ଭୁବନେଶ୍ବର : ହାଇକୋର୍ଟ ବେଞ୍ଚ୍ ଦାବିରେ ଆଜି ପଶ୍ଚିମ ଓଡ଼ିଶା ବନ୍ଦ ସଫଳ ହୋଇଥିଲା ବେଳେ ଭୁବନେଶ୍ବରରେ ଏହି ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି। ବେଞ୍ଚ୍ ପ୍ରତିଷ୍ଠା ବିଳମ୍ବ ହେବା ନେଇ ବିଜେଡି କେନ୍ଦ୍ରକୁ ଦୋଷ ଠେଲିଥିଲା ବେଳେ ହାଇକୋର୍ଟ ଓ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ଆହ୍ବାନ ଦେଇଛି।
ଆଜି ଲୋକସେବା ଭବନରେ ବିଜେଡି ବିଧାୟକ କିଶୋର ମହାନ୍ତି ଗଣମାଧ୍ୟମକୁ କହିଥିଲେ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ହେବାର ଆବଶ୍ୟକତା ରହିଛି। ମୁଖ୍ୟମନ୍ତ୍ରୀ ଏ ନେଇ ବିଗତ ଦିନରେ କେନ୍ଦ୍ର ସରକାରକୁ ଚିଠି ଲେଖିଥିଲେ। ଉଭୟ ସରକାର ଓ ବିଜେଡି ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି। କିନ୍ତୁ ସ୍ଥାନ ନିର୍ଦ୍ଧାରଣ କରି ବେଞ୍ଚ୍ ପ୍ରତିଷ୍ଠା କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର। ଯାହାର ଦାୟିତ୍ବ ସେମାନେ ଯଦି ନିର୍ବାହ ନ କରିବେ, ତେବେ ଓଡ଼ିଶା ସରକାର ତ ନିଜେ ବେଞ୍ଚ୍ ପ୍ରତିଷ୍ଠା କରିପାରିବେ ନାହିଁ। କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶାର ଯେ କୌଣସି ଜାଗାରେ ବେଞ୍ଚ୍ ପ୍ରତିଷ୍ଠା କଲେ ଆମର ସହମତି ଅଛି। କେନ୍ଦ୍ର ନ ଚାହିଁଲେ ବେଞ୍ଚ୍ କିପରି ହେବ ?
ଅପରପକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ର ବିଜେପି ସାଂସଦ ସୁରେଶ ପୂଜାରୀ କହିଥିଲେ, ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଏକମତ ହେବା ସହ ରାଜ୍ୟ ସରକାର ଓ ଓଡ଼ିଶା ହାଇକୋର୍ଟଙ୍କୁ ତାଙ୍କର ମତାମତ ମାଗିଛନ୍ତି। ଓଡ଼ିଶା ହାଇକୋର୍ଟକୁ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ଦୁଇ ଦୁଇ ଥର ଚିଠି ଲେଖିବା ପରେ ବି ହାଇକୋର୍ଟରୁ କୌଣସି ଉତ୍ତର ଯାଉନାହିଁ। ୭ ବର୍ଷ ପରେ ବି ହାଇକୋର୍ଟ ଉତ୍ତର ନ ଦେବା ଦୁର୍ଭାଗ୍ୟଜନକ। ଚାପର ବଶବର୍ତ୍ତୀ ନ ହୋଇ ଆଇନ ବ୍ୟବସ୍ଥାର ବିକେନ୍ଦ୍ରୀକରଣରେ ଏକମତ ହୋଇ କେନ୍ଦ୍ର ସରକାରଙ୍କୁ ତାଙ୍କ ମତାମତ ପ୍ରଦାନ କରିବା ଉଚିତ। ସେହିପରି ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ମାଗିବା ପରେ ବି ରାଜ୍ୟ ସରକାର କୌଣସି ଉତ୍ତର ଦେଇ ନାହାନ୍ତି। ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠାର ସ୍ଥାନକୁ ନେଇ ରାଜ୍ୟ ସରକାର ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଉ ନାହାନ୍ତି। ବେଞ୍ଚ୍ ପ୍ରତିଷ୍ଠା ପାଇଁ ଯେଉଁ ଭିତ୍ତିଭୂମି ଦରକାର ସେ ବାବଦରେ ରାଜ୍ୟ ସରକାରଙ୍କ ସହମତି ପତ୍ର କେନ୍ଦ୍ରକୁ ପଠାଯାଇ ନାହିଁ। ପଶ୍ଚିମ ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ପରୀକ୍ଷା ନ କରି ୫୦ ବର୍ଷରୁ ଚାଲି ଆସିଥିବା ସ୍ଥାୟୀ ବେଞ୍ଚ୍ ଆନ୍ଦୋଳନ ଦାବିକୁ ପୂରଣ କରିବା ନିମନ୍ତେ ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ପ୍ରସ୍ତାବ ପଠାଇବା ସହ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ପୂଜାରୀ ଦାବି କରିଥିଲେ।