ଆନ୍ଦୋଳନରୁ ଓହରିଲେ ପଶ୍ଚିମ ଓଡ଼ିଶା ଓକିଲ, ସୋମବାରଠୁ ସ୍ବାଭାବିକ ହେବ କୋର୍ଟ କାର୍ଯ୍ୟ

ସ୍ଥାୟୀ ବେଞ୍ଚ ସଂପର୍କରେ ସତ୍ୟପାଠ ସୁପ୍ରିମ୍ କୋର୍ଟଙ୍କ ବିଚାରାଧୀନ
ସର୍ବୋଚ୍ଚ ଅଦାଲତଙ୍କୁ ସମ୍ମାନ ଜଣାଇ ଆନ୍ଦୋଳନ କୋହଳ: ସିଏସି

ସମ୍ବଲପୁର : ସୁପ୍ରିମ୍‌ କୋର୍ଟଙ୍କ ଆଦେଶକୁ ସମ୍ମାନ ଜଣାଇ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସର୍ତ୍ତମୂଳକ ପ୍ରତ୍ୟାହାର କରାଯାଇଛି ବୋଲି ଓକିଲ ସଂଘ ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି (ସିଏସି) ପକ୍ଷରୁ କୁହାଯାଇଛି। ରବିବାର ଏଠାରେ ଅନୁଷ୍ଠିତ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସିଏସି ଆବାହକ ଅଶୋକ ଦାଶ କହିଛନ୍ତି, ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସମ୍ମାନ ଜଣାଇ ବନ୍ଦ ରହିଥିବା କୋର୍ଟ କାର୍ଯ୍ୟକୁ ସ୍ବାଭାବିକ କରିବାକୁ ଆମେ ସର୍ବସମ୍ମତ ନିଷ୍ପତ୍ତି ନେଇଛୁ। ‘ନୋ କୋର୍ଟ ନୋ ହିଅରିଂ ଆନ୍ଦୋଳନ ବର୍ତ୍ତମାନ ପାଇଁ ପ୍ରତ୍ୟାହୃତ ହୋଇଛି। ସୋମବାରଠାରୁ ସିଏସି ଅନ୍ତର୍ଗତ ସମସ୍ତ ଓକିଲ ସଂଘର ସଦସ୍ୟମାନେ ଅଦାଲତ କାର୍ଯ୍ୟରେ ଭାଗ ନେବେ ଓ ଶୁଣାଣି ସ୍ବାଭାବିକ ଭାବେ ଚାଲିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି।

ଏଥିସହ ସୁପ୍ରିମ୍‌ କୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ଖଣ୍ଡପୀଠ ସ୍ଥାପନ କରିବା ପାଇଁ ସମସ୍ତ ସାମ୍ବିଧାନିକ ସଂସ୍ଥା ଓ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଦକ୍ଷେପ ନେବାକୁ ସିଏସି ପକ୍ଷରୁ ପ୍ରାର୍ଥନା କରାଯାଇଛି। ଅଦାଲତ କାର୍ଯ୍ୟ ସ୍ବାଭାବିକ ହେବା ପରେ ଏ ସଂପର୍କରେ ବିଚାର କରାଯାଇ ପାରିବ ବୋଲି ସୁପ୍ରିମ୍ କୋର୍ଟ ଆଶ୍ବାସନା ଦେଇଛନ୍ତି। ସୁପ୍ରିମ୍ କୋର୍ଟ ସତ୍ୟପାଠକୁ ବିଚାର ପାଇଁ ଗ୍ରହଣ କରିବା ସହ ମାର୍ଚ୍ଚ ୨୩ ତାରିଖ ଦିନ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ତେଣୁ ଏହାକୁ ସମ୍ମାନ ଜଣାଇ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅପେକ୍ଷା ନକରି ଉଚ୍ଚ ନ୍ୟାୟାଳୟ, ରାଜ୍ୟ ସରକାର ଓ କେନ୍ଦ୍ର ସରକାର ତୁରନ୍ତ ହାଇକୋର୍ଟ ବେଞ୍ଚ ସ୍ଥାପନ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସିଏସି ପକ୍ଷରୁ ଆହ୍ବାନ କରାଯାଇଛି। ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଓଡ଼ିଶା ହାଇକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରି ତୁରନ୍ତ ଏକ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରନ୍ତୁ ଓ ଚଳିତ ବଜେଟ୍‌ ଅଧିବେଶନରେ କେନ୍ଦ୍ର ସରକାର ଆଇନ୍‌ ପ୍ରଣୟନ କରି ପଶ୍ଚିମ ଓଡ଼ିଶାରେ ଏକ ସ୍ଥାୟୀ ଖଣ୍ଡପୀଠ ଘୋଷଣା କରନ୍ତୁ ବୋଲି ସିଏସି ପକ୍ଷରୁ ଦାବି କରାଯାଇଛି। ନଚେତ ଆଗାମୀ ଉତ୍କଳ ଦିବସଠାରୁ ଏହି ଦାବି ପୂରଣ ପାଇଁ ଚାଲିଥିବା ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ରବିବାର ଶ୍ରୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ସିଏସି ମୁଖପାତ୍ର ସୁରେଶ୍ବର ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ ବି ପ୍ରତ୍ୟାହୃତ। ବର୍ତ୍ତମାନ ପାଇଁ ଅଦାଲତ କାର୍ଯ୍ୟ ସ୍ବାଭାବିକ କରିବାକୁ ସିଏସି ନିଷ୍ପତ୍ତି ନେଇଥିବାରୁ ସମାନ୍ତରାଳ ଭା‌ବେ ଚାଲିଥିବା ଶେଷ ତିନି ଦିନ କାର୍ଯ୍ୟ ବନ୍ଦ ଆନ୍ଦୋଳନ ମଧ୍ୟ ସ୍ଥଗିତ ରହିବ ବୋଲି ସମ୍ବଲପୁର ନାଗରିକ କମିଟି ଆବାହକ ଭାଗବତ ପ୍ରସାଦ ନନ୍ଦ ଏବଂ ପ୍ରଫୁଲ୍ଲ ହୋତା ସୂଚନା ଦେଇଛନ୍ତି। ତେବେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ନାଗରିକ କମିଟିର ପ୍ରତିବଦ୍ଧତା ଅତୁଟ ରହିଛି ଓ ଭବିଷ୍ୟତରେ ହେବାକୁ ଥିବା ଏ ସଂକ୍ରାନ୍ତ ସବୁ ପ୍ରକାର କାର୍ଯ୍ୟକ୍ରମ ବା ଆନ୍ଦୋଳନରେ ସମ୍ବଲପୁରବାସୀଙ୍କ ସକ୍ରିୟ ଭାଗୀଦାରି ରହିବ ବୋଲି ଅନ୍ୟତମ ସଦସ୍ୟ ଦୀପକ କୁମାର ପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର