ମହିଳାମାନଙ୍କୁ ଗୁରୁତ୍ବ ଦିଆଯାଇଛି। ୨୨ ଜଣିଆ ମନ୍ତ୍ରିମଣ୍ଡଳରୁ ଏବେ ୫ ଜଣ ବିଧାୟିକାଙ୍କୁ ମନ୍ତ୍ରୀ ହେବାର ସୁଯୋଗ ମିଳିଛି। ଆଉ, ଏଥିରେ ପଶ୍ଚିମ ଓଡ଼ିଶାର ୨ ଜଣ ବିଧାୟିକା ଟୁକୁନୀ ସାହୁ ଓ ରୀତା ସାହୁଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ପଦ ବି ମିଳିଛି।
/sambad/media/post_attachments/wp-content/uploads/2022/12/bjd-ff-750x430.jpg)
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୯ ମସିହା ନିର୍ବାଚନରେ ୨ଟି ଗଂଜାମ ଜିଲ୍ଲାର ହିଞ୍ଜଳି ବିଧାନସଭା କ୍ଷେତ୍ର ସହିତ ବରଗଡ଼ ଜିଲ୍ଲାର ବିଜେପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ, ଉଭୟ ବିଧାନସଭା କ୍ଷେତ୍ରରୁ ବଡ଼ ବ୍ୟବଧାନରେ ତାଙ୍କ ବିଜୟ ହୋଇଥିଲା। ଏହି ଦୁଇଟି ଆସନ ମଧ୍ୟରୁ ସେ ନିଜ ପାରମ୍ପରିକ ହିଞ୍ଜଳି ଆସନକୁ ରଖିବାକୁ ବାଛି ଥିଲେ। ବିଜେପୁରରୁ ତାଙ୍କ ଇସ୍ତଫା ପରେ ଉପନିର୍ବାଚନ ସ୍ଥିତି ସୃଷ୍ଟି ହୋଇଥିଲା। ପୂର୍ବତନ ବିଧାୟିକା ରୀତା ସାହୁ ବହୁତ ଭୋଟ ବ୍ୟବଧାନରେ ନିର୍ବାଚନ ଜିତି ଏକ ରେକର୍ଡ ସୃଷ୍ଟି କରିଥିଲେ। ଉପନିର୍ବାଚନ ସମୟରେ ବିଜେପୁର ବିଧାନସଭା କ୍ଷେତ୍ରରେ ଦାୟିତ୍ବ ସେ ନିଜେ ନେବେ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଥିବା ବେଳେ ଗତ ଜୁନ୍ ୨୦୨୨ରେ ତାଙ୍କ ମନ୍ତ୍ରିମଣ୍ଡଳର ନବକଳେବର ସମୟରେ ରୀତା ସାହୁଙ୍କୁ ମନ୍ତ୍ରୀ ପଦ ବି ଦେଇଥିଲେ।
ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ନିଜ ପାରଂପରିକ ଆସନ ଝାରସୁଗୁଡ଼ା ଛାଡ଼ି ବ୍ରଜରାଜନଗର ଯାଇଥିଲେ। ସେଠାରୁ ତାଙ୍କ ସଫଳତା ବି ମିଳିଥିଲା। ହେଲେ, କିଶୋରଙ୍କ ଅକାଳ ବିୟୋଗ ପରେ ତାଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ପ୍ରାର୍ଥୀ କରାଇଥିଲା। ଅଳକା ମଧ୍ୟ ବଡ଼ ବ୍ୟବଧାନରେ ବିଜେପିର ରାଧାରାଣୀ ପଣ୍ଡାଙ୍କୁ ପରାଜିତ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂବରିହାଙ୍କ ଅକାଳ ବିୟୋଗ ପରେ ବିଜେଡି ତାଙ୍କ ଝିଅ ବର୍ଷା ସିଂବରିହାଙ୍କୁ ଉପନିର୍ବାଚନରେ ଛିଡ଼ା କରାଇଥିଲା। ବିଜେପିର ହେଭିୱେଟ ନେତା ପ୍ରଦୀପ ପୁରୋହିତଙ୍କ ସହିତ ତାଙ୍କ ମୁକାବିଲା ହୋଇଥିଲା। ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ଆଶା କରାଯାଉଥିଲା। ହେଲେ, ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବର୍ଷା ସିଂବରିହା ବିଶାଳ ବ୍ୟବଧାନରେ ପ୍ରଦୀପଙ୍କୁ ପରାଜିତ କରିଥିଲେ।
ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏବେ ଉପନିର୍ବାଚନ ପାଇଁ ବିଗୁଲ୍ ବାଜିଛି। ଆସନ୍ତା ମାସରେ ନିର୍ବାଚନ ହେବାକୁ ଥିବା ବେଳେ ବିଜେଡି ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ମଇଦାନକୁ ଓହ୍ଲାଇଛି। ବିଜେପି ଓ କଂଗ୍ରେସ କାହାକୁ ପ୍ରାର୍ଥୀ କରାଇବେ, ଏପର୍ଯ୍ୟନ୍ତ ଘୋଷଣା କରିନାହାନ୍ତି। ଉପନିର୍ବାଚନର ରେକର୍ଡ ଦେଖିଲେ ବିଜେଡିର ପଲା ଭାରୀ ରହିଛି। ବିଜେଡି ଭଳି ଯଦି, ବିଜେପି ଓ କଂଗ୍ରେସ କୌଣସି ମହିଳାଙ୍କୁ ପ୍ରାର୍ଥୀ କରାନ୍ତି, ସେମାନଙ୍କ ମଧ୍ୟରୁ ଯିଏ ବି ନିର୍ବାଚିତ ହେଲେ ପଶ୍ଚିମ ଓଡ଼ିଶାରୁ ବିଧାନସଭାକୁ ମହିଳାଙ୍କ ପ୍ରତିନିଧିତ୍ବ ସଂଖ୍ୟା ପୁଣି ବଢ଼ିବ ବୋଲି ଆକଳନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/western-odisha-election.jpg)