ପଶ୍ଚିମ ଓଡ଼ିଶାରେ ଆଇନଜୀବୀ ଆନ୍ଦୋଳନ ପ୍ରସ˚ଗ: ସତ୍ୟପାଠ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ସଂପର୍କିତ ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌.ଜାଭେରୀ ଓ ଜଷ୍ଟିସ କେ.ଆର‌୍‌.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ତପୀଠରେ ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ପକ୍ଷରୁ ଦାୟର ଏ ସ˚ପର୍କିତ ମାମଲାର ଶୁଣାଣି ସମୟରେ ଆଜି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ କାର୍ଯ୍ୟରେ ଯୋଗ ଦେବା ପାଇଁ ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ ଅନୁଷ୍ଠାନକୁୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ଆବେଦନକାରୀ ଶ୍ରୀ ମହାନ୍ତି ଦର୍ଶାଇଥିଲେ ଯେ ଅଦାଲତରେ ବିଚାରବିଭାଗୀୟ ଅଧିକାରୀଙ୍କୁ ଓ ସରକାରୀ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ସୁରକ୍ଷିତ ଭାବେ ପହଞ୍ଚାଇବା ପାଇଁ ସମ୍ବଲପୁର ପୁଲିସକୁ ସରକାର ପୂର୍ବରୁ ନିର୍ଦ୍ଦେଶ ଦେଇଥିବା ବେଳେ ଏସ୍‌ପି କିଛି ପଦକ୍ଷେପ ଗ୍ରହଣ କରି ନାହାନ୍ତି। ଏହିି ପ୍ରସଂଗରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ସତ୍ୟପାଠ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୨୪ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସୂଚନା ଯୋଗ୍ୟ, ପୂର୍ବରୁ ସରକାର ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଥିଲେ ଯେ ପୁଲିସ ଡିଜି, ଆଇଜି, ଉତ୍ତରାଞ୍ଚଳ ଡିଆଇଜି ଓ ସମ୍ବଲପୁର ଏସପିଙ୍କୁ ଆନ୍ଦୋଳନ ହେଉଥିବା ଅଞ୍ଚଳରେ ତୁରନ୍ତ ବିଚାରବିଭାଗୀୟ ଅଧିକାରୀ ଓ ରାଜସ୍ବ ଅଧିକାରୀଙ୍କୁ ଆବଶ୍ୟକ ସୁରକ୍ଷା ଯେଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଗୃହ ବିଭାଗ ଅତିରିକ୍ତ ସଚିବ ପୁଲିସ ଡିଜି ଓ ଅନ୍ୟ ଅଧିକାରୀଙ୍କୁ ଡିସେମ୍ବର ୨୦ରେ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର