ବିଜେଡି ଫୋକସରେ ପଶ୍ଚିମ ଓଡିଶା : ୪, ୮୦୦ କୋଟି ଟଙ୍କାର ପ୍ରକଳ୍ପ ଭିତ୍ତିପ୍ରସ୍ତର ଓ ଲୋକାର୍ପଣ ଆଜି

ରାଉରକେଲା : ରାଜ୍ୟ ସରକାରଙ୍କ ଫୋକସ୍‌ରେ ପଶ୍ଚିମ ଓଡ଼ିଶା। ଆଉ ମାତ୍ର କେତେ ଘଣ୍ଟା ପରେ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିପିୟୁଟି ପରିସର‌ରେ ଆୟୋଜିତ ଦେଶର ସର୍ବବୃହତ୍ତ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିସହ ସେ ଜିଲ୍ଲାର ମୋଟ୍‌ ୪, ୮୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ମଧ୍ୟରେ ରହିଛି ସୁନ୍ଦରଗଡ ୧୭ଟି ବ୍ଲକର ୧୭ଟି ହକି ଆଷ୍ଟ୍ରୋଟର୍ଫର ହେବ ଭିତ୍ତିପ୍ରସ୍ତର ସ୍ଥାପନ। କୃଷି କ୍ଷେତ୍ରର ଉନ୍ନତି ପାଇଁ ୩୫୧ କୋଟି ଟଙ୍କାରେ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପର ହେବ ଶୁଭାରମ୍ଭ। କେବଳ ଏତିକି ନୁହେଁ ପାନୀୟ ଜଳର ସୁବିଧା ପାଇଁ ୧୨ କୋଟି ଟଙ୍କାର ପ୍ରକଳ୍ପର କରାଯିବା ଶୁଭାରମ୍ଭ। ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳ ୧୦ଟା ୧୦ରେ ଭୁବନେଶ୍ବରସ୍ଥିତ ନବୀନ ନିବାସରୁ ବିମାନ ବନ୍ଦର ଅଭିମୁଖେ ବାହାରିବେ। ୧୦ଟା ୨୦ ମିନିଟ୍‌ରେ ଭୁବନେଶ୍ବରରୁ ସ୍ବତନ୍ତ ବିମାନ ବାହାରି ୧୧ଟା ୨୦ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ସାଢ଼େ ୧୧ଟାରେ ବିପିୟୁଟି ସଭାସ୍ଥଳରେ ପହଞ୍ଚିବେ। ସୁନ୍ରଗଡ ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକାର୍ପଣ କରିବେ। ସାଧାରଣ ସଭାରେ ଉଦ୍‌ବୋଧନ ଦେବେ। ଅପରାହ୍ନ ୧୨ଟା ୨୫ ମିନିଟ୍‌ରେ ବିପିୟୁଟି ସଭାସ୍ଥଳ ଛାଡିବେ। ୧୨ଟା ୩୦ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରରେ ପହଞ୍ଚିବେ। ୧୨ଟା ୩୫ ମିନିଟ୍‌ରେ ରାଉରକେଲା ବିମାନ ବନ୍ଦରୁ ସ୍ବତନ୍ତ୍ର ବିମାନ ଯୋଗ‌େ ଭୁବନେଶ୍ବର ଫେରିଯିବେ। ଅପରାହ୍ନ ୧ଟା ୪୫ମିନିଟରେ ନବୀନ ନିବାସରେ ପହଞ୍ଚିବେ।

ଲୋକାର୍ପିତ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାର ବହୁ ପ୍ରକଳ୍ପର ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ମଧ୍ୟରେ ରହିଛି ୮୧ କୋଟି ୪୧ ଲକ୍ଷ ସଂଯୋଗୀକରଣ, ୫୧ କୋଟି ୩୨ ଲକ୍ଷ ଟଙ୍କା ବ୍ୟୟରେ ଶିକ୍ଷା ପ୍ରକଳ୍ପ। ୧୧.୪୨ କୋଟିର ପାନୀୟ ଜଳ ଯୋଗାଣ ପ୍ରକଳ୍ପ, ୮୫ ଲକ୍ଷର ସ୍ବାସ୍ଥ୍ୟସେବା ପ୍ରକଳ୍ପ, ୩୫୭.୭୩ କୋଟିର ଜୀବିକା ପ୍ରକଳ୍ପ, ୨୪୧.୫୬ କୋଟିର ପରିମଳ ପ୍ରକଳ୍ପ, ୩୭.୬୨ କୋଟିର ଶକ୍ତି ପ୍ରକଳ୍ପ ଲୋକାର୍ପଣ କରିବେ। ଏଥିସହ ୪୭.୦୯ କୋଟିର ଭୌତିକ ନିର୍ମାଣ କାର୍ଯ୍ୟ, ୫.୧୯ କ‌ୋଟିର ମହିଳା ଓ ଶିଶୁ ବିକାଶ ଏମିତି ମୋଟ ୮୩୪.୨୩ କୋଟିର ଉନ୍ନୟନ ପ୍ରକଳ୍ପକୁ ଲୋକାର୍ପଣ କରିବେ।

ଶିଳାନ୍ୟାସ ପ୍ରକଳ୍ପ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା କ୍ଷେତ୍ରରେ ବିକାଶ ପାଇଁ ୩୧୪.୦୪ କୋଟିର ୩୬ ଟି ପ୍ରକଳ୍ପ, କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ୧୨୦ କୋଟି ଟଙ୍କାର ଦେଶର ସର୍ବବୃହତ ହକି ଷ୍ଟାଡ଼ିୟମ, ୧୫୯୯.୨୯ ‌କୋଟିର ୨ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ୧୫.୯୪ କୋଟିର ଦକ୍ଷତା ବିକାଶ, ୧୨.୦୦ କୋଟିର ପରିବେଶ ସୁରକ୍ଷା, ୯୭୬.୮୮ କୋଟିର ପରିମଳ ବ୍ୟବସ୍ଥା,୮.୫୬ କୋଟି ସଂଯୋଗୀକରଣ, ୧୦୯.୫୭ କୋଟିର ୧୬ଟି ସ୍ବାସ୍ଥ୍ୟସେବା ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ କରିବେ। ଏଥିସହ ୧୭୭.୬୧ କୋଟିର ୧୦ଟି ଜୀବିକା ପ୍ରକଳ୍ପ, ୧୯.୪୪ କୋଟିର ୪ଟି ଭୌତିକ ନିର୍ମାଣ କାର୍ଯ୍ୟ, ୧୨୯.୬୦ କୋଟିର ୧୦ଟି ମହିଳା ଓ ଶିଶୁ ବିକାଶ ପ୍ରକଳ୍ପ, ୪୭୦.୯୫ କୋଟିର ୧୨ଟି ସ୍ମାର୍ଟ ସିଟି ପ୍ରକଳ୍ପଗୁଡ଼ିକର ମଧ୍ୟ ଶିଳାନ୍ୟାସ କରିବେ।

୯ଟି ସ୍ଥାନରେ ସ୍ବତନ୍ତ୍ର ବ୍ୟବସ୍ଥା : ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ସହ ଭାଷଣ ଶୁଣିବା ଓ ଦେଖିବାକୁ ସୁନ୍ଦରଗଡ ଜିଲ୍ଲାରେ ୧୨୦ରୁ ଅଧିକ ସ୍ଥାନରେ ଏଲ୍‌ଇଡି ୱାଲ୍‌ର ବ୍ୟବସ୍ଥା କରାଯାଇଛି। ଏଥି ମଧ୍ୟରୁ ରାଉରକେଲାରେ ୯ଟି ସ୍ଥାନରେ ଏଲ୍‌ଇଡି ପଏଣ୍ଟ କରାଯାଇଛି। ପାନପୋଷସ୍ଥିତ ବାଙ୍ଗଲାଟୋଲା ବସ୍ତି ପଡିଆ, ଲେବରଟେନାମେଣ୍ଟ ଦୁର୍ଗାପୂଜା ପଡିଆ, ଛେଣ୍ଡ ସେଣ୍ଟ୍ରାଲ ପାର୍କ ବୋଇତବନ୍ଦାଣ ଛକ, ରେଲୱେ କଲୋନି ଛୋଟା ପାର୍କ, ନୟାବଜାର ଦୁର୍ଗାପୂଜା ପେଣ୍ଡାଲ, ବନ୍ଧମୁଣ୍ଡା ମଧୁ ମଣ୍ଡପ, ପ୍ଲାଣ୍ଟସାଇଟ୍‌ ଦୁର୍ଗା ପୂଜା ପଡିଆ, ବାସନ୍ତି ଦୁର୍ଗାପୂଜା (ଜଗନ୍ନାଥ ମନ୍ଦିର ସମ୍ମୁଖ), ଜଗଦା କମ୍ୟୁନିଟି ସେଣ୍ଟର ପଡ଼ିଆ।

ମନ୍ତ୍ରୀ ଓ ବିଧାୟକଙ୍କୁ ବ୍ଲକ ଦାୟିତ୍ବ : ୧୭ ମନ୍ତ୍ରୀ ଓ ୮୦ ବିଧାୟଙ୍କୁ ବିଭିନ୍ନ ବ୍ଲକର ଦାୟିତ୍ବ ଦିଆଯାଇଛି। ପ୍ରତି ବ୍ଲକ ଓ ‌ପ୍ରମୁଖ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଦେଖିବାକୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରତ୍ୟେକ କାର୍ଯ୍ୟକ୍ରମରେ ଜଣେ ମନ୍ତ୍ରୀଙ୍କ ସମେତ ୨ରୁ ୪ ଜଣ ବିଧାୟକ ଉପସ୍ଥିତ ଥିଲେ। ବଣାଇରେ ମନ୍ତ୍ରୀ ସୁଦାମ ମାରାଣ୍ଡି ସମେତ ଦୁଇ ବିଧାୟକ, ଲହୁଣିପଡାରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମେତ ୨ ବିଧାୟକ, ଗୁରୁଣ୍ଡିଆରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ସମେତ ତିନି ବିଧାୟକ, କୋଇଡାରେ ମନ୍ତ୍ରୀ ସୁଶାନ୍ତ ସିଂହ ସମେତ ଦୁଇ ବିଧାୟକ ଉପସ୍ଥିତ ରହିବେ। ସୁନ୍ଦରଗଡରେ ମନ୍ତ୍ରୀ ଅଶୋକ ପଣ୍ଡା ସମେତ ୪ ବିଧାୟକ, ଟାଙ୍ଗରପାଲି ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ୩ ବିଧାୟକ, ହେମଗିରିରେ ମନ୍ତ୍ରୀ ନବକିଶୋର ଦାଶଙ୍କ ସମେତ ୫ ବିଧାୟକ ଉପସ୍ଥିତ ରହିବେ। ରାଜଗାଙ୍ଗପୁରରେ ୫ ବିଧାୟକ, ଲାଠିକଟାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ୩ ବିଧାକ, ‌କୁତ୍ରାରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସମେତ ୩ ବିଧାକ, ବାଲିଶଙ୍କରାରେ ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ସମେତ ୫ ବିଧାୟକ, ଲେଫ୍ରିପଡାରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ସମେତ ୪ ବିଧାୟକ, ବଡଗାଁରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସମେତ ୩ ବିଧାୟକ, ସବ୍‌ଡେଗାରେ ମନ୍ତ୍ରୀ ସମୀର ଦାସଙ୍କ ସମେତ ୩ ବିଧାୟକ, ବିଶ୍ରାରେ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ସମେତ ୪ ବିଧାୟକ, ନୂଆଗାଁରେ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ୬ ବିଧାୟକ, କୁଆରମୁଣ୍ଡାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମେତ ୪ ବିଧାୟକ ରହିବେ। ଅନୁରୂପ ଭାବେ ରାଉରକେଲାରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ସୁନ୍ଦରଗଡରେ ଦେବୀ ପ୍ରସାଦ ମିଶ୍ର, ରାଜଗାଙ୍ଗପୁର ପୌରପାଳିକାରେ ଅତୁନ ସବ୍ୟସାଚି ନାୟକ, ବୀରମିତ୍ରପୁର ପୌରପାଳିକାରେ ପ୍ରତାପ କେଶରୀ ଦେବ ଉପସ୍ଥିତ ରହିବେ।

ସମ୍ବନ୍ଧିତ ଖବର