ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପ୍ରସଙ୍ଗ : ଏଣିକି ମାସର ଶେଷ ତିନିଦିନ କୋର୍ଟ ସହ ଅଫିସ୍‌ ବନ୍ଦ

ଝାରସୁଗୁଡ଼ା : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି(ସିଏସି) ପକ୍ଷରୁ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏ ନେଇ ବୁଧବାର ଝାରସୁଗୁଡ଼ାଠାରେ ସିଏସିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡିଆର୍‌ଡିଏଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ନେଇ ପୂର୍ବରୁ ସିଏସି ସମସ୍ତ କୋର୍ଟରେ ‌ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଶୁଣାଣି (ଜରୁରୀ ବ୍ୟତୀତ) ବନ୍ଦ କରିଥିଲା। ଏହି ନିଷ୍ପତ୍ତିକୁ ବଳବତ୍ତର ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ପ୍ରତିମାସର ଶେଷ ତିନିଦିନ ଜନସାଧାରଣ ଓ ନାଗରିକଙ୍କ ପକ୍ଷରୁ କୋର୍ଟ ବନ୍ଦ କରାଯାଉଥିବାବେଳେ ଏହାକୁ ବାର୍‌ ମାନେ ସହଯୋଗ କରି ଆସୁଛନ୍ତି। ଏହି ସମୟରେ କୋର୍ଟ ଭିତରକୁ ବିଚାରପତି, ମାଜିଷ୍ଟ୍ରେଟ୍‌ମାନଙ୍କୁ ଯିବାକୁ ଦିଆଯାଉ ନାହିଁ। ଏହି ବନ୍ଦକୁ ଆହୁରି ତୀବ୍ର କରାଯିବାକୁ ସିଏସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମାସର ଶେଷ ତିନି ଦିନ ଏଣିକି କୋର୍ଟ ସମେତ ସମସ୍ତ କେନ୍ଦ୍ର ଓ ରାଜ୍ୟ ସରକାର, ବ୍ୟାଙ୍କ, ବୀମା କମ୍ପାନି ଏବଂ କୋର୍ପରେଟ ହାଉସ୍‌କୁ ବନ୍ଦ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ମାସର କୌଣସି ଏକ ଦିନ ଏଥିପାଇଁ ମହାବନ୍ଦ ମଧ୍ୟ ଆୟୋଜନ କରାଯିବାକୁ ବୈଠକରେ ସ୍ଥିର ହୋଇଛି। ପରବର୍ତ୍ତୀ ସମୟରେ ଏହି ତାରିଖ ଘୋଷଣା କରାଯିବ ବୋଲି କମିଟି ସୂଚନା ଦେଇଛି।

ଆଜି ଏହି ବୈଠକରେ ପରେ ଝାରସୁଗୁଡ଼ା ବାର ସଭାପତି ସନ୍ଦୀପ ଅଗସ୍ତିଙ୍କ ସଭାପତିତ୍ବରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏସିର ଯୁଗ୍ମ ଆବାହକ ପ୍ରମୋଦ ଦାସ ଉପରୋକ୍ତ ବିଷୟ ସଂପର୍କରେ ଅବଗତ କରିଥିଲେ। ଏଥିରେ ଝାରସୁଗୁଡ଼ା ବାର ପୂର୍ବତନ ସଭାପତି ରଘୁମଣି ପଟେଲ, ବାର ସଂପାଦକ ପଦ୍ମନାଭ ମାଳି, ସିଏସି ସଂପାଦକ ଜି‌ତେନ୍ଦ୍ରୀୟ ପ୍ରଧାନ, ଯୁଗ୍ମ ଆବାହକ ଦିଲ୍ଲୀପ ଗୁରୁ, ଦୁଷ୍ମନ୍ତ ନାଏକ, ସୁରେଶ୍ବର ମିଶ୍ର, ନିରଞ୍ଜନ ତ୍ରିପାଠୀ, ବସନ୍ତ କୁମାର ସାହୁ ପ୍ରମୁଖଙ୍କ ସମେତ ପ୍ରମୁଖ ୧୨ଟି ବାର୍‌ର ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର